ଆତଙ୍କବାଦୀଙ୍କ ବିରୋଧରେ ବଡ ଅଭିଯାନ

ନୂଆଦିଲ୍ଲୀ (): ଜାମ୍ମୁ-କାଶ୍ମୀରରେ ମେଣ୍ଟ ସରକାର ଭାଙ୍ଗିବା ପରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ଆତଙ୍କବାଦୀଙ୍କ ମୂଳପୋଛ କରିବା ପାଇଁ ସେନା ତତ୍ପର ହୋଇଉଠିଛି । ଆଜି ବିଚ୍ଛିନ୍ନତାବାଦୀଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବାବେଳେ ସେନା କାର୍ଯ୍ୟାନୁଷ୍ଠାନ ସ୍ବରୂପ ନେତାଙ୍କୁ ଗିରଫ କରିଛି । ସେପଟେ ବଡଧରଣର ଅପରେସନ୍ ପାଇଁ ଏନ୍ଏସଜି କମାଣ୍ଡୋ ମୁତୟନ ହୋଇଥିବାବେଳେ ରାଜ୍ୟପାଳ ସର୍ବଦଳୀୟ ଆସନ୍ତାକାଲି ବୈଠକ ଡାକିଛନ୍ତି ।

କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଏକ ବଡ଼ଧରଣର ଅଭିଯାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପ୍ରଥମ ପଦକ୍ଷେପ ସ୍ବରୁପ ଜାମ୍ମୁ କାଶ୍ମୀରରେ ଏନ୍ଏସଜି କମାଣ୍ଡୋ ମୁତୟନ କରାଯାଇଛି ଓ ବିଚ୍ଛିନ୍ନତାବାଦୀ ନେତାଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଗୁରୁବାର ସକାଳେ ଜାମ୍ମୁ କାଶ୍ମୀର ଲିବରେସନ୍ ପ୍ରଣ୍ଟ (ଜେକେଏଲଏଫ) ମୁଖ୍ୟ ୟାସିନ ମଲ୍ଲିକଙ୍କୁ ଗିରଫ କରାଯାଇଛି ଓ ହୁରିୟାତ କନଫରେନ୍ସ ନେତା ମିରୱେଜ ଉମର ଫାରୁକଙ୍କୁ ଗୃହବନ୍ଦୀ କରି ରଖାଯାଇଛି । ଜାମ୍ମୁ କାଶ୍ମୀରରେ ବିଚ୍ଛିନ୍ନତାବାଦୀ ନେତାଙ୍କ ବିରୋଧ ପ୍ରଦର୍ଶନକୁ ଅଟକାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । ପିଡିପି-ବିଜେପି ମେଣ୍ଟ ସରକାର ଭାଙ୍ଗିବା ପରେ ବୁଧବାରଠାରୁ ଜାମ୍ମୁ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହୋଇଛି । ସୀମାରେ ପ୍ରଥମ ଥର ଏନ୍ଏସଜି କମାଣ୍ଡୋଙ୍କୁ ମୁତୟନ କରାଯାଇଛି । ଏନ୍ଏସଜି ଏବଂ ବିଏସ୍ଏଫ ଯବାନ ମିଳିତ ଭାବେ ଆତଙ୍କବାଦୀ ବିରୋଧୀ ଅଭିଯାନରେ ସାମିଲ ହେବେ ।

