‘କେନ୍ଦ୍ରାପଡା ଭାବି’ ହେଲେ ପାଟକୁରାରୁ ପ୍ରାର୍ଥୀ

ଭୁବନେଶ୍ବର () ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ପରେ କିଏ ହେବ ପ୍ରାର୍ଥୀ ତାକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ବେଦୁଙ୍କ ବିଧବା ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ବିଜେଡି ପ୍ରାର୍ଥୀ କରିଛି । ତାଙ୍କୁ ପ୍ରାର୍ଥୀ କରାଯିବା ନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ।

କେନ୍ଦ୍ରାପଡା ଜିଲ୍ଲାରେ ବେଦୁଙ୍କ ପତ୍ନୀ ଭାବି ଭାବେ ସୁପରିଚିତ । ତେଣୁ ତାଙ୍କୁ ପ୍ରାର୍ଥୀ କରି ବିଜେଡି ଅନୁକମ୍ପା ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଛି । ତାଙ୍କ ନାମ ଘୋଷଣା ସମୟରେ ସାବିତ୍ରୀ ନିଜେ ନବୀନ ନିବାସରେ ଉପସ୍ଥିତ ଥିଲେ । ବେଦୁଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ପୁଅ ସଂଜୟ କୁମାର ଅଗ୍ରୱାଲଙ୍କୁ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ଚାଲିଥିଲା  । କିନ୍ତୁ ଦଳୀୟ ଆକଳନ ଅନୁଯାୟୀ ବେଦୁଙ୍କ ପୁଅଙ୍କ ବଦଳରେ ବିଧବା ପତ୍ନୀଙ୍କ ଲୋକପ୍ରିୟତା ଅଧିକ । ଏହିଦୃଷ୍ଟିରୁ ତାଙ୍କୁ ପ୍ରାର୍ଥୀ କରିଛନ୍ତି ନବୀନ ।

ବେଦପ୍ରକାଶ କେନ୍ଦ୍ରାପଡା ଜିଲ୍ଲା ରାଜନୀତିରେ ଥିଲେ ଜଣେ ବରିଷ୍ଠ ଓ ଅନୁଭବୀ ନେତା । ସେ 70 ଦଶକରୁ କେନ୍ଦ୍ରାପଡା ଓ ପାଟକୁରା ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ବ କରି ଆସୁଥିଲେ । ଏଥର ମଧ୍ୟ ସେ ଚାରି ଥର କେନ୍ଦ୍ରାପଡା ଓ ଦୁଇ ଥର ପାଟକୁରାରୁ ବିଧାୟକ ଭାବେ ଜିତିଥିଲେ । ଉତ୍କଳ କଂଗ୍ରେସରୁ ରାଜନୀତି ଆରମ୍ଭ କରିଥିବା ବେଦ ପ୍ରକାଶ ପରବର୍ତ୍ତି ସମୟରେ ବିଜୁ ବାବୁଙ୍କ ସହ ରାଜନୀତି କରି ସେ ତାଙ୍କର ଅତ୍ୟନ୍ତ ଘନିଷ୍ଟ ହୋଇଥିଲେ ଓ ରାଜ୍ୟ ଅର୍ଥମନ୍ତ୍ରୀ ଭାବେ ଦୀର୍ଘ ଦିନ ଧରି ଦାୟିତ୍ବରେ ଥିଲେ । 2000 ମସିହାରେ ସେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ । ପରେ ପୁଣି ଥରେ ବିଜୁ ପରିବାରକୁ ଫେରିଆସିଥିଲେ ।

ପ୍ରାର୍ଥୀ ହେବା ପରେ ସାବିତ୍ରୀ ଗଣମାଧ୍ୟମରେ ଅପିଲ କରିଛନ୍ତି ଯେ, ସେ ବେଦୁବାବୁଙ୍କ ଅଧୁରା ସ୍ବପ୍ନକୁ ସାକାର କରିବେ । ଏବଂ ବେଦୁ ବାବୁ ଯେଉଁଭଳି ଭାବେ ବିକାଶକୁ ସର୍ବାଧିକ ଗୁରୁତ୍ବ ଦେଉଥିଲେ ସେ ମଧ୍ୟ ସେହିଭଳି ନବୀନଙ୍କ ବିକାଶ ଧାରାକୁ ତ୍ବରାନ୍ବିତ କରିବେ ।

Share

Leave a Reply

Your email address will not be published. Required fields are marked *

twelve − 7 =