କେନ୍ଦ୍ରକୁ ନବୀନଙ୍କ ସମାଲୋଚନା : ସ୍ବାଧୀନତାର 72 ବର୍ଷ ପରେ ବି ପହଁଚିଲାନି ରେଳ ଲାଇନ

କନ୍ଧମାଳ () ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ, ବୌଧ ଓ ସୋନପୁର ଗସ୍ତରେ ଯାଇ ଏକାଧିକ ନିର୍ବାଚନୀ ସଭାରେ ଯୋଗ ଦେଇ ଦଳର ଉଭୟ ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ କଟୁ ସମାଲୋଚନା କରିବା ସହ ଘନଘନ ଗସ୍ତରେ ଆସୁଥିବା କେନ୍ଦ୍ରୀୟ ନେତାଙ୍କୁ କେତେକ ପ୍ରଶ୍ନ ପଚାରିବାକୁ ଆହ୍ବାନ ଦେଇଛନ୍ତି ।

ସେ କହିଛନ୍ତି ଯେ, କାଳିଆ ଯୋଜନା ସଂପର୍କରେ ସମସ୍ତେ ଜାଣନ୍ତି । ଏହା ହେଉଛି ଛାଷୀ ଭାଇଙ୍କ ଯୋଜନା । କାଳିଆ ଯୋଜନାରେ 40 ଲକ୍ଷ ଚାଷୀ ଉପକାର ପାଇଲେଣି । କିନ୍ତୁ କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ତେବେ ସେ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି କହିଛନ୍ତି ନବୀନ । ବିଜୁ ଜନତା ଦଳ ସରକାର ଗଠନର ପ୍ରଥମ ଦିନରେ ହିଁ ସବୁ ଚାଷୀଙ୍କୁ କାଳିଆ ଯୋଜନାର ଦୁଇଟି କିସ୍ତି ପାଇଁ ଦଶ ହଜାର ଟଙ୍କା ମିଳିବ ବୋଲି ସେ କହିଛନ୍ତି ।

କେନ୍ଦ୍ରକୁ ସମାଲୋଚନା କରିବାକୁ ଯାଇ ସେ କହିଛନ୍ତି ଯେ, ନିର୍ବାଚନ ଆସିଲେ କେନ୍ଦ୍ରର ବଡ ବଡ ନେତାଙ୍କର ଓଡିଶା କଥା ମନେପଡେ । ସେମାନଙ୍କୁ ପଚାରନ୍ତୁ, ହର୍ କ୍ଷେତକୋ ପାନି … କୁଆଡେ ଗଲା? କାହିଁକି ବୀମା କରି ଚାଷୀ ହଇରାଣ ହେବେ ଆଉ କମ୍ପାନୀ ଲାଭବାନ ହେବେ? ଅନସୂଚିତ ଜାତି ଜନଜାତି ପିଲାଙ୍କ ବୃତ୍ତି କାହିଁକି ବନ୍ଦ ହେଲା?

ବୁଣାକାରମାନଙ୍କ ଉପରେ କେନ୍ଦ୍ରର ବିଜେପି ସରକାର ଜିଏସଟି ଲାଗାଇଲା । ବିଜେଡି ସରକାର ଏଥିପାଇଁ ଲଢେଇ କରିଛି । ଏହାପରେ ହସ୍ତତନ୍ତ ଉପରେ ଜିଏସଟି କମିଲା । ମହାନଦୀ ପାଣି ବନ୍ଦ ପାଇଁ ବିଜେପି ଛତିଶଗଡକୁ ସହଯୋଗ କଲା । କିନ୍ତୁ ବିଜେଡି ସରକାର ସୁପ୍ରିମ କୋର୍ଟରେ ନ୍ୟାୟ ଆଣିଲା । କେନ୍ଦ୍ରର ବିଜେପି ନେତାମାନେ ମରୁଡି ହେଲା, ଆସିଲେନି । ବନ୍ୟା ହେଲା, ଆସିଲେନି କି ଟଙ୍କା ଦେଲେନି । ଏବେ ନିର୍ବାଚନ ହେଲା, ଭୋଟ ପାଇଁ ଆସିଗଲେ ବୋଲି ନବୀନ ସମାଲୋଚନା କରି କହିଛନ୍ତି ।

କେନ୍ଦ୍ରର ବିଜେପି ନେତାମାନେ ଏବେ କୁମ୍ଭିର କାନ୍ଦଣା କାନ୍ଦୁଛନ୍ତି । ତାଙ୍କୁ ଆପଣମାନେ ପଚାରନ୍ତୁ, ସ୍ବାଧୀନତାର 72 ବର୍ଷ ପରେ ବି କାହିଁକି ଆପଣଙ୍କ ଜିଲ୍ଲାରେ ରେଳ ପହଁଚିନି? ବିଜେଡି ସରକାର ମାଗଣାରେ ଜମି ଦେଲ, ଟଙ୍କା ବି ଦେଲା, କିନ୍ତୁ ଜିଲ୍ଲାରେ ରେଳ କାହିଁକି ପହଁଚିଲାନି? ଚାଷୀଙ୍କ ପାଇଁ ଗରିବଙ୍କ ପାଇଁ ବୁଣାକାରଙ୍କ ପାଇଁ ଓଡିଶାବାସୀଙ୍କ ପାଇଁ କେନ୍ଦ୍ର ବିଜେପି ସରକାରର ଦରଦ ଏମିତି ବୋଲି ସେ କହିଛନ୍ତି ।

ଏଥର କେନ୍ଦ୍ରର କୌଣସି ଜାତୀୟ ଦଳ ବହୁମତ ପାଇବେନି । କେନ୍ଦ୍ରରେ ସରକାର ଗଠନରେ ଆପଣମାନଙ୍କ ଦଳ ବିଜେଡିର ବଡ ଭୁମିକା ରହିବ ବୋଲି କହିବା ସହ ନବୀନ କହିଥିଲେ ଯେ, ସାଢେ ଚାରିକୋଟି ଓଡିଶାବାସୀ ତାଙ୍କ ପରିବାର । ଶେଷ ନିଶ୍ବାସ ପର୍ଯ୍ୟନ୍ତ ଓଡିଶାବାସୀଙ୍କ ସେବା କରି ଚାଲିବି ବୋଲି କହିଥିଲେ ନବୀନ । ଏଥିସହିତ ସେ ସୋନପୁର, ବୌଦ୍ଧ ଓ କନ୍ଧମାଳବାସୀଙ୍କ ଆର୍ଶିବାଦ ମାଗିଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen + 9 =