ପଶ୍ଚିମବଙ୍ଗକୁ ୧ ହଜାର କୋଟି ଟଙ୍କାର ସହାୟତା

ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ଆତ୍ମୟୀଙ୍କୁ ୨ ଲକ୍ଷ

ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗ ପରିଦର୍ଶନ କରି ବାତ୍ୟା ଅମ୍ଫନ ଯୋଗୁ ହୋଇଥିବା ପରିସ୍ଥିତିର ସମୀକ୍ଷା କରିଛନ୍ତି । ତାଙ୍କର ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ, ପ୍ରତାପ ଷଢ଼ଙ୍ଗୀ, ଶ୍ରୀମତୀ ଦେବଶ୍ରୀ ଚୌଧୁରୀ ଉପସ୍ଥିତ ଥିଲେ । ପୂର୍ବରୁ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନକଡ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକାଶମାର୍ଗରୁ ପଶ୍ଚିମବଙ୍ଗର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ । ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ରାଜ୍ୟରେ ନିଆଯିବାକୁ ଥିବା ରିଲିଫ ଓ ପୁନର୍ବାସ କାର‌୍ୟ୍ୟକ୍ରମର ସମୀକ୍ଷା କରାଯାଇଥିଲା । ପଶ୍ଚିମବଙ୍ଗରେ ତୁରନ୍ତ ରିଲିଫ କାର‌୍ୟ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଧାନମନ୍ତ୍ରୀ ୧ ହଜାର କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ ।

ରାଜ୍ୟ ସରକାରଙ୍କଠାରୁ ସହାୟତା ସଂକ୍ରାନ୍ତ ବିଧିବଦ୍ଧ ପତ୍ର ପାଇବା ପରେ କେନ୍ଦ୍ର ସରକାର ରାଜ୍ୟକୁ ଏକ ଆନ୍ତଃସଚିବସ୍ତରୀୟ ଦଳ ପଠାଇ କ୍ଷୟକ୍ଷତିର ଆକଳନ କରିବା ସହ ଅଧିକ ସହାୟତା ପ୍ରଦାନ କରିବେ ବୋଲି ସେ କହିଛନ୍ତି ।

ଏହି ପ୍ରାକୃତିକ ଦୁର୍ବିପାକ ଯୋଗୁ ନିଜର ଆତ୍ମୀୟସୃଜନ ହରାଇଥିବା ପରିବାରଗୁଡିକ ପ୍ରତି ସମବେଦନା ବ୍ୟକ୍ତ କରିବା ସହ ସମଗ୍ର ଦେଶ ପଶ୍ଚିମବଙ୍ଗ ସହିତ ଏପରି ସ୍ଥିତିରେ ରହିଛି ବୋଲି ସେ କହିଥିଲେ । ମୃତ ବ୍ୟକ୍ତିଙ୍କ ଆତ୍ମୀୟଙ୍କୁ ୨ ଲକ୍ଷ ଓ ଗୁରୁତର ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ କାନ୍ଧକୁ କାନ୍ଧ ମିଳାଇ କାମ କରିବେ ଓ କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନରୁଦ୍ଧାର ଓ ଭିତ୍ତିଭୂମିର ପୁର୍ନଗଠନ ପାଇଁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଏହା ପଶ୍ଚିମବଙ୍ଗକୁ ପ୍ରଧାନମନ୍ତ୍ରୀଙ୍କର ଚଳିତ ବର୍ଷର ତୃତୀୟ ଗସ୍ତ । କେବଳ ଉତ୍ତରପ୍ରଦେଶକୁ ସେ ଏକାଧିକବାର ଗସ୍ତ କରିଛନ୍ତି । ଗତ ଜାନୁଆରୀ ୧୧, ୧୨ରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଗସ୍ତ କରି କୋଲକାତା ବନ୍ଦରର ୧୫୦ତମ ବାର୍ଷିକୋତ୍ସବରେ ଯୋଗ ଦେଇ ୪ଟି ଐତିହ୍ୟସଂପନ୍ନ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ବେଲ୍ଲୁର ମଠ ମଧ୍ୟ ପରିଦର୍ଶନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

1 × four =