କ୍ରୀଡ଼ାର ବିକାଶ ପାଇଁ ଭୁବନେଶ୍ବରରେ କାର୍ଯ୍ୟକ୍ଷମ ହେଲା ହାଇପରଫର୍ମାନ୍ସ ସେଣ୍ଟର

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମ୍‌ଠାରେ ଉଚ୍ଚାଙ୍ଗ କ୍ରୀଡ଼ା ସଂପାଦନ ଉତ୍କର୍ଷ କେନ୍ଦ୍ର (ହାଇପରଫର୍ମାନ୍ସ ସେଣ୍ଟର) ଉଦ୍‌ଘାଟନ କରିଛନ୍ତି । ଏହି କେନ୍ଦ୍ରର ସହାୟତା ବଳରେ ଓଡ଼ିଶାର ଖେଳାଳୀମାନେ ଆଧୁନିକ କୌଶଳରେ ତାଲିମପ୍ରାପ୍ତ ହେବା ସହିତ ଅଧିକ ସଫଳ ହେବେ ଓ ରାଜ୍ୟ ତଥା ଦେଶ ନିମନ୍ତେ ବିଶେଷ କୃତିତ୍ବ ପହଞ୍ଚାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ।

ଓଡ଼ିଶାର ଖେଳାଳୀମାନେ କ୍ରୀଡ଼ାବିଜ୍ଞାନ କୌଶଳର ଉପଯୋଗ କ୍ରମେ ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ପାଇଁ ଏପରି କେନ୍ଦ୍ର ଦ୍ବାରା ବିଶେଷ ଉପକୃତ ଓ ଉତ୍ସାହିତ ହେବେ । ଓଡ଼ିଶାରେ ଖେଳକୁଦ ତାଲିମ ଓ ପ୍ରଶିକ୍ଷଣ ଅତ୍ୟନ୍ତ ସନ୍ତୋଷଜନକ ଏବଂ ଉତ୍ତମ ମାନର ବୋଲି ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟକୁ ବିଶ୍ବସ୍ତରୀୟ କ୍ରୀଡ଼ା ଲକ୍ଷ୍ୟସ୍ଥଳ ଭାବରେ ପ୍ରତିଷ୍ଠିତ କରିବା ନିମନ୍ତେ ଓଡ଼ିଶା କୌଣସି ସୁଯୋଗକୁ ହାତଛଡ଼ା କରିନାହିଁ । ଏହି ପରିପ୍ରେକ୍ଷୀରେ ଏପରି କେନ୍ଦ୍ର ପ୍ରତିଷ୍ଠା ଫଳରେ ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ଗୁଣାତ୍ମକତା ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀ ସଫଳ ହୋଇପାରିଛି ।

ଅଲିମ୍ପିକ୍‌ ବିଜେତା ସୁଟର ଅଭିନବ ବିନ୍ଦ୍ରାଙ୍କ ପ୍ରତିଷ୍ଠିତ ଅଭିନବ ଫିଉଚରିଷ୍ଟିକ୍‌ ପ୍ରତିଷ୍ଠାନ ଆନୁକୂଲ୍ୟରେ ଓଡ଼ିଶା ସରକାର ଏବଂ ରୁଂଗ୍‌ଟା ମାଇନ୍ସ ସହଯୋଗ କ୍ରମେ ଭୁବନେଶ୍ବରଠାରେ ଏହି ଉଚ୍ଚାଙ୍ଗ ପ୍ରଦର୍ଶନ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ଫଳରେ ରାଜ୍ୟରେ ପ୍ରଶିକ୍ଷିତ କ୍ରୀଡ଼ା ବାତାବରଣ ଓ କ୍ରୀଡ଼ା ବିଜ୍ଞାନର ଅଭିବୃଦ୍ଧି ଘଟିବ । ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟଗୁଡ଼ିକ ବିଶ୍ବସ୍ତରୀୟ କ୍ରୀଡ଼ା ଉପକରଣ ଓ ଉପାଦାନ ପାଇବାର ସୁଯୋଗ ଲାଭ କରିବେ । କ୍ରୀଡ଼ା ପ୍ରଦର୍ଶନରେ ଉନ୍ନତି, ଖେଳକୁଦଜନିତ କ୍ଷତିର ପ୍ରତିରୋଧ ଓ ପରିଚାଳନା, ବାୟୋମେକାନିକ୍ସ, ଖେଳାଳୀମାନଙ୍କ ଶରୀରତତ୍ତ୍ବ ପରୀକ୍ଷଣ ଓ ତତ୍‌ସମ୍ବନ୍ଧୀୟ ତାଲିମ, ସାମର୍ଥ୍ୟ ଓ ଅବସ୍ଥା ବୃଦ୍ଧି ନିମନ୍ତେ ତାଲିମ ଇତ୍ୟାଦି ଏହି କେନ୍ଦ୍ରର କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହେବ ।

