ମୋଦି, ରାହୁଲ ଓ ଶିବୁ ସୋରେନଙ୍କ ଭରସା ନାହିଁ !

ଭୁବନେଶ୍ବର (ନିପ୍ର): ଦଳର ସଂଗଠନ କରିବା ଓ ଦଳୀୟ ପ୍ରାର୍ଥୀ ବାଛିବା କ୍ଷେତ୍ରରେ ଓଡିଶାର ନେତାମାନଙ୍କୁ କେନ୍ଦ୍ରୀୟ ନେତାମାନେ ଭରସା କରିପାରୁନାହାନ୍ତି । ଯେଉଁକାମ ସ୍ଥାନୀୟ ନେତାମାନେ କରିବା କଥା ତାକୁ କେନ୍ଦ୍ରୀୟ ନେତାମାନେ ନିଜ ହାତକୁ ନେଇ ନିଜେ କରୁଛନ୍ତି । ଫଳରେ ସ୍ଥାନୀୟ ନେତାମାନେ କର୍ମୀଙ୍କ ପାଖରେ ଅପଦସ୍ତ ହେବା ସହିତ ଅନେକ ସମୟରେ ନିଜକୁ ଅସହାୟ ବୋଲି ପ୍ରକାଶ କରିବାରେ କୁଣ୍ଠା ପ୍ରକାଶ କରୁନାହାନ୍ତି ।

ଏପ୍ରିଲ ୨୦ ତାରିଖରେ ନିରଞ୍ଜନ ପଟ୍ଟନାୟକ ପିସିସ ସଭାପତି ହୋଇଛନ୍ତି । ଦାୟିତ୍ବ ନେବାର ୩ମାସ ବିତିଯାଇଥିଲେ ହେଁ ଅଦ୍ୟାବଧି ପିସିସି ପୁର୍ନଗଠନ କରିପାରୁନାହାନ୍ତି । କାରଣ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କ ଦ୍ବାରା ସୁପାରିଶ କରାଯାଇଥିବା ତାଲିକାକୁ ବିଶ୍ବାସକୁ ନେଇପାରୁନାହାନ୍ତି । ଫଳରେ ପିସିସି ପୁର୍ନଗଠନ ତାଲିକା ପ୍ରକାଶ ପାଇପାରୁନାହିଁ । ରାହୁଲ ଗାନ୍ଧୀ ନିଷ୍ପତ୍ତି ନେବାରେ ବିଳମ୍ବ କରୁଥିବାରୁ ଏହାର କୁପ୍ରଭାବ ସଂଗଠନ ଉପରେ ପଡୁଛି । ସାଧାରଣ ନିର୍ବାଚନ ଆଉ ମାତ୍ର ୮ମାସ ବାକି ରହିଥିବାବେଳେ କଂଗ୍ରେସ କର୍ମୀ ଓ କର୍ମକର୍ତ୍ତାମାନେ ଅବିଶ୍ବାସ ଜ୍ବାଳାରେ ଛଟପଟ ହୋଇ ସଂଗଠନରୁ ମୁହଁ ଫେରାଇନେଲେଣି ।

ଆଗାମୀ ଦିନରେ ଓଡିଶାରେ କ୍ଷମତା ହାସଲ କରିବାର ସ୍ବପ୍ନ ଦେଖୁଥିବା ବିଜେପି ସଂଗଠନରେ ମଧ୍ୟ ସମାନ ଅବସ୍ଥା ଲାଗି ରହିଛି । ରାଜ୍ୟ ସଂଗଠନର ୋନତାମାନେ ନିଜକୁ ଯେତେ କ୍ଷମତାଶାଳୀ ବୋଲି କର୍ମୀମାନଙ୍କ ନିକଟରେ ପ୍ରତିପାଯିତ କଲେ ମଧ୍ୟ କେନ୍ଦ୍ରରେ ସେମାନଙ୍କ କାଟତି ନାହିଁ । ତେଣୁ ଓଡିଶା ବିଜେପିର ନେତାମାନେ ଯେତେ କହିଲେ ମଧ୍ୟ ଲୋକମାନଙ୍କ ଦ୍ବାରା ଗ୍ରହଣୀୟ ହେଉନାହାନ୍ତି । ତେଣୁ ସେମାନଙ୍କର ସାଂଗଠନିକ ପ୍ରସ୍ତାବକୁ କେନ୍ଦ୍ରନେତାମାନେ ଅଗ୍ରାହ୍ୟ କରି ନିଜ ଅନୁସାରେ କରୁଛନ୍ତି ।

