ପେଟରୁ ବାହାରିଲା ଦେଢ କେଜି ଓଜନର ଲୁହା

ଜଣେ ମହିଳାଙ୍କ ପେଟରୁ ଲୁହା କଣ୍ଟା, କିଛି ନଟ୍ ବୋଲ୍ଟ, ସେଫଟି ପିନ୍,ହେୟାର ପିନ୍, ବ୍ରେସଲେଟ୍, ଚେନ୍, ମଙ୍ଗଳସୂତ୍ର ଓ ଚୂଡ଼ି ମିଳିଛି। ଖାଲି ସେତିକି ନୁହେଁ, କିଛି ଅଳଙ୍କାର, ଦଉଡ଼ି ଏବଂ ଅନ୍ୟ କିଛି ଲୁହା ସାମଗ୍ରୀ ମିଳିଛି। ଏଗୁଡ଼ିକର ଓଜନ୍ ପ୍ରାୟ ୧.୫ କେଜି ହେବ। ଏଭଳି ସାମଗ୍ରୀ ସବୁ ମହାରାଷ୍ଟ୍ରର ସିଭିଲ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ଜଣେ ମହିଳାଙ୍କ ପେଟରୁ ହିଁ ବାହାରିଛି।
ଉକ୍ତ ମହିଳାଙ୍କ ନାଁ ସଂଗୀତା ଓ ତାଙ୍କ ବୟସ ୪୦। ଅକ୍ଟୋବର ୩୧ରେ ତାଙ୍କ ମାନସିକ ସ୍ଥିତିର ଚିକିତ୍ସା ପାଇଁ ତାଙ୍କୁ ଏଠାରେ ଭର୍ତ୍ତି କରାଯାଇଥିଲା। ତେବେ ସେ ପେଟରେ ଭୀଷଣ ଯନ୍ତ୍ରଣା ଅନୁଭବ କରୁଥିବା କଥା କହିବା ପରେ ତାଙ୍କର ଏକ୍ସରେ କରାଯାଇଥିଲା। ଏକ୍ସରେରୁ ଦେଖାଗଲା ସଂଗୀତାଙ୍କ ପେଟରେ ବିଭିନ୍ନ ଧାତବ ସାମଗ୍ରୀ ରହିଛି। ଏହାପରେ ଅସ୍ତ୍ରୋପଚାର କରାଯାଇ ଏସବୁକୁ ବାହାର କରାଯାଇଛି।
ଶିରିଡ଼ିରେ ରହୁଥିବା ମହିଳା ଜଣଙ୍କ ଜଣେ ମାନସିକ ରୋଗୀ। ତାଙ୍କୁ କିଛି ଦିନ ତଳେ ଶାହେରକୋଟାଡ୍ ରାସ୍ତା କଡ଼ରୁ ଉଦ୍ଧାର କରାଯାଇଥିଲା। ଏହାପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ମେଣ୍ଟାଲ୍ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା। ଚିକିତ୍ସା ସମୟରେ ହିଁ ତାଙ୍କ ପେଟରେ ଏତେସବୁ ସାମଗ୍ରୀ ଥିବା କଥା ଜଣାପଡ଼ି ଥିଲା। ତେବେ ଦୀର୍ଘ ଅଢ଼େଇ ଘଣ୍ଟା ଧରି ଡାକ୍ତରମାନେ ଅକ୍ଲାନ୍ତ ପରିଶ୍ରମ କରି ସଂଗୀତାଙ୍କ ପେଟରେ ଥିବା ସାମଗ୍ରୀଗୁଡ଼ିକୁ ବାହାର କରିଥିବା ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି।
ଏବେ ମହିଳା ଜଣଙ୍କ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ମାନସିକ ବିକୃତି କାରଣରୁ ସେ ଏସବୁ ଜିନିଷ ବିଭିନ୍ନ ସମୟରେ ଗିଳି ଦେଇଥିଲେ ବୋଲି ବିଶ୍ୱାସ କରାଯାଉଛି।

Share

Leave a Reply

Your email address will not be published. Required fields are marked *

2 × five =