ମୋଦି ସରକାରରେ ସାମ୍ବିଧାନିକ ସଂସ୍ଥା ବିପଦରେ ?

ଭୁବନେଶ୍ୱର () ଭାରତୀୟ ଗଣତନ୍ତ୍ରରେ ଏକ ଅଭୂତପୂର୍ବ ଘଟଣାକ୍ରମରେ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସରକାର ସିବିଆଇକୁ ଦେଇଥିବା ସାଧାରଣ ଅନୁମତି ପ୍ରତ୍ୟାହାର କରିଛନ୍ତି । ଏଣିକି ଏହି ଦୁଇ ରାଜ୍ୟକୁ ବିନା ରାଜ୍ୟ ସରକାରଙ୍କ ଅନୁମତିରେ ସିବିଆଇ ପ୍ରବେଶ କରିପାରିବ ନାହିଁ କି କୌଣସି କେନ୍ଦ୍ରୀୟ ଅଫିସର କି ବେସରକାରୀ ବ୍ୟକ୍ତିଙ୍କୁ ଜେରା କରିପାରିବନାହିଁ ।

ତେଲୁଗୁ ଦେଶମ ପାର୍ଟି ନିଜ ନିଷ୍ପତ୍ତିକୁ ଯଥାର୍ଥ ଦର୍ଶାଇବାକୁ ଯାଇ କହିଛି ଯେ, ସୁବିଆଇକୁ କେନ୍ଦ୍ରର ମୋଦି ସରକାର ବ୍ୟବହାର କରି ସ୍ୱାଧୀନ ସଂସ୍ଥାକୁ ନିଜ ଦଖଲରେ ରଖିବାକୁ ଚାହୁଁଛନ୍ତି । ଗତ ଛଅ ମାସ ଧରି ତର୍ଜମା କରି ଟିଡିପି ସରକାର ଏହି ନିଷ୍ପତି ନେଇଥିବା କୁହାଯାଉଛି । ଏବେ ପ୍ରଶ୍ନ ଉଠୁଛି, କେବଳ ସିବିଆଇ ନା ଅନ୍ୟ ସାମ୍ବିଧାନିକ ସଂସ୍ଥାଗୁଡିକ ମଧ୍ୟ କେନ୍ଦ୍ର ସରକାରଙ୍କ ଇଛାରେ ପରିଚାଳିତ ହେଉଛି କି।

2014ରେ ମୋଦି ସରକାର କେନ୍ଦ୍ରରେ ବିପୁଳ ଭୋଟରେ ଏକକ ସଂଖ୍ୟା ଗରିଷ୍ଠତା ପାଇଥିବା ବେଳେ 282 ବିଜେପି ସାଂସଦଙ୍କ ମଧ୍ୟରେ ଜଣେ ହେଲେ ମୁସଲମାନ କି ଖ୍ରୀଷ୍ଟିଆନ ସାଂସଦ ନଥିଲେ । ଭାରତ ଭଳି ଏକ ରାଷ୍ଟ୍ରରେ ସଂସଦରେ ସଂଖ୍ୟା ଗରିଷ୍ଠତା ପାଇଥିବା ଦଳରେ ସର୍ବଧର୍ମର ସମନ୍ୱୟ ରହିବା ଆବଶ୍ୟକ । କିନ୍ତୁ ଏପରି ହୋଇନାହିଁ । ଏଥିରୁ ସ୍ପଷ୍ଟ ସଂକେତ ମିଳୁଛି ଯେ, ବିଜେପିର ସବକା ସାଥ ଯୋଜନାରେ ସଂଖ୍ୟାଲଘୁ ନାହାନ୍ତି ।

ଜଣେ ବ୍ୟକ୍ତିଙ୍କ ବ୍ୟତିଗତ ଅଧିକାର ହେଉ କି ରାଜନୈତିକ ଲଢେଇ, ଗଣତନ୍ତ୍ରକୁ ହତ୍ୟା କରିବାରେ ମୋଦି ସରକାର ଦ୍ଵିତୀୟ ଥର ଚିନ୍ତା କରିନାହାନ୍ତି । ବିଗତ ବର୍ଷ ବର୍ଷ ଧରି ଗଢା ଯାଇଥିବା ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡିକ କିଭଳି ସଂକଟରେ ଅଛନ୍ତି ତାର କିଛି ଦୃଷ୍ଟାନ୍ତ ରହିଛି ।