ଗତ ପଞ୍ଚାୟତ ନିର୍ବାଚନରେ ସବୁଠାରୁ ବଡ ସଫଳତା ପାଇଥିବା ମୟୁରଭଞ୍ଜ ଜିଲ୍ଲାରେ ବିଜେପିର ସ୍ଥିତି ବଡିବା ପରିବର୍ତେ କମିବାରେ ଲାଗିଛି । ଏହାକୁ କେନ୍ଦ୍ରୀୟ ନେତାମାନେ ଅନୁଧ୍ୟାନ କରି ସୁଧାରିବା ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଆଗାମୀ ଲୋକସଭା ନିର୍ବାଚନରେ ମୋଦିଙ୍କ ଖାସ ଆଇଏସ ଅଫିସର ଗିରିଶ ଚନ୍ଦ୍ର ମୁର୍ମୁ ବିଜେପି ପ୍ରାର୍ଥୀ ହେବେ ବୋଲି ସ୍ଥିର ହୋଇଥିବା ଦଳୀୟ ମହଲରେ ଆଲୋଚନା ହେଉଛି । ଗିରିଶ ଚନ୍ଦ୍ର ମୁର୍ମୁ ଗୁଜରାଟରୁ ଆରମ୍ଭ କରି ପିଏମଓ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖାସ ଅଫିସର ତାଲିକାରେ ରହିଛନ୍ତି । ତାଙ୍କ ଘର ମୟୁରଭଞ୍ଜ ଜିଲ୍ଲାର ବାରିପଦା ବ୍ଳକରେ । ଶ୍ରୀ ମୁର୍ମୁ ଆଗାମୀ ନଭେମ୍ବର ମାସରେ ଚାକିରୀରୁ ଅବସର ଗ୍ରହଣ କରିବା ପରେ ବିଜେପି କାମରେ ଲାଗିବେ ବୋଲି ମୋଦି ସ୍ଥିର କରିଛନ୍ତି । ଏଥିରେ ରାଜ୍ୟ ନେତାମାନଙ୍କର କୌଣସି ଭୂମିକା ନଥିବା ଜଣାପଡିଛି ।

ସେହିପରି ଜେଏମଏମ ଦ୍ବାରା ନେତା ହୋଇ ବିଧାୟକ ଓ ସାଂସଦ ହୋଇଥିବା ସୁଦାମ ମାରାଣ୍ଡି ଦଳବଳ ଧରି ୨୦୧୪ରେ ବିଜେଡିରେ ଯୋଗ ଦେଇଥିଲେ । ଏହା ପରେ ଜେଏମଏମ ରାଜ୍ୟରେ ମୂଳପୋଛ ହୋଇଯାଇଛି । ତେଣୁ ଓଡିଶାର ନେତାମାନଙ୍କୁ ଜେଏମଏମର ପ୍ରତିଷ୍ଠାତା ଶିବୁ ସୋରେନ ଆଉ ବିଶ୍ବାସକୁ ନେଉନାହାଁନ୍ତି । ଆଗାମୀ ନିର୍ବାଚନରେ ଓଡିଶାରେ ଜେଏମଏମର ହୃତ ଗୌରବକୁ ଫେରାଇ ଆଣିବାକୁ ମୟୁରଭଞ୍ଜରେ ବିବାହ କରିଥିବା ନିଜ ଝିଅ ଅଞ୍ଜନୀ ସୋରେନଙ୍କ ମାଧ୍ୟମରେ ଯୋଜନା କରିଛନ୍ତି । ତେଣୁ ଆଗାମୀ ନିର୍ବାଚନରେ ଅଞ୍ଜନୀ ମୟୁରଭଞ୍ଜ ଲୋକସଭା ଆସନରୁ ଜେଏମଏମ ପ୍ରାର୍ଥୀ ହେବେ ବୋଲି ଶିବୁ ସୋରେନ ସ୍ଥିର କରି ଘୋଷଣା କରିସାରିଲେଣି ।

Share

Leave a Reply

Your email address will not be published. Required fields are marked *

twelve + 17 =