ସଂସଦରେ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାକୁ ସମ୍ବୋଧିତ କରିଛନ୍ତି । ସମ୍ବୋଧନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି । ଏହା ସହିତ ଆନ୍ଦୋଳନରତ ଚାଷୀଙ୍କୁ ଅପିଲ କରି କହିଛନ୍ତି, ଏମ.ଏସ.ପି ଥିଲା, ଅଛି ଏବଂ ଆଗକୁ ମଧ୍ୟ ରହିବ । ଚାଷୀମାନେ ବର୍ତ୍ତମାନ ଆନ୍ଦୋଳନକୁ ଶେଷ କରିଦେବା ଉଚିତ ।

କୃଷି ଆଇନକୁ ନେଇ ପିଏମ୍‌ ମୋଦି କହିଛନ୍ତି, ବିରୋଧୀମାନେ ସଂସଦରେ କେବଳ ଆନ୍ଦୋଳନ କଥା କହୁଛନ୍ତି କିନ୍ତୁ ନୂଆ କୃଷି ଆଇନରେ ସଂଶୋଧନକୁ ନେଇ ଚର୍ଚ୍ଚା କରୁନାହାନ୍ତି । ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ମଧ୍ୟ ନୂଆ କୃଷି ଆଇନ ଆଣିଥିଲେ ଏବଂ ସେଥିରେ ସଂଶୋଧନ କରାଯାଇଥିଲା । ସେତେବେଳେ ମଧ୍ୟ ସେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । କିନ୍ତୁ ସେ ପଛକୁ ହଟିନଯାଇ ପରିସ୍ଥିତିର ସାମ୍ନା କରିଥିଲେ ।

ଏହା ସହ ସେ କହିଛନ୍ତି, ‘ଯେକୌଣସି ନୂଆ ଆଇନ ଆସିଲେ ମଧ୍ୟ ପରେ ସେଥିରେ ସଂଶୋଧନ କରାଯାଏ । ବିରୋଧୀମାନେ ଗାଳି ଦେଉଛନ୍ତି ତ ଦିଅନ୍ତୁ କିନ୍ତୁ ଏଥିରେ ସୁଧାର ଆଣିବାକୁ ଦିଅନ୍ତୁ ।’ ଚାଷୀମାନଙ୍କୁ ଭରସା ଦେଇ ମୋଦି କହିଛନ୍ତି ପୁର୍ବରୁ ଏମ.ଏସ.ପି ଥିଲା, ଅଛି ଏବଂ ଆଗକୁ ମଧ୍ୟ ରହିବ । ଦେଶରେ ୮୦ କୋଟି ଲୋକଙ୍କୁ ରାସନ ଦିଆଯାଉଛି ଏବଂ ତାହା ଆଗକୁ ମଧ୍ୟ ଜାରି ରହିବ । ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ପୱାର ସମେତ ଅନେକ କଂଗ୍ରେସ ନେତା କୃଷି ଆଇନରେ ସଂଶୋଧନ ପାଇଁ କହିଛନ୍ତି । ତେଣୁ କୃଷି ଆଇନକୁ ବିରୋଧ ନକରି ସଂଶୋଧନ କରିବା ପାଇଁ ମତାମତ ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି |

Share

Leave a Reply

Your email address will not be published. Required fields are marked *

eleven − ten =