ଆଜିଠାରୁ ଭଙ୍ଗା ହେବ ୪୦ ବିଧାୟକଙ୍କ କ୍ବାଟର

ଭୁବନେଶ୍ୱର() ଆଜିଠାରୁ ଭଙ୍ଗା ହେବ ବିଧାନସଭା ପାର୍ଶ୍ବରେ ଥିବା ବିଧାୟକଙ୍କ କ୍ୱାଟର୍ସ । ୪୦ ଜଣ ବିଧାୟକଙ୍କ କ୍ବାଟର ଭଙ୍ଗା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ଏପର୍ୟ୍ୟନ୍ତ ୨୪ଜଣ ବିଧାୟକ ନିଜର କ୍ବାର୍ଟର୍ସ ଖାଲି କରିସାରିଛନ୍ତି । ଅନ୍ୟ ବିଧାୟକ ମାନଙ୍କ ପାଖକୁ ତୁରନ୍ତ କ୍ବାର୍ଟର ଖାଲି କରିବାକୁ ନିର୍ଦ୍ଦେଶନାମା ଯାଇଥିବା ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ଟାୱାର ଗୁଡ଼ିକରେ ଏକାଧିକ ୯ ଓ ୧୦ ମହଲା କୋଠା ତିଆରି ହେବ । ନୂତନ ବିଧାୟକ କଲୋନିରେ ବିଧାୟକଙ୍କୁ ୭ଟି କୋଠରି ବିଶିଷ୍ଟ ଘର ଯୋଗାଇ ଦିଆଯିବ । କଲୋନିରେ ପାର୍କିଂ ସୁବିଧା ସହିତ ସନ୍ତରଣାଗାର, ଆମୋଦ ବିନୋଦନ ହଲ୍, ଜିମ୍ ଆଦି ରଖିବାକୁ ନିଷ୍ପତ୍ତି ହୋଇଛି । ବର୍ଷକ ଭିତରେ ନୂତନ ବିଧାୟକ କଲୋନି ନିର୍ମାଣ ସମ୍ପୂର୍ଣ୍ଣ ହେବ ବୋଲି ବୈଠକରେ ସ୍ଥିର କରାଯାଇଛି ।

ସବୁ ବ୍ଲକର ଅଣ୍ଡର୍ ଗ୍ରାଉଣ୍ଡରେ ସୁଇମିଂ ପୁଲ୍, ଜିମ୍, କାର୍ ପାର୍କିଂ, ଡ୍ରାଇଭରମାନଙ୍କ ପାଇଁ ବିଶ୍ରାମ କକ୍ଷ କରାଯିବ। ଉପର ମହଲାରେ ବିଧାୟକମାନଙ୍କ ପାଇଁ ଫ୍ଲାଟ୍ ନିର୍ମାଣ କରାଯିବ। ପ୍ରତ୍ୟେକ ବିଧାୟକଙ୍କୁ ୭ଟି କୋଠରି ବିଶିଷ୍ଟ କ୍ବାର୍ଟର୍ସ ଯୋଗାଇଦିଆଯିବ। ନିର୍ମାଣ ହେବାକୁ ଥିବା ୧୫୦ଟି କ୍ବାର୍ଟର୍ସରୁ ୧୦୫ଟି ବିଧାୟକମାନଙ୍କ ରହଣି ପାଇଁ ଯୋଗାଇ ଦିଆଯିବ। ବାକି କ୍ବାର୍ଟର୍ସକୁ ଅତିଥିମାନଙ୍କ ପାଇଁ ସଂରକ୍ଷଣ ରଖାଯିବ । ଖାଲି ସେତିକି ନୁହେଁ, ଟେନିସ୍ କୋର୍ଟ ଓ ବ୍ୟାଡ ମିଣ୍ଟନ ଖେଳିବା ପାଇଁ ମଧ୍ୟ ସୁବିଧା ଉପଲବ୍ଧ କରାଯିବ ବୋଲି ବାଚସ୍ପତି କହିଛନ୍ତି। ଏଥିପାଇଁ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଓଡ଼ିଶା ବ୍ରିଜ୍ ଆଣ୍ଡ୍ କନଷ୍ଟ୍ରକସନ୍ ନିଗମ ଲମିଟେଡ଼ (ଓବିସିସି)କୁ ଦାୟିତ୍ବ ଦିଆଯାଇଛି । ଆସନ୍ତା ବର୍ଷକ ଭିତରେ ନୂତନ ଏମ୍ଏଲ୍ଏ କଲୋନି ନିର୍ମାଣ କାର୍ୟ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡ଼ିଲେ ଆଉ ୬ ମାସ ସମୟ ଦିଆଯିବ । ପୁରୁଣା କଲୋନିରେ ଥିବା ପୁଲିସ ଷ୍ଟେସନ୍, ପୋଷ୍ଟ୍ ଅଫିସ, ରେଳ ବୁକିଂ ଅଫିସକୁ ଭଙ୍ଗାଯାଇ ସେ ସ୍ଥାନରେ ନୂଆ କରି ସେସବୁ ନିର୍ମାଣ କରାଯିବ ।

Share

Leave a Reply

Your email address will not be published. Required fields are marked *

5 − 4 =