ରାଜ୍ୟ ବିଜେପିରେ ମିର ଜାଫର ଓ ମିର କାସିମ …

ଭୁବନେଶ୍ବର () ନିକଟରେ ଶେଷ ହୋଇଥିବା ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେପି କଡା ଟକ୍କର ଦେଇଥିଲେ ବି ଆଭ୍ୟନ୍ତରୀଣ କନ୍ଦଳ ଏବଂ ଗୋଷ୍ଠି ବିବାଦ ଯୋଗୁଁ ରାଜ୍ୟ ବିଜେପିର ଅବସ୍ଥା ଗୋଦରା କୋଡେ ଯେତେ ମାଡେ ସେତେ ଭଳି ହୋଇଛି । ଏହି ସମସ୍ୟା କେବଳ ରାଜ୍ୟ ସ୍ତରରେ ଦେଖାଦେଇନି, ଏହାର ପ୍ରଭାବ ତୃଣମୂଳ ସ୍ତରକୁ ମଧ୍ୟ ସଂପ୍ରସାରିତ ହୋଇଛି ।

ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ଭଳି ବରିଷ୍ଠ ନେତାମାନେ ଏହାକୁ ଖୋଲାଖୋଲି ସ୍ବୀକାର କରିଛନ୍ତି । ଦଳ ମଧ୍ୟରେ ଗୋଷ୍ଠିଗତ ମନାନ୍ତର ଏବଂ କାଦୁଆ ଫିଙ୍ଗା ଯୋଗୁଁ ଦଳ ବହୁ ଆସନରେ ବିଜୟ ସମ୍ଭାବନାରୁ ଦୂରେଇ ଯାଇଛି । ସେ ନିଜେ ମଧ୍ୟ ଏହାର ଶିକାର ହୋଇଥିବା ଗଣମାଧ୍ୟମରେ ସ୍ବୀକାର କରିଛନ୍ତି । ସେ ଏଥର ବ୍ରଜରାଜନଗରରୁ 11ହଜାର ଭୋଟ ବ୍ୟବଧାନରେ ହାରିଛନ୍ତି ।

ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ମିଶନ 120ର ନାରା ଦେଇ ବିଜେପି ନିର୍ବାଚନ ମୈଇଦାନକୁ ଓହ୍ଲାଇଥିଲେ ମଧ୍ୟ ଏହି କାରଣରୁ ଦଳ ଯଦିଓ 8ଟି ଲୋକସଭା ଆସନ ଦଖଲ କରିଛି, ବିଧାନସଭାରେ କିନ୍ତୁ ସେହି ଅନୁପାତରେ ଆସନ ଜିତିପାରିଲାନାହିଁ । ମାତ୍ର 23ଟି ବିଧାନସଭା ଦଖଲ କରିବାକୁ ସକ୍ଷମ ହୋଇଛି ବିଜେପି ।

ଦଳର ଅଗ୍ନିବର୍ଷୀ ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ ନିକଟରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଏହାର ସଙ୍କେତ ଦେଇ କହିଥିଲେ ଯେ, ରାଜ୍ୟ ବିଜେପିରେ କିଛି ମିର ଜାଫର ଓ ମିର କାସିମଙ୍କ ପରି ବିଶ୍ବାସଘାତକ ଅଛନ୍ତି । ତେବେ ସେହି ବିଶ୍ବାସଘାତକମାନେ ସେମାନଙ୍କ ଦଶା ଭୋଗିବେ ବୋଲି ମଧ୍ୟ ସେ ଚେତାଇ ଦେଇଥିଲେ ।

ରାଜ୍ୟ ବିଜେପିରେ ଏଭଳି ଶହ ଶହ ମିର ଜାଫର ଓ ମିର କାସିମ ଅଛନ୍ତି । ଦଳର ରାଜ୍ୟ ନେତୃତ୍ବ ମଧ୍ୟରେ ଆଭ୍ୟନ୍ତରିଣ ବିବାଦ ରହିଥିବା ଜଣେ ରାଜ୍ୟସ୍ତରୀ ନେତା ନିଜ ନାମ ଗୋପନ ରଖି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଦଳର ରାଜ୍ୟ ସ୍ତରର ନେତାଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ବିବାଦ ରହିବ ସେତେବେଳେ ଏହାର ପ୍ରତିଫଳନ ତୃଣମୂଳ ସ୍ତର ପର୍ଯ୍ୟନ୍ତ ପ୍ରତିଫଳତି ହେବା ସ୍ବାଭାବିକ । ଏହାଦ୍ବାରା ବିଜେପି ମଣ୍ଡଳ ଓ ଜିଲ୍ଲା ସ୍ତରରେ କ୍ଷତିଗ୍ରସ୍ତ ହେଉଛି ।

