କେଜରିୱାଲଙ୍କ ମିଶନ୍ ୨୦୧୯ : ଦିଲ୍ଲୀକୁ ପୂର୍ଣ ରାଜ୍ୟ ମାନ୍ୟତା

ନୂଆଦିଲ୍ଲୀ () ୨୦୧୯ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ । ଦିଲ୍ଲୀକୁ ସଂପୂର୍ଣ ରାଜ୍ୟ ମାନ୍ୟତା ପ୍ରଦାନ ପ୍ରସଙ୍ଗକୁ ନେଇ ୨୦୧୯ ନିର୍ବାଚନୀ ମୈଦାନକୁ ଓହ୍ଲାଇବ ଦଳ । ଏହାହିଁ କେଜରିୱାଲଙ୍କ ମିଶନ୍ ୨୦୧୯ । ଏହି ପ୍ରସଙ୍ଗକୁ ନେଇ ଦିଲ୍ଲୀବାସୀଙ୍କ ପାଖକୁ ଯିବ କ୍ଷମତାସୀନ ଆମ୍ ଆଦମୀ ପାର୍ଟି । ଏ ନେଇ ଦଳ ପକ୍ଷରୁ ଜୁଲାଇ ୧ ତାରିଖରେ ଏକ ବଡ ସମ୍ମିଳନୀ ମଧ୍ୟ କରିବ ଦଳ । ଆଉ ଏହି ଅଭିଯାନ ପାଇଁ ‘ଏଲଜି ଦିଲ୍ଲୀ ଛୋଡୋ’ ସ୍ଲୋଗାନ୍ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସଂଯୋଜକ ଅରବିନ୍ଦ କେଜରିୱାଲ ।

‘ପୂର୍ଣ ରାଜ୍ୟ ଆନ୍ଦୋଳନ’ ପାଇଁ ଏକ ପ୍ରସ୍ତୁତି ବୈଠକ ମଧ୍ୟ କେଜରିୱାଲଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି । ଯେଉଁଥିରେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଓ ଆପ ବିଧାୟକମାନେ ବି ସାମିଲ ହୋଇଥିଲେ । ଦେଶକୁ ପୂର୍ଣ ସ୍ବାଧିନତା ମିଳି ସାରିଥିଲେ ବି ଦିଲ୍ଲୀକୁ ଏଯାଏ ସ୍ବାଧିନତା ମିଳିନାହିଁ ବୋଲି କହିଛନ୍ତି କେଜରିୱାଲ । ଏହା ସହ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି କୌଣସି ଦଳ ସହ ମେଂଟ କରିବ ନାହିଁ ବୋଲି ମଧ୍ୟ ଇଙ୍ଗିତ ଦେଇଛନ୍ତି । ଦିଲ୍ଲୀ ଉପରାଜ୍ୟପାଳ କେବଳ ଦିଲ୍ଲୀ ସରକାରଙ୍କ ବିଧାୟକଙ୍କ ବିରୋଧରେ ସିବିଆଇରେ ମାମଲା ରୁଜୁ କରିବାରେ ବ୍ୟସ୍ତ ଅଛନ୍ତି ବୋଲି କହିଛନ୍ତି କେଜରିୱାଲ ।

୨୦୧୯ ସାଧାରଣ ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ରଣନୀତି ପ୍ରସ୍ତୁତ କରୁଥିବା ବେଳେ କେଜରିୱାଲଙ୍କ ବିରୋଧରେ ଅଦାଲତର ଦ୍ବାରସ୍ଥ ହୋଇଛନ୍ତି ଦିଲ୍ଲୀର ବିଧାୟକ କପିଲ ମିଶ୍ରା । ବିଧାନସଭାରେ ଅଧିକାଂଶ ସମୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅନୁପସ୍ଥିତ ରହୁଥିବା ଅଭିଯୋଗ ଆଣିଛନ୍ତି କପିଲ ମିଶ୍ରା । ସେ କହିଛନ୍ତି ଯେ ବିଧାନସଭାରେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଉପସ୍ଥାନ ୧୦ ପ୍ରତିଶତରୁ ମଧ୍ୟ କମ୍ ।

Share

Leave a Reply

Your email address will not be published. Required fields are marked *

3 × two =