ସେପଟେ ରାଜ୍ୟପାଳ ଏନଏନ ଭୋରା ଆସନ୍ତା କାଲି ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି  । ଏଥିରେ ରାଜ୍ୟର ସାଂପ୍ରତିକ ସ୍ଥିତି ସମ୍ପର୍କରେ ଆଲୋଚନା ହେବା ସହ ସ୍ଥିତିକୁ ସ୍ବାଭାବିକ କରିବାକୁ ସେ ସମସ୍ତଙ୍କ ସହଯୋଗ ଲୋଡିବାର ସମ୍ଭାବନା ରହିଛି  । ଏହି ବୈଠକ ସମ୍ପର୍କରେ ରାଜ୍ୟ ସରକାରଙ୍କ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି  । ବୈଠକକୁ ପିଡିପି, ନ୍ୟାସନାଲ କନଫରେନ୍ସ, ପାନ୍ଥର୍ସପାର୍ଟି, କଂଗ୍ରେସ, ବିଜେପି ଆଦି ଦଳଙ୍କୁ ଡକାଯାଇଛି । କାଶ୍ମୀରରେ ସରକାର ଭାଙ୍ଗିବା ପରେ ଏବେ ରାଜ୍ୟପାଳ ଶାସନ ଚାଲିଛି । ରାଜ୍ୟରେ ଏକ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ରାଜ୍ୟପାଳ ଶାସନ ଚାଲିବ । ଇତି ମଧ୍ୟରେ ରାଜ୍ୟପାଳ ବରିଷ୍ଠ ଆଇପିଏସ ତଥା ଆତଙ୍କବାଦ ବିରୋଧୀ ଅପରେସନରେ ଅଭିଜ୍ଞ ଅଫିସର ବିଜୟ କୁମାରଙ୍କୁ ନିଜର ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି । ଏହା ସହିତ ବିବି ବ୍ୟାସଙ୍କୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ଦିଆଯାଇଛି ।

ସୂଚନା ଅନୁସାରେ ସୁରକ୍ଷା ବାହିନୀ ଆତଙ୍କବାଦ ନିରୋଧୀ ଅଭିଯାନକୁ ତ୍ବରାନ୍ବିତ କରିବା ଉଦ୍ଦେଶ୍ୟରେ କାଶ୍ମୀର ଘାଟିରେ ସକ୍ରିୟ ୧୮୦ ଜଣ ପ୍ରମୁଖ ଆତଙ୍କବାଦୀଙ୍କ ତାଲିକା ପ୍ରସ୍ତୁତ କରିଛି । ଏହି ଆତଙ୍କବାଦୀମାନଙ୍କ ମଧ୍ୟରୁ ୧୦୭ ଜଣ ହିଜବୁଲ ମୁଜାହିଦ୍ଦିନ ସହିତ ସମ୍ପୃକ୍ତ ବୋଲି ଜଣାପଡିଛି ।ଏଥିସହ ତାଲିକାରେ ୫୦ ଜଣ ସୀମାପାର ଆତଙ୍କବାଦୀଙ୍କ ନାମ ମଧ୍ୟ ରହିଛି । ଏତଦ୍ଭିନ୍ନ ୪୦ ଜଣ ନୂତନ ଆତଙ୍କବାଦୀଙ୍କ ସମ୍ପର୍କରେ ସୁରକ୍ଷା ବାହିନୀକୁ ସୂଚନା ମିଳିଛି । ଏହି ଆତଙ୍କବାଦୀମାନେ ରାମଜାନ୍ ମାସରେ ଆତଙ୍କବାଦ ଚଳାଇଥିଲେ । ସୁରକ୍ଷା ବାହିନୀ ଏହାର “ଅପରେସନ୍ ଅଲ୍-ଆଉଟ୍’ କ୍ରମେ ଏହି ୧୮୦ ଜଣ ଆତଙ୍କବାଦୀଙ୍କୁ ଠାବ କରିବା ଲାଗି ବ୍ୟାପକ ଅନୁସନ୍ଧାନ ଆରମ୍ଭ କରିଛି । ଏମାନଙ୍କୁ ନିପାତ କରିବା ଲାଗି ସେନା ପକ୍ଷରୁ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଯୋଜନା କ୍ରମେ ଦକ୍ଷିଣ ଏବଂ ଉତ୍ତର କାଶ୍ମୀରରେ ଲୁଚି ରହିଥିବା ଆତଙ୍କବାଦୀମାନଙ୍କ ଅନୁସନ୍ଧାନ ଅ ।ରମ୍ଭ ହୋଇଛି । ସେହିଭଳି ଆତଙ୍କବାଦୀଙ୍କ କଥାରେ ପ୍ରଭାବିତ ହୋଇ ଆତଙ୍କବାଦର ପଥ ଅବଲମ୍ବନ କରିଥିବା କାଶ୍ମୀର ଯୁବପିଢିକୁ ସୁରକ୍ଷାବାହିନୀ ପୁନଃ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାର ଉଦ୍ୟମ କରୁଛି ।

