ହାରିଲା ଭାରତୀୟ ହକି ମହିଳା ଦଳ

ମାଡ୍ରିଡ୍ (): ଏଠାରେ ଚାଲିଥିବା ସ୍ପେନ ବିପକ୍ଷ ସିରିଜର ଚତୁର୍ଥ ମ୍ୟାଚରେ ଭାରତୀୟ ମହିଳା ହକି ଦଳ ପରାଜିତ ହୋଇଛି । ଶନିବାର ମଧ୍ୟରାତିରେ ଖେଳାଯାଇଥିବା ମୁକାବିଲାରେ ଭାରତକୁ ୧-୪ ଗୋଲରେ ସ୍ପେନ ପରାସ୍ତ କରିଛ । ଫଳରେ ପାଞ୍ଚ ବିଶିଷ୍ଟ ସିରିଜରେ ସ୍ପେନ ୨-୧ ବ୍ୟବଧାନରେ ଆଗୁଆ ରହିଛି । ଘରୋଇ ଦଳ ପାଇଁ ଲୋଲା ରିଏରା ଦୁଇଟି ଗୋଲ ଦେଇଥିବା ବେଳେ ଲୁସିଆ ଜିମେନେଜ ଓ କାମେରନ କାନୋ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । ଭାରତ ପକ୍ଷରୁ ଉଦିତା ୨୨ତମ ମିନିଟରେ ଏକମାତ୍ର ଗୋଲ କରିଥିଲେ । ସିରିଜର ଅନ୍ତିମ ମ୍ୟାଚ୍ ସୋମବାର ଖେଳାଯିବ ।

ବିଶ୍ବର ୧୦ ର୍ୟାଙ୍କଧାରୀ ଭାରତୀୟ ଦଳ ବିପକ୍ଷରେ ସ୍ପେନ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ପ୍ରଥମ ୫ ମିନିଟ୍ ମଧ୍ୟରେ ଦୁଇଟି ପେନାଲ୍ଟି କର୍ନର ହାସଲ କରିନେଇଥିଲା । ମାତ୍ର ଉଭୟ ସୁଯୋଗ ବେକାର ସାବ୍ୟସ୍ତ ହୋଇଥିଲା । ମ୍ୟାଚ୍ର ୧୦ ମିନଟରେ ଘରୋଇ ଦଳ ପାଇଁ ଲୋଲା ପ୍ରଥମ ସଫଳତା ଆଣିଥିଲେ । ସେହିଭଳି ୧୯ତମ ମିନିଟରେ ଲୁସିଆ ଜିମେନେଜ ଗୋଲ ସ୍କାର କରି ଦଳର ଅଗ୍ରଣୀ ବ୍ୟବଧାନକୁ ବୃଦ୍ଧି କରିଥିଲେ । ଜବାବରେ ୨୨ତମ ମିନିଟ୍ରେ ଉଦିତା ଗୋଲ ଦେଇଥିଲେ । ଏହାର ପରବର୍ତ୍ତୀ ମିନିଟରେ ଭାରତୀୟ ଦଳ ଆଟାକିଂ ହକି ଖେଳିବାରୁ ଲାଲରେସିଆମିଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ମିଳିଥିଲା । ମାତ୍ର ସେ ସୁଯୋଗର କୌଣସି ଫାଇଦା ଉଠାଇ ପାରିନଥିଲେ । ଫଳରେ ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୨-୧ ଗୋଲରେ ପଛୁଆ ଥିଲା । ମ୍ୟାଚର ୩ୟ କ୍ବାର୍ଟରରେ ଆୟୋଜକ ଦଳକୁ ପେନାଲ୍ଟି ଷ୍ଟୋର୍କ ମିଳିଥିଲା, ଏହାକୁ ଲୋଲା (୩୪ତମ) ଗୋଲରେ ପରିଣତ କରିଥିଲେ । ମ୍ୟାଚ୍ର ୩୭ତମ ମିନିଟରେ ମାମେରନ କାନେ ଦଳ ପାଇଁ ଚତୁର୍ଥ ଗୋଲ ଦେଇଥିଲେ । ଏହାପରେ ମଧ୍ୟ ସ୍ପାନିଶ ଦଳକୁ କ୍ରମାଗତ ପେନାଲ୍ଟି କର୍ନର ମିଳିଥିଲା । ମାତ୍ର ଦଳର କୌଣସି ଖେଳାଳି ମ୍ୟାଚରେ ସ୍କୋର ଲାଇନ ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲେ ।

Share

Leave a Reply

Your email address will not be published. Required fields are marked *

one × 3 =