କେନ୍ଦ୍ର ବନାମ ରିଜର୍ଭ ବ୍ୟାଙ୍କ

ଦେଶର ଯେଉଁ କିଛି ସାମ୍ବିଧାନିକ ଅନୁଷ୍ଠାନ ସଂକଟରେ ଅଛନ୍ତି ସେ ମଧ୍ୟରୁ ରିଜର୍ଭ ବ୍ୟାଙ୍କ ଅନ୍ୟତମ । ମୋଦି ରାଜରେ ଅତିଷ୍ଠ ହୋଇ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ ଇସ୍ତଫା ଦେବେ ବୋଲି ଏବେ ଚର୍ଚ୍ଚା ହେଉଛି । ଏହି ବିବାଦ ଜାତୀୟ ସ୍ତରରେ ରାଜନୈତିକ ଓ ଅର୍ଥନୈତିକ ଅସ୍ଥିରତା ସୃଷ୍ଟି କରିଛି । ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ସହ ଅର୍ଥନୈତିକ ସ୍ଥିରତା ପାଇଁ ଉଭୟ ଆରବିଆଇ ଓ କେନ୍ଦ୍ର ସରକାର ଠାରୁ ନୀତି ଓ ଯୋଜନାଗତ ଧରାବହିକତାକୁ ଅପେକ୍ଷା କରୁଛନ୍ତି ପୁଞ୍ଜିନିବେଶକାରୀ ।

କେନ୍ଦ୍ର ସରକାର ଆରବିଆଇ ଉପରେ କିଛି ସ୍ଵତନ୍ତ୍ର କ୍ଷମତାର ପ୍ରୟୋଗ ପାଇଁ କେନ୍ଦ୍ରର ଯୋଜନାକୁ ନେଇ ଏହି ବିବାଦର ସୂତ୍ରପାତ ହୋଇଛି । ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ମତରେ ସ୍ବଦେଶୀ ଜାଗରଣ ମଂଚ ଉର୍ଜିତ ପଟେଲ ସେହି ଆସନରେ ରୁହନ୍ତୁ ବୋଲି ଚାହୁଁନି। ଏହାଦ୍ବାରା କେନ୍ଦ୍ର ସରକାର ରଘୁରାମ ରଞ୍ଜନ ଏପିସୋଡ଼ର ପୁନରାବୃତ୍ତି କରିବାକୁ ଚାହୁଁଛି ।

ସିବିଆଇ ବନାମ ସିବିଆଇ 

ସିବିଆଇକୁ ନେଇ ଏବେ ଦେଶରେ ଚର୍ଚ୍ଚା । ବିରୋଧୀ ଅଭିଯୋଗ କରୁଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆସ୍ଥାନାଙ୍କ ପରି କିଛି ଅଧିକାରୀଙ୍କ ଦ୍ୱାରା ସିବିଆଇକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି । 2002 ଗୁଜୁରାଟ ଦଙ୍ଗାର ତଦନ୍ତ କରିଥିବା କିମ୍ବା ଗୁଜୁରାଟ କ୍ୟାଡରର ଅଫିସରମାନେ କିଭଳି ସିବିଆଇରେ ରହିଛନ୍ତି ଏକ ଦୃଷ୍ଟାନ୍ତ । ୱାଇ.ସି ମୋଦି ଏବେ ଜାତୀୟ ତଦନ୍ତକାରୀ ଏଜେନ୍ସିର ମୁଖ୍ୟ, 1988 ବାଚ ଗୁଜୁରାଟ କ୍ୟାଡର ଅଫିସର, ଏବେ ସିବିଆଇର ଅତିରିକ୍ତ ନିର୍ଦେଶକ, 2005 ଗୁଜୁରାଟ କ୍ୟାଡର ଆଇପିଏସ ରାଘବେନ୍ଦ୍ର ଭାତସା, ଏବେ ୟୁପିରେ ଏସିବି, 2004 ବ୍ୟାଚ ଆଇପିଏସ ଗଂଗାଦୀପ ଗାମ୍ଭୀର, ଏବେ ଦିଲ୍ଲୀରେ ସିବିଆଇ ଡ଼ିଆଇଜି । ଏସମସ୍ତେ ଏବେ ସିବିଆଇରେ ମୋଦିଙ୍କ ସମାଲୋଚକଙ୍କ ବିରୋଧରେ ଥିବା ମାମଲାକୁ ଦୃଢ କରୁଛନ୍ତି । ଏହି ଦୃଷ୍ଟିରୁ ପୂର୍ବତନ ବରିଷ୍ଠ ପୋଲିସ ଅଧିକାରୀ ସିବିଆଇକୁ ନୂଆ ଆଇନ ବଳରେ ଏକ ବୈଧାନିକ ସଂସ୍ଥାରେ ରୂପାନ୍ତରିତ କରାଯିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ।

