ହକିକୁ ଜାତୀୟ କ୍ରିଡା ମାନ୍ୟତା ଦେବାକୁ ନବୀନଙ୍କ ଦାବି

ଭୁବନେଶ୍ବର (ନିପ୍ର) ହକିକୁ ବିଧିବଦ୍ଧ ଭାବେ ଜାତୀୟ କ୍ରିଡାର ମାନ୍ୟତା ଦେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ସଂପର୍କରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ନବୀନ । ଚିଠିରେ ନବୀନ ହକିକୁ ଉପଯୁକ୍ତ ସମ୍ମାନ ଦେବା ପାଇଁ ଏହି କ୍ରିଡାକୁ ଜାତୀୟ କ୍ରିଡା ଭାବେ ମାନ୍ୟତା ଦେଇ ବିଜ୍ଞପ୍ତି ପ୍ରକାଶ କରିବାକୁ ଦାବି କରିଛନ୍ତି । ହକି ଏକ ଜାତୀୟ କ୍ରିଡା ଭାବେ କୁହାଯାଉଥିଲେ ମଧ୍ୟ ଏ ସଂପର୍କ ଏଯାଏଁ ବିଜ୍ଞପ୍ତି ପ୍ରକାଶ ପାଇନି । ଏନେଇ ମୁଖ୍ୟମନ୍ତ୍ରୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

ଅଲମ୍ପିକରେ କୌଣସି ଦେଶର ଖେଳାଳି ସ୍ବର୍ଣ୍ଣ ପଦକ ଲାଭ କଲେ ତାହା ଏକ ଗୌରବର ମୁହୂର୍ତ୍ତ । ସେହି ସମୟରେ ଦେଶର ଜାତୀୟ ପତାକା ସହ ଜାତୀୟ ସଂଗୀତ ଗାନ ହେବ ଦେଶ ପାଇଁ ଆହୁରି ଗୌରବମୟ । ଏମିତି ଏକ ଗୌରବମୟ ସମୟ ଦେଖିବାକୁ ମିଳିଥିଲା ୧୯୪୮ରେ ଲଣ୍ଡନରେ ଦେଖିବାକୁ ମିଳିଥିଲା, ଯେତେବେଳେ ଭାରତୀୟ ହକି ଟିମ ଗ୍ରେଟ ବ୍ରିଟେନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲା । ସେ ସମୟେ ଦେଶର ୩୩ କୋଟି ଜନତା ଉତ୍ଫୁଲିତ ହୋଇଉଠିଥିଲେ । ୧୯୮୦ ପର୍ଯ୍ୟନ୍ତ ଆନ୍ତର୍ଜାତିକ ହକିରେ ଭାରତର ଉପସ୍ଥିତି ସ୍ପଷ୍ଟ ଜାହିର ହେଉଥିବା ଏହାର ସମସ୍ତଙ୍କୁ ଆଚମ୍ବିତ କରିଦେଲା ଭଳି ପ୍ରଦର୍ଶନ ପାଇଁ । ଯେତେବେଳେ ଭାରତୀୟ ହକି ଟିମ ବିଜୟ ଲାଭ କରୁଥିଲା ଏବଂ ଜାତୀୟ ପତାକା ସହ ଜାତୀୟ ସଂଗୀତ ଗୁଂଜରିତ ହେଉଥିଲା କୋଟି କୋଟି ଭାରତୀୟଙ୍କୁ ତାହା ଆହ୍ଲାଦିତ କରୁଥିଲା ।

ଭାରତରେ ହକି ସବୁ କୋଣ ଅନୁକୋଣରେ ବେଶ ପରିଚିତ । ଗାଁ ହେଉ କି ସହର ସବୁଠି ହକିର ଲୋକପ୍ରିୟତା ରହିଛି । ଓଡିଶା, ଝାରଖଣ୍ଡ ଏବଂ ଛତିଗଡର ଆଦିବାସୀ ବହୁଳ ଅଂଚଳରେ ହକି ସାଧାରଣ ଜୀବନ ଯାତ୍ରା ସହ ଜଡିତ । ପ୍ରଥମ ଥର ପାଇଁ ଓଡିଶା ଜାତୀୟ ହକି ଟିମକୁ ଆସନ୍ତା ପାଂଚ ବର୍ଷ ପାଇଁ ମଧ୍ୟ ସ୍ପନସର କରୁଛି ।

ଆସନ୍ତା ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବକପ ହକି ଓଡିଶାରେ ଖେଳାଯିବ । ଏହି ବିଶ୍ବକପ ହକି ଆୟୋଜନର ସମୀକ୍ଷା ସମୟରେ ସେ ହକିକୁ ଜାତୀୟ କ୍ରିଡା ଭାବେ ବିଜ୍ଞପ୍ତି ପ୍ରକାଶ ପାଇନଥିବା ଜାଣିବାକୁ ପାଇଥିଲେ । ଏନେଇ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ହକି ଜାତୀୟ କ୍ରିଡାର ମାନ୍ୟତା ପାଇବାକୁ ହକଦାର ବୋଲି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ଏଥିସହିତ ଏହାହିଁ ବିଶ୍ବ ଦରବାରରେ ଭାରତକୁ ଅନେକ ଗୌରବ ଆଣିଦେଇଥିବା ହକି ତାରକାଙ୍କୁ ଉପଯୁକ୍ତ ସମ୍ମାନ ହେବ ବୋଲି ସେ କହିଛନ୍ତି । ସେହିଭଳି ହକି ଜାତୀୟ କ୍ରିଡାର ମାନ୍ୟତା ପାଇଲେ ଭବିଷ୍ୟତ କ୍ରିଡାପ୍ରେମୀମାନେ ମଧ୍ୟ ଆକର୍ଷିତ ହେବେ ।

Share

Leave a Reply

Your email address will not be published. Required fields are marked *

8 + 19 =