ଦେଶରେ ଅଭିନବ ବିନ୍ଦ୍ରା ପ୍ରତିଷ୍ଠାନର ଏକାଧିକ ଶାଖା କାର୍ଯ୍ୟ କରୁଥିଲେ ମଧ୍ୟ ନବଉଦ୍‌ଘାଟିତ ଓଡ଼ିଶା କେନ୍ଦ୍ରରେ ବିଶ୍ବସ୍ତରୀୟ ଉନ୍ନତ ସେବା ଏବଂ ଉପକରଣ ମିଳିପାରିବ । ବନ୍ଧୁକଚାଳନା(ସୁଟିଙ୍ଗ)ରେ ପେସାଦାର ସ୍ବନାମଧନ୍ୟ କ୍ରୀଡ଼ାବିତ୍‌ ଅଭିନବ ବିନ୍ଦ୍ରା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ସ୍ବଗତ କରିଥିଲେ । ଏହି କେନ୍ଦ୍ର ଖେଳାଳୀମାନଙ୍କ ମଧ୍ୟରେ ନୂତନ ଜ୍ଞାନକୌଶଳ ଓ ତାଲିମ ନିର୍ଘଣ୍ଟରେ ଗୁଣାତ୍ମକତାର ପ୍ରସାର ଘଟାଇବ । ବାୟୋମେକାନିକ୍ସ, ଶରୀରଚର୍ଚ୍ଚା, କ୍ରିୟାଶୀଳ ତାଲିମ ଉପରେ ଏହି କେନ୍ଦ୍ର ଗୁରୁତ୍ବ ପ୍ରଦାନ କରିବ ବୋଲି କହି ଏହି କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ମୁଖ୍ୟମନ୍ତ୍ରୀ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗକୁ ସାମ୍ବାଦିକମାନଙ୍କ ନିକଟରେ କୃତଜ୍ଞତା ଜଣାଇଥିଲେ ।

ଏଠାରେ ସ୍ମରଣଯୋଗ୍ୟ ଯେ, ରାଜ୍ୟରେ ଏପରି ହାଇପରଫର୍ମେନ୍ସ ସେଣ୍ଟର ପ୍ରତିଷ୍ଠା କରାଯିବ ବୋଲି ଗତ ନଭେମ୍ବର ୧୨ ତାରିଖରେ ଘୋଷଣା କରାଯାଇଥିବାବେଳେ ମାତ୍ର ତିନିମାସ ମଧ୍ୟରେ ତାହା କାର୍ଯ୍ୟରେ ରୂପାନ୍ତରିତ ହୋଇଛି । ଉଦ୍‌ଘାଟନ କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ବିଭାଗୀୟ ଶାସନ ସଚିବ ବିଶାଲ ଦେବ ଓ କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ୍‌ କ୍ରୀଷ୍ଣା ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ଜଣାଇଥିଲେ ।

Share

Leave a Reply

Your email address will not be published. Required fields are marked *

2 × 4 =