ଦେଶ ଓ ଲୋକଙ୍କ ସ୍ବାର୍ଥ ପାଇଁ ବିଜେଡି ଦେବ ସାଲିସ ବିହିନ ସମର୍ଥନ

ଭୁବନେଶ୍ବର () ଏକକ ନିର୍ବାଚନକୁ ସମର୍ଥନ ସହ ସମ୍ବିଧାନରର ମୁଖବନ୍ଧରେ ଅହିଂସାକୁ ସ୍ଥାନ ଦେବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ମହିଳାଙ୍କ ପାଇଁ ସଂସଦ ଓ ବିଧାନସଭାରେ ସ୍ଥାନ ସଂରକ୍ଷଣ ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ସ୍ବତନ୍ତ୍ର ଫୋକସ ରାଜ୍ୟ ମାନଦଣ୍ଡ ଭାବେ ଗ୍ରହଣ କରିବାକୁ ଦାବି କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ନବୀନ ଏହି ଦାବି ରଖିଛନ୍ତି ।

ସର୍ବଦଳୀୟ ବୈଠକରେ ଏକକ ନିର୍ବାଚନକୁ ନେଇ ବିଜେଡି ସୁପ୍ରିମୋ କହିଛନ୍ତି ଯେ, ଦେଶର ବିକାଶ ପାଇଁ ‘ଏକ ଦେଶ ଏକ ନିର୍ବାଚନ’ ପ୍ରସ୍ତାବକୁ ତାଙ୍କର ପୂର୍ଣ୍ଣ ସହମତି ରହିଛି । କାରଣ ବାରମ୍ବାର ନିର୍ବାଚନ ଦ୍ବାରା ଦେଶର ବିକାଶରେ ବାଧା ସୃଷ୍ଟି ହେବା ସହ ସମନ୍ବିତ ସଂଘୀୟ ବ୍ୟବସ୍ଥା ମଧ୍ୟ କ୍ଷତିଗ୍ରସ୍ତ ହେଉଛି । ତେଣୁ ଏକକ ନୀର୍ବାଚନ ହେବା ଅତନ୍ତ୍ୟ ଜରୁରୀ ବୋଲି କହିଛନ୍ତି ନବୀନ ।

ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀରେ ସମ୍ବିଧାନରେ ମୁଖବନ୍ଧରେ ଅହିଂସାକୁ ସ୍ଥାନିତ କରାଯାଉ ବୋଲି ନବୀନ ସର୍ବଦଳୀୟ ବୈଠକରେ ଯୁକ୍ତି ବାଢ଼ିଛନ୍ତି । ଏହା ଆଗାମୀ ପୀଢ଼ି ପାଇଁ ଏକ ଶିକ୍ଷା ହେବ । କେବଳ ଭାରତ ନୁହେଁ ବିଶ୍ବଦରବାରରେ ଆଗାମୀ ପୀଢି ଅହିଂସାର ନିରାଟ ସତ୍ୟକୁ ଚିହ୍ନିବେ। ସେହିଭଳ ଦେଶର ଅଧା ଜନସଂଖ୍ୟାକୁ କ୍ଷମତା ସମ୍ପନ୍ନ ନକରିବା ଯାଏଁ ଦେଶର ବିକାଶ ସମ୍ଭବ ନୁହେଁ । ଲୋକସଭା ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣକୁ ବିଜେଡି ପୂର୍ଣ୍ଣମାତ୍ରାରେ ସମର୍ଥନ କରିବ ବୋଲି ସେ କହିଛନ୍ତି ।

ଆକାଂକ୍ଷି ଜିଲ୍ଲା ସଂପର୍କରେ ନବୀନ ନିଜ ମତାମତ ରଖିବାକୁ ଯାଇ କହିଥିଲେ ଯେ, କେନ୍ଦ୍ର ସରକାର ଟେଲି ଯୋଗାଯୋଗ ବ୍ୟବସ୍ଥାର ସୁଦୃଢୀ କରଣ, ବ୍ୟାଙ୍କିଙ୍ଗ ନେଟୱର୍କର ସଂପ୍ରସାରଣ ଏବଂ ରେଳ ଯୋଗାଯୋଗ ଭଳି ବୃହତ ପ୍ରସଙ୍ଗକୁ ଗୁରୁତ୍ବ ଦେବା ଉଚିତ । ସୁକ୍ଷ୍ମ ପ୍ରସଙ୍ଗଗୁଡିକୁ କେନ୍ଦ୍ର ରାଜ୍ୟ ମଧ୍ୟରେ ସମନ୍ବୟ ଓ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ । 2013 ଜମି ଅଧିଗ୍ରହଣ ଆଇନର ପୁନଃତର୍ଜମାର ଆବଶ୍ୟକତା ରହିଛି । ରେଳ ଓ ସଡକ ଭିତ୍ତିଭୂମୀ ବିକାଶକୁ ଦୃଷ୍ଟିର ରଖି ଏହି ଆଇନରେ ସଂପ୍ରସାରଣର ଆବଶ୍ୟକତା ରହିଛି । କାରଣ ଯେକୌଣସି ଜମି ଅଧିଗ୍ରହଣ ସମାଜ ଓ ଦେଶର ବିକାଶ ଅଭିମୁଖୀ ହେବା ଆବଶ୍ୟକ ।

ପରିବେଶ ସୁରକ୍ଷା ଓ ଅର୍ଥନୈତିକ ବିକାଶ ପରସ୍ପର ପରସ୍ପର ପରିପୂରକ । ତେଣୁ ଜଙ୍ଗଲ ସୁରକ୍ଷା ଆଇନର ମଧ୍ୟ ତର୍ଜମା କରାଯିବାର ଆବଶ୍ୟକତା ରହିଛି । ସେହିଭଳି ପ୍ରାକୃତିକ ବିପର୍ଯ୍ୟୟକୁ ଗୋଟିଏ ରାଜ୍ୟର ‘ସ୍ବତନ୍ତ୍ର ଫୋକସ୍ ରାଜ୍ୟ’ ମାନ୍ୟତାର ମାପଦଣ୍ଡ କରାଯାଉ ବୋଲି ସର୍ବଦଳୀୟ ବୈଠକରେ କହିଛନ୍ତି ନବୀନ । ଦେଶ ଓ ସାଧାରଣ ଲୋକଙ୍କ ସ୍ବାର୍ଥରେ ଜଡିତ ଯେକୌଣସି ପ୍ରସଙ୍ଗକୁ ବିଜେଡି ସମର୍ଥନ କରିବ ବୋଲି କହିଛନ୍ତି ନବୀନ ।

Share

Leave a Reply

Your email address will not be published. Required fields are marked *

14 − 2 =