କୁଚିଣ୍ଡା ବିଜେପି ପ୍ରାର୍ଥୀ ରବି ନାୟକ, ରଣପୁର ପ୍ରାର୍ଥୀ ସୁରମା ପାଢୀ, ବିଶ୍ବରଂଜନ ମଲ୍ଲିକ, ଅମର ନାୟକଙ୍କ ଭଳି ବରିଷ୍ଠ ଓ ଅନୁଭବୀ ନେତାମାନେ ନିଜ ପରାଜୟ ପାଇଁ ଦଳ ମଧ୍ୟରେ ଥିବା ଆଭ୍ୟନ୍ତରିଣ କନ୍ଦଳ ଏବଂ ବିଶ୍ବାସଘାତକଙ୍କୁ ଦାୟୀ କରିଛନ୍ତି ।

ନିଟକରେ ଭୁବନେଶ୍ବରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅପରାଜିତା ଷଢଙ୍ଗୀ, ସୁରେଶ ପୂଜାରୀ ଓ ଜୁଏଲ ଓରାମଙ୍କ ଅନୁପସ୍ଥିତି ଏହି ନିଆଁରେ ଅଧିକ ଘିଅ ଢାଳିଛି । ଏଥିରୁ ସଙ୍କେତ ମିଳୁଛି ଯେ, ରାଜ୍ୟ ବିଜେପିରେ ସବୁ କିଛି ଠିକଠାକ ଚାଲୁନାହିଁ । ଅପରାଜିତା ଏଥର ପ୍ରଥମ ଥର ପାଇଁ ରାଜନୀତିକୁ ପ୍ରବେଶ କରି ସଫଳତା ପାଇଥିଲେ ବି ସେ ମନ୍ତ୍ରୀପଦ ରେସରେ ଜଣେ ଆଗ ଧାଡିର ଆଶାୟୀ ଥିଲେ । ଏବଂ ତାଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମଧ୍ୟ ଭଲ ସମ୍ପର୍କ ରହିଛି । ତାଙ୍କ ସମର୍ଥକଙ୍କ ମତରେ ଅପରାଜିତାଙ୍କୁ ମନ୍ତ୍ରୀପଦ ମିଳିବା ରାସ୍ତାରେ ସବୁଠାରୁ ବଡ ବାଧକ ଭାବେ ଛିଡା ହୋଇଥିଲେ ଧର୍ମେନ୍ଦ୍ର ପ୍ରଧାନ ।

ଦଳର କିଛି ନେତାଙ୍କ କହିବା ଅନୁଯାୟୀ ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଢଙ୍ଗୀ ମଧ୍ୟରେ ଦଳ ଭିତରେ ଖୋଲାଖୋଲି ଲଢେଇ ଚାଲିଛି । ଏକଥ ଦଳର ନେତା ଓ କର୍ମୀମାନେ ଅନୁଭବ କରିସାରିଲେଣି । ଆଭ୍ୟନ୍ତରୀଣ କନ୍ଦଳ, ଗୋଷ୍ଠି ବିବାଦ ଓ ବିଶ୍ବାସଘାତକତା ସମସ୍ୟାରେ ଜୁଝି ହେଉଥିବା ରାଜ୍ୟ ବିଜେପିକୁ ପୁଣି ଥରେ ଧର୍ମେନ୍ଦ୍ର 120 ମିଶନର ନାରା ଦେଉଛି । ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ କନ୍ଦଳ ଦୂର ନହେଲେ ମିଶନ 120ତ ଦୂରର କଥା, ବିଜେପି ଆଗାମୀ ଦିନରେ ଓଡିଶା ବିଧାନସଭାରେ ଦୁଇ ଅଙ୍କ ଛୁଇଁବ ନାହିଁ ।

Share

Leave a Reply

Your email address will not be published. Required fields are marked *

17 + ten =