କରୋମିନାସଙ୍କ ସହ ମୋର ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ହେଉଛି : ମାନବୀର

ଗୋଆ :  ଗୁଆହାଟୀ ସ୍ଥିତ ଇନ୍ଦିରା ଗାନ୍ଧୀ ଆଥଲେଟିକ ଷ୍ଟାଡିଅମ ଠାରେ ଅନୁଷ୍ଠିତ ନର୍ଥଇଷ୍ଟ ୟୁନାଇଟେଡ଼ ଏଫସି ବିପକ୍ଷ ମ୍ୟାଚର ଶେଷ ଭାଗରେ ବେଞ୍ଚରୁ ଉଠିଆସି ଏଫସି ଗୋଆ ପକ୍ଷରୁ ନାଟକୀୟ ଭାବେ ଗୋଲ ପରିଶୋଧ କରିଥିଲେ ମାନବୀର ସିଂ ।

ତିନି ସିଜନ ଧରି ଏଫସି ଗୋଆ ପକ୍ଷରୁ ହିରୋ ଇଣ୍ଡିଆନ ସୁପର ଲିଗ ଖେଳିବା ଭିତରେ ଏହା ଥିଲା ତାଙ୍କର ଦ୍ଵିତୀୟ ଗୋଲ । ଏଥିପାଇଁ ମାନବୀରଙ୍କୁ ଦୋଷ ଦେଇହେବ ନାହିଁ । ଏହାର କାରଣ ସେ ତାଙ୍କର ଅଧିକାଂଶ ମ୍ୟାଚ ଜଣେ ବିଳମ୍ବିତ ବଦଳ ଖେଳାଳି ଭାବେ ଖେଳିଛନ୍ତି । ଗତ ସିଜନରେ ସେ ୧୯ଟି ମ୍ୟାଚ ବଦଳ ଖେଳାଳି ଭୂମିକାରେ ଖେଳିଥିଲେ । କିନ୍ତୁ ଚଳିତ ସିଜନ ଭାରତୀୟ ଦଳର ଏହି ଷ୍ଟ୍ରାଇକରଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି ।

ଏଥର ଚେନ୍ନାୟିନ ଏଫସି ଓ ବେଙ୍ଗାଲୁରୁ ଏଫସି ବିପକ୍ଷ ପ୍ରଥମ ଦୁଇଟି ମ୍ୟାଚରେ ସେ ମୂଳରୁ ଖେଳିବାର ସୁଯୋଗ ପାଇଥିଲେ । ତୃତୀୟ ମ୍ୟାଚରେ ତାଙ୍କୁ ପୁଣି ବେଞ୍ଚରେ ବସାଇ ରଖାଯାଇଥିଲେ ହେଁ ଶେଷ ମୁହୁର୍ତ୍ତରେ ସେ ଦେଇଥିବା ଗୋଲ ଦଳର ପ୍ରଶିକ୍ଷକ ସର୍ଜିଓ ଲୋବେରା ନିଶ୍ଚୟ ଖୁସି କରିଥିବା ।

ମାନବୀର କହନ୍ତି, “ମୋତେ ଯେତେବେଳ ସୁଯୋଗ ମିଳିଛି ମୁଁ ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେଇଛି । ଗତ ସିଜନରେ ମୁଁ ମଧ୍ୟ ଗୋଟିଏ ଗୋଲ ସ୍କୋର କରିଥିଲି ଏବଂ ଅନ୍ୟ ଗୋଟିଏ ଗୋଲ ପାଇଁ ସହାୟତା ଦେଇଥିଲି । ଚଳିତ ବର୍ଷ ମୁଁ ପ୍ରଥମ ଦୁଇଟି ମ୍ୟାଚରେ ମୂଳରୁ ଖେଳିବାର ସୁଯୋଗ ପାଇଥିଲି ଏବଂ ଉଭୟ ମ୍ୟାଚ ବଢିଆ ଥିଲା । ନର୍ଥଇଷ୍ଟ ୟୁନାଇଟେଡ଼ ଏଫସି ବିପକ୍ଷ ତୃତୀୟ ମ୍ୟାଚରେ ମୁଁ ବେଞ୍ଚରୁ ଆସି ଗୋଲ ସୁଝାଇଥିଲି । ଏଥିରେ ମୁଁ ବହୁତ ଖୁସି । କାରଣ ନିଜକୁ ପ୍ରମାଣିତ କରିବା ଲାଗି ମୁଁ ଏଭଳି ଏକ ସୁଯୋଗର ପ୍ରତୀକ୍ଷା କରୁଥିଲି ।”

ଏହା କିଛି ଗୁପ୍ତ କଥା ନୁହେଁ ଯେ ମାନବୀରଙ୍କ ସେଣ୍ଟର-ଫରୱାର୍ଡ଼ ଭୂମିକାର ଗୁରୁତ୍ତ୍ଵ ବଢିଛି ଏବଂ ଫେରାନ କରୋମିନାସଙ୍କ ଭଳି ଗୋଲ ମେସିନ ଥିବା ଦଳର ଅଂଶବିଶେଷ ଭାବେ ସେ ବେଶ ଲାଭବାନ ହୋଇଛନ୍ତି ।

