କେରଳ ବ୍ଳାଷ୍ଟର୍ସକୁ ହରାଇଲା ମୁମ୍ବାଇ ସିଟି

ଷଷ୍ଠ ହିରୋ ଇଣ୍ଡିଆନ ସୁପର ଲିଗର ପଞ୍ଚମ ମ୍ୟାଚରେ କେରଳ ବ୍ଳାଷ୍ଟର୍ସ ଏଫସିକୁ ତାର ନିଜ ଦୁର୍ଗରେ ହରାଇ ଚମକ ସୃଷ୍ଟି କରିଛି ମୁମ୍ବାଇ ସିଟି ଏଫସି I କୋଚି ସ୍ଥିତ ଜବାହାରଲାଲ ନେହରୁ ଆନ୍ତର୍ଜାତିକ ଷ୍ଟାଡିଅମରେ ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମୁମ୍ବାଇ ଦଳ ୧-୦ ଗୋଲରେ ବିଜୟୀ ହେବା ସହିତ ପୁରା ତିନି ପଏଣ୍ଟ ଲାଭ କରିଛି I

ମ୍ୟାଚର ୮୨ତମ ମିନିଟରେ ସୌଭିକଙ୍କ ଠାରୁ କ୍ରସ ପାସ ପାଇ ବିଜୟସୂଚକ ଗୋଲ ଦେଇଥିଲେ ଅମିନ ଚେର୍ମିଟି I ଏହି ନିର୍ଣ୍ଣାୟକ ଗୋଲ ପାଇଁ ସେ ହିରୋ ଅଫ ଦି ମ୍ୟାଚ ପୁରସ୍କାର ଲାଭ କରିଛନ୍ତି I

ଖେଳ ଆରମ୍ଭରୁ କେରଳ ଦଳ ପ୍ରତିପକ୍ଷ ଗୋଲରକ୍ଷକ ଅମରୀନ୍ଦର ସିଂଙ୍କୁ ବେଶୀ କିଛି ପରୀକ୍ଷା କରିପାରି ନଥିଲା ବେଳେ ମୁମ୍ବାଇ ଆକାଶ ମାର୍ଗରେ ଆକ୍ରମଣ ରଚନା କରିଥିଲା I ଦଶମ ମିନିଟରେ ବାମ ପଟରୁ ଡିଏଗୋ କାର୍ଲସଙ୍କ କ୍ରସ ଘରୋଇ ଦଳର ରକ୍ଷଣ ଭାଗ ଉପରେ ଚାପ ସୃଷ୍ଟି କରିଥିଲା କିନ୍ତୁ ମୋହମଦ ଲାରବିଙ୍କ ଦୁର୍ବଳ ହେଡର ସିଧା ଗୋଲରକ୍ଷକ ବିଲାଲ ଖାଁଙ୍କ ହାତକୁ ଯାଇଥିଲା I

୧୯ତମ ମିନିଟରେ କାର୍ଲସ ଗୋଲ ଦେବାର ଆଉ ଏକ ସୁଯୋଗ ପାଇଥିଲେ I ତେବେ ସେ ମାରିଥିବା ଏଲ ଶକ୍ତିଶାଳୀ ସଟକୁ ବିଲାଲ ଦକ୍ଷତାର ସହିତ ଅଟକାଇ ଦେଇଥିଲେ I

ମଧ୍ୟାନ୍ତର ପୂର୍ବରୁ କେରଳ ଦଳ ଗୋଲ ଦେବାର ଦୁଇଟି ସୁଯୋଗ ପାଇଥିଲା I ତେବେ ପ୍ରଥମଟିକୁ ତାରକା ଷ୍ଟ୍ରାଇକର ବାର୍ଥଲୋମ୍ୟୁ ଓଗବେଚି ଏବଂ ଦ୍ଵିତୀୟଟିକୁ ଜାଇରୋ ନଷ୍ଟ କରିଥିଲେ I ଜାଇରୋଙ୍କ ହେଡରକୁ ଗୋଲରକ୍ଷକ ଅମରୀନ୍ଦର ଅଟକାଇ ଦେଇଥିଲେ I

ଦ୍ଵିତୀୟାର୍ଦ୍ଧରେ ଉଭୟ ଦଳ ଏକାଧିକ ସୁଯୋଗ ହାତଛଡା କରିଥିଲେ I ମ୍ୟାଚ ଡ୍ର ଆଡକୁ ଗତି କରୁଥିବା ବେଳେ ମୁମ୍ବାଇ ଦଳର ଟ୍ୟୁନିସିଆ ଷ୍ଟ୍ରାଇକର ଚେର୍ମିଟି ଗୋଲ ଦେଇ ଘରୋଇ ଦଳର ବୋବାଲିଆ ସମର୍ଥକଙ୍କୁ ଚୁପ କରିଦେଇଥିଲେ I ଏହାର କିଛିକ୍ଷଣ ପରେ ମୁମ୍ବାଇ ଆଉ ଗୋଟିଏ ଗୋଲ ଦେବାର ସୁଯୋଗ ପାଇଥିଲା I କିନ୍ତୁ ନିଜ ସାମ୍ନାରେ ଖାଲି ଗୋଲପୋଷ୍ଟ ସତ୍ତ୍ୱେ ସର୍ଜି କେଭିନ ତାହା କାର୍ଯ୍ୟକାରୀ କରିପାରି ନଥିଲେ I କେରଳ ବ୍ଳାଷ୍ଟର୍ସର ପ୍ରଶାନ୍ତ କାରୁଥାଡାଥକୁନି ମ୍ୟାଚର ଉଦୀୟମାନ ଖେଳାଳି ପୁରସ୍କାର ଲାଭ କରିଥିଲେ I

Share

Leave a Reply

Your email address will not be published. Required fields are marked *

11 + 11 =