ଗୁରୁବାର ଦିନ ବିଚ୍ଛିନ୍ନତାବାଦୀମାନେ ବନ୍ଦ ଡାକରା ଦେଇଥିବାରୁ କଶ୍ମୀର ଉପତ୍ୟକାରେ ଜୀବନଯାତ୍ରା ବ୍ୟାହତ ହୋଇଛି । ବିଚ୍ଛିନ୍ନତାବାଦୀ ସଙ୍ଗଠନଗୁଡ଼ିକୁ ଏକତ୍ର କରିଥିବା “ଦି ଜଏଣ୍ଟ୍ ରେଜିଷ୍ଟାନ୍ସ୍ ଲିଡରସିପ୍’ ନାମକ ସଂଗଠନର ସୟେଦ୍ ଅଲି ଗୀଲାନି ଏବଂ ମହମ୍ମଦ ୟାସିନ୍ ମାଲିକ ଆଦି ନେତୃବୃନ୍ଦ ବରିଷ୍ଠ ସାମ୍ବାଦିକ ଶୁଜାତ ବୁଖାରିଙ୍କ ହତ୍ୟା ଓ କଶ୍ମୀରରେ ସାଧାରଣ ନାଗରିକଙ୍କ ହତ୍ୟା ବିରୋଧରେ ପ୍ରତିବାଦ ପ୍ରଦର୍ଶନ ପୂର୍ବକ ବନ୍ଦ ଡାକରା ଦେଇଛନ୍ତି । ଜୁନ୍ ୧୪ ତାରିଖ ଦିନ ଶ୍ରୀନଗର ଠାରେ ଥିବା ପ୍ରେସ୍ ଏନ୍କ୍ଲାଭ୍ ଠାରେ ବୁଖାରି ଓ ତାଙ୍କର ଦୁଇ ନିରାପତ୍ତା ରକ୍ଷୀଙ୍କୁ ହତ୍ୟା କରାଯାଇଥିଲା । ଅଧିକାଂଶ ସ୍ଥାନରେ ଦୋକାନ, ସାର୍ବଜନୀନ ପରିବହନ, ଅନ୍ୟାନ୍ୟ ବାଣିଜ୍ୟ ଏବଂ ଶିକ୍ଷାନୁଷ୍ଠାନ ଆଦି ବନ୍ଦ ରହିଥିବା ବେଳେ ପରିବହନ ସୁବିଧା ନ ଥିବାରୁ ବ୍ୟାଙ୍କ୍, ଡାକଘର ଏବଂ ସରକାରୀ ଅଫିସ୍ ଆଦିରେ ଜନଗହଳି କମ୍ ରହିଛି । ଶ୍ରୀନଗର ଉପନଗରୀରେ କିନ୍ତୁ, ଘରୋଇ ଯାନବାହନ ଏବଂ କେତେକ ତିନି ଚକିଆ ଯାନ ଆଦି ଚଳାଚଳ କରୁଛି । କଶ୍ମୀର ଉପତ୍ୟକାର ଅନ୍ୟାନ୍ୟ ସହରଗୁଡ଼ିକରେ ସାଧାରଣ ଜୀବନ ପ୍ରଭାବିତ ହୋଇଥିବାର ଖବର ମିଳିଛି । ରେଳ ଚଳାଚଳ ମଧ୍ୟ ବନ୍ଦ ରଖାଯାଇଛି ।

ଶ୍ରୀନଗର-ଜମ୍ମୁ ରାଜମାର୍ଗରେ ଗଲାନ୍ଦର ନିକଟରେ ପୋଲିସ ଗାଡି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି  । ଏଥିରେ ଜଣେ ସୁରକ୍ଷାକର୍ମୀ ପ୍ରାଣ ହରାଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି  । ପଂପୋର ଅଂଚଳରେ ଭାରତୀୟ ରିଜର୍ଭ ପୁଲିସର ଗାଡି ଉପରେ ମନଇଚ୍ଛା ଗୁଳି ଚଳାଇଥିଲେ  । ଏଥିରେ ଜଣେ କନଷ୍ଟବଳ ଆହତ ହୋଇଥିଲେ । ପରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି  ।

Share

Leave a Reply

Your email address will not be published. Required fields are marked *

four × 2 =