ସେ କହନ୍ତି, “କରୋମିନାସ ଜଣେ ଉଚ୍ଚ ଖ୍ୟାତିସମ୍ପନ୍ନ ଖେଳାଳି ହୋଇଥିବାରୁ ଗୋଟିଏ ଦଳରେ ତାଙ୍କ ସହିତ ଖେଳିବା ମୋ ପାଇଁ ବଡ କଥା । ଗତ ଦୁଇ ସିଜନ ଧରି ସେ ଲିଗରେ ଟପ ସ୍କୋରର ରହିଆସିଛନ୍ତି । ତାଙ୍କର ନିଷ୍ପତ୍ତି ନେବା କ୍ଷମତା ବହୁତ ଭଲ ଏବଂ ସେ ବଲକୁ ଦେଉଥିବା ସ୍ପର୍ଶ ଖୁବ ସୁନ୍ଦର । କରୋମିନାସ ଏବଂ ମୋ ଭିତରେ କଡା ପ୍ରତିଦ୍ୱନ୍ଦ୍ୱିତା ଚାଲିଛି । ଅଭ୍ୟାସ ଅଧିବେଶନରେ ମୁଁ ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରୁଛି । ବାକି ସବୁ ପ୍ରଶିକ୍ଷକଙ୍କ ଉପରେ ନିର୍ଭର କରୁଛି ।”

ସେ ଆହୁରି କହନ୍ତି, “କ୍ଲବରେ ପ୍ରଶିକ୍ଷକ ସର୍ଜିଓ ଲୋବେରା ଗୁରୁତ୍ୱପୂର୍ଣ ଭୂମିକା ତୁଲାଉଛନ୍ତି । ତାଙ୍କ ତାଲିମ ପ୍ରତ୍ୟେକ ଭାରତୀୟ ଖେଳାଳିଙ୍କ ପାଇଁ ବହୁତ ଭଲ  ବଲ ସହିତ ତାଙ୍କର ତାଲିମ ତୁମକୁ ଆତ୍ମବିଶ୍ୱାସ ଦିଏ । ସେ ତାଙ୍କର ବୈଷୟିକ ଜ୍ଞାନ ଜରିଆରେ ଆମକୁ ଆମର କୌଶଳ ଓ ସାମର୍ଥ୍ୟ ଉନ୍ନତ କରିବାରେ ସାହାଯ୍ୟ ଯୋଗାଉଛନ୍ତି ।”

ଯେତେବେଳ ସୁଯୋଗ ଆସିଛି ମାନବୀର ତାର ପୁରା ସଦବ୍ୟବହାର କରିଛନ୍ତି ଏବଂ ଚଳିତ ସିଜନକୁ ଏହି ଯୁବ ଫରୱାର୍ଡ଼ ସେ ଯେଭଳି ଆରମ୍ଭ କରିଛନ୍ତି ସେଥିରେ ସେ ଖୁସି ଅଛନ୍ତି । ମାନବୀର ନର୍ଥଇଷ୍ଟ ୟୁନାଇଟେଡ଼ ବିପକ୍ଷରେ ତାହା କରି ଦେଖାଇଥିଲେ ଯାହା ପୂର୍ବ ମ୍ୟାଚରେ କରିଥିଲେ କରୋମିନାସ । ଗତ ସପ୍ତାହରେ ବେଙ୍ଗାଳୁରୁ ଏଫସି ବିପକ୍ଷ ମ୍ୟାଚର ଅତିରିକ୍ତ ସମୟ ଖେଳରେ କରୋମିନାସଙ୍କ ପେନାଲଟି କିକ ଗୋଲ ଯୋଗୁ ଏଫସି ଗୋଆ ମ୍ୟାଚ ଡ୍ର ରଖିବାକୁ ସମର୍ଥ ହୋଇଥିଲା ।

ସେ ସମ୍ପର୍କରେ ମାନବୀର କହନ୍ତି, “ଏପରିକି ବେଙ୍ଗାଳୁରୁ ବିପକ୍ଷରେ ଆମେ ଗୋଟିଏ ଗୋଲରେ ପଛୁଆ ଥିଲୁ । ବିଳମ୍ବରେ ଗୋଲ ଦେବା ଏବଂ ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ଲଢ଼ିବା ଆମ ପାଇଁ ଅଭ୍ୟାସରେ ପରିଣତ ହୋଇଗଲାଣି । ଫୁଟବଲ ଖେଳରେ ଯେକୌଣସି ମୁହୁର୍ତ୍ତରେ ଗୋଲ ହୋଇପାରେ  ଆମେ କେବେ ଆତ୍ମସମର୍ପଣ କରିନାହୁଁ ଏବଂ ସେଥିପାଇଁ ସୁଫଳ ପାଇଛୁ ।”

ଗୋଆରେ ତିନି ସିଜନ କଟାଇବା ଭିତରେ ଗୋଆ ଫୁଟବଲ ପ୍ରେମୀଙ୍କ ସମ୍ମୁଖରେ ଖେଳିବା ନେଇ ବହୁତ ଆତ୍ମସନ୍ତୋଷ ପାଇଛନ୍ତି ଏହି ପଞ୍ଜାବ ଖେଳାଳି । ସେ କହନ୍ତି, “ମୁଁ ପଞ୍ଜାବରୁ ଆସିଛି । କିନ୍ତୁ ଗୋଆ ପାଇଁ ଖେଳିବା ମୋତେ ବହୁତ ଆନନ୍ଦ ଦେଇଛି । ଏଠାକାର ସବୁ ପ୍ରଶଂସକ ବହୁତ ଭଲ । ଫଳାଫଳ ଯାହା ହେଉ ନା କାହିଁକି ସେମାନେ ତୁମକୁ ସମର୍ଥନ ଦିଅନ୍ତି । ଗୋଆ ଦର୍ଶକ ବହୁତ ଜ୍ଞାନୀ ଏବଂ ସେମାନେ ଆମକୁ ବହୁତ ଉତ୍ସାହିତ କରନ୍ତି ।’

Share

Leave a Reply

Your email address will not be published. Required fields are marked *

16 − fourteen =