କେନ୍ଦ୍ର ବନାମ ସୁପ୍ରିମକୋର୍ଟ

କିଛି ମାସ ତଳେ ସୁପ୍ରିମକୋର୍ଟର କିଛି ବିଚାରପତି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ ଯେ ଦେଶରେ ଗଣତନ୍ତ୍ର ବଞ୍ଚିବ ନାହିଁ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଯେ.ଚେଲାମେଶ୍ୱର କହିଥିଲେ ଯେ, ଏହି ଅନୁଷ୍ଠାନକୁ ସଂରକ୍ଷିତ କରାନଗଲେ ଗଣତନ୍ତ୍ର ବଞ୍ଚି ପାରିବନି ।

ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମ୍ମାନ ନାହିଁ 

ଗଣତନ୍ତ୍ର ପ୍ରତି ରହିଥିବା ଅସମ୍ମାନ ମଣିପୁର ଓ ଗୋଆରେ ବିଜେପିର ସରକାର ଗଠନ ପ୍ରକ୍ରିୟାରୁ ସ୍ପଷ୍ଟ ଦୃଶ୍ୟମାନ ହୋଇଥିଲା । ଏହି ଦୁଇ ରାଜ୍ୟରେ ନିର୍ବାଚନ ହାରି ଯାଇଥିଲା ବିଜେପି । ରାଜ୍ୟପାଳମାନେ ମଧ୍ୟ ଏଥିରେ ମୋହର ସାଜିଥିଲେ । ଗୋଆ ରାଜ୍ୟପାଳ ଗଣତନ୍ତ୍ରକୁ ପଦଘାତ କରି କହିଥିଲେ ଯେ, ସେ ଏସମ୍ପର୍କରେ ଅରୁଣ ଜେଟଲିଙ୍କ ପରାମର୍ଶ ନେଇଛନ୍ତି । ଏହାପରେ ଜନମତ ଅପ୍ରାସଙ୍ଗିକ ହୋଇଯାଇଥିଲା । ଉତ୍ତରଖଣ୍ଡରେ ଅସ୍ଥିରତା ସୃଷ୍ଟି କରିବା ଏବଂ ଅରୁଣାଚଳ ପ୍ରଦେଶରେ କଂଗ୍ରେସ ସରକାରକୁ ନିଜ ସରକାରରେ ପରିବର୍ତନ କରିବା ଘଟଣାରୁ ସ୍ପଷ୍ଟ ଯେ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ସମ୍ମାନ ନାହିଁ ।

ସାମ୍ବାଦିକ ସ୍ୱାଧୀନତା ଉପରେ ଆକ୍ରମଣ 

ଉତ୍ତେଜନମୂଳକ ଭାଷଣରେ ମୋଦି ସରକାର ଏକ ନମ୍ବର । ଏନ୍ଡ଼ିଟିଭିର ଏକ ସର୍ଭେ ଅନୁଯାଇ, ଉତ୍ତେଜନମୂଳକ ଏବଂ ବିଭାଜନକାରୀ ଭାଷଣ 500 ପ୍ରତିଶତ ବୃଦ୍ଧି ପାଇଛି । ଏନଡିଏ ସରକାରରେ ଦିଆଯାଇଥିବା ଉତ୍ତେଜନମୂଳକ ଭାଷଣ ମଧ୍ୟରୁ 90 ପ୍ରତିଶତ ବିଜେପିର ନେତାମାନେ ଦେଇଛନ୍ତି । ପ୍ରେସ ସ୍ୱାଧୀନତାରେ ଭାରତ ବିଶ୍ବର 180 ରାଷ୍ଟ୍ର ମଧ୍ୟରୁ 138 ନମ୍ବର ସ୍ଥାନରେ ରହିଛି ।

ଦଳିତ ଓ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ

ଦଳିତ ଓ ସଂଖ୍ୟାଲଘୁ ବିଶେଷ କରି ମୁସଲମାନ ଓ ଖ୍ରୀଷ୍ଟିଆନଙ୍କ ଉପରେ ଆକ୍ରମଣ ଆଶ୍ଚର୍ଯ୍ୟଜନକ ଭାବେ ବଢିଛି । ଦଳିତ ଓ ମୁସଲମାନଙ୍କ ଉପରେ ହିଂସାତ୍ମକ ଆକ୍ରମଣ, କାଶ୍ମୀରୀଙ୍କ ବିରୋଧରେ ରାଜ୍ୟ ଶକ୍ତି ଦ୍ୱାରା ଆକ୍ରମଣ, ଦଳିତ ନେତାଙ୍କ ହତ୍ୟା ଓ ଗିରଫଦାରୀ ଏବେ ନିତିଦିନିଆ କଥା ହେଲାଣି ।

Share

Leave a Reply

Your email address will not be published. Required fields are marked *

twelve − two =