ସନ୍ଥ କବୀରଙ୍କ ସମାଧିରୁ ମୋଦିଙ୍କ ପ୍ରଚାର

ଭୁବନେଶ୍ବର (ନିପ୍ର): କେନ୍ଦ୍ରର କ୍ଷମତାସୀନ ମୋଦି ସରକାର ଉପରେ ଦଳିତ ମତଦାତାମାନେ ଅସନ୍ତୁଷ୍ଟ ହୋଇଛନ୍ତି ବୋଲି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ବିଜେପି ନେତୃତ୍ବକୁ ଚେତାବନୀ ଦେଇ ଏହାର ନିରାକରଣ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲା । ସଂଘର ପରାମର୍ଶକୁ ମାନି ଆଗାମୀ ନିର୍ବାଚନରେ ଦଳିତ ମତଦାତାମାନଙ୍କ ମାନଭଞ୍ଜନ ଦିଗରେ ବିଜେପି ପଦକ୍ଷେପ ଆରମ୍ଭ କରିଛି । ଏଥିପାଇଁ ଉତ୍ତରପ୍ରଦେଶରେ ଦଳିତମାନଙ୍କର ଆଦର୍ଶ ତଥା ସନ୍ଥ କବୀରଙ୍କ ସମାଧି ସ୍ଥଳରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ଆଗାମୀ ନିର୍ବାଚନରେ ପୁଣି କ୍ଷମତାକୁ ଆସିବା ପାଇଁ ଉତ୍ତରପ୍ରଦେଶର ମଗହରଠାରେ ଏକ ଜନସଭାକୁ ସମ୍ବୋଧିତ କରି ଦଳିତ ଓ ମୁସଲମାନ ମତଦାତାମାନଙ୍କୁ ମନାଇବାର ପ୍ରୟାସ କରିବେ ବୋଲି ଚର୍ଚ୍ଚା ହେଉଛି ।

ମଗହରରେ ହେବାକୁ ଥିବା ଏହି ଜନସଭା ପାଇଁ ବିଜେପି ପକ୍ଷରୁ ବହୁ ବିଚାର ବିମର୍ଶ କରି ସ୍ଥାନ ନିରୁପଣ କରାଯାଇଛି । ଗୁରୁବାର ଦିନ ସନ୍ଥ କବୀରଙ୍କ ଜନ୍ମ ଜୟନ୍ତୀ ପଡୁଛି । ସନ୍ଥ କବୀରଙ୍କୁ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକମାନେ ବହୁ ଗୁରୁତ୍ବ ଦେଇଥାନ୍ତି । ୧୫ଶ ଶତାବ୍ଦୀରେ ଏହି ନିର୍ଗୁଣ କବୀ ସନ୍ଥ କବୀର ଧର୍ମ ଓ ଜାତିରୁ ଉର୍ଦ୍ଧ୍ବକୁ ଯାଇ ମାନବ ସମାଜର କଲ୍ୟାଣ ପାଇଁ ପ୍ରୟାସ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସଭାରେ ନିଜ ଅଭିଭାଷଣରେ ସନ୍ଥ କବୀରଙ୍କ ସନ୍ଦେଶ ସହିତ ‘ସବକା ସାଥ, ସବକା ବିକାଶ’ର ମନ୍ତ୍ରକୁ ଯୋଡିବେ ।

ମଗହରଠାରେ ଜନସଭା ପାଇଁ ସ୍ଥାନ ନିରୂପଣ କରି ବିଜେପି ଜୁଲାହା ସମୁଦାୟକୁ ଦଳ ସହିତ ଯୋଡିବା ପାଇଁ ପ୍ରୟାସ ଆରମ୍ଭ କରିଛି । କାରଣ ସନ୍ଥ କବୀର ଏହି ଜୁଲାହା ସମ୍ପ୍ରଦାୟରୁ ଆସିଥିଲେ । ସନ୍ଥ କବୀରଙ୍କ ଗୁରୁ ଥିଲେ ସ୍ବାମୀ ରାମାନନ୍ଦ, ଯିଏକି ବୈଷ୍ଣବ ନାଗା ସମ୍ପ୍ରଦାୟ ସହିତ ଜଡିତ । ଏହି ସମ୍ପ୍ରଦାୟ ବାରାଣାସୀ, ଗୋରଖପୁର, ଚନ୍ଦୌଲୀ ଓ ସନ୍ଥ କବୀର ନଗରରେ ବହୁ ସଂଖ୍ୟାରେ ରହିଛନ୍ତି  ।

Share

Leave a Reply

Your email address will not be published. Required fields are marked *

15 + nine =