୧୯୩୦ ଜାନୁୟାରୀ ୨୬ରେ ପ୍ରଥମ ସ୍ବାଧୀନତା ଦିବସ

ଭୁବନେଶ୍ବର (ନିପ୍ର): ଓଡିଶାରେ ପ୍ରଥମ ସ୍ବାଧୀନତା ଦିବସ କେବେ, କେଉଁଠି ଓ କିପରି ପାଳନ କରାଯାଇଥିଲା ଏ ପ୍ରଶ୍ନର ଉତ୍ତର ଖୁବ୍‍ କ୍ବଚିତ ଲୋକଙ୍କ ପାଖରେ ଅଛି । ବର୍ତ୍ତମାନ ପୀଢୀର ସଂଖ୍ୟାଧିକ ଛାତ୍ରଛାତ୍ରୀ ତ ଦୂରରକଥା ସ୍ବାଧୀନତା ଦିବସ ପରେଡ୍‍ରେ ଅଭିବାଦନ ଗ୍ରହଣ କରୁଥିବା ଅନେକ ବିଶିଷ୍ଟବ୍ୟକ୍ତିଙ୍କୁ ବି ଏ ପ୍ରସଙ୍ଗ ଅଜଣା ।

ସାଧାରଣତଃ ଏ ପ୍ରଶ୍ନର ଉତ୍ତରରେ ୧୯୪୭ ଅଗଷ୍ଟ ୧୫ ତାରିଖରେ ଭାରତ ସ୍ବାଧୀନ ହେଲାବେଳେ ରାଜ୍ୟର ଅନେକ ସ୍ଥାନରେ ଧୂମ୍‍ଧାମରେ ପତାକା ଉତ୍ତୋଳନ ସହ ଲୋକେ ଉତ୍ସବ ମନାଇଥିବାକଥା ଶୁଣିବାକୁ ମିଳେ । କିନ୍ତୁ ଦେଶ ସ୍ୱାଧୀନ ହେବାର ଢେର ପୂର୍ବରୁ ଯେ ଜାନୁୟାରୀ ୨୬ ତାରିଖକୁ ସ୍ବାଧୀନତା ଦିବସ ଭାବେ ପାଳନ କରାଯାଉଥିଲା ତାହାଏବେ ଇତିହାସର କଥାବସ୍ତୁ ।

୧୯୨୯ ଡିସେମ୍ବର ୩୧ ମଧ୍ୟରାତ୍ରରେ ଲାହୋର କଂଗ୍ରେସ ଅଧିବେଶନରେ ୨୬ ଜାନୁୟାରୀକୁ ସ୍ବାଧୀନତା ବା ପୂର୍ଣ୍ଣ ସ୍ବରାଜ ଦିବସ ଭାବେ ପାଳନ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ତଦନୁଯାୟୀ ୧୯୩୦ ଜାନୁୟାରୀ ୨୬ ରୁ ପ୍ରତିବର୍ଷ ଏହି ଦିନରେ ସ୍ବାଧାନୀତାପ୍ରାପ୍ତି ପର୍ଯ୍ୟନ୍ତ ସ୍ବାଧୀନତା ଦିବସଭାବେ ସାରା ଦେଶରେ ପାଳନ କରାଯାଉଥିଲା । ଏମିତିକି ଏହି ଦିନରେ ଜେଲ୍‍ ଭିତରେ ବି ସ୍ବାଧୀନତା ସଂଗ୍ରାମୀମାନେ ପତାକା ଉଡାଉଥିଲେ ।

୧୯୩୦ ଜାନୁୟାରୀ ୨୬ ସକାଳେ ସ୍ବାଧୀନତା ଆନ୍ଦୋଳନରେ ଓଡିଶାର ପ୍ରଥମ ରାଜବନ୍ଦୀ ରାଜକୃଷ୍ଣ ବୋଷଙ୍କ କଟକ ସହରର କାଠଗଡାସାହି ସ୍ଥିତ ଲୋକସେବା ପ୍ରେସ୍‍ ପରିସରରେ ସୀମିତ ସଂଖ୍ୟକ ଲୋକେ ତ୍ରିରଙ୍ଗା ଝଣ୍ଡା ଉଡାଇ ପ୍ରଥମ ସ୍ବାଧୀନତା ଦିବସ ପାଳିଥିଲେ ଏବଂ ସେଠାରେ ବିପ୍ଳବିଣୀ ମାଳତୀ ଚୌଧୁରୀଙ୍କ ସମେତ ଅନ୍ୟମାନେ କ୍ରାନ୍ତିସଂଙ୍ଗୀତ ଗାନ କରିଥିଲେ ।

କଂଗ୍ରେସର ପ୍ରସ୍ତାବ ଅନୁଯାୟୀ ଉକ୍ତଦିନ ଅପରାହ୍ନରେ କଟକ ମ୍ୟୁନିସିପାଲିଟି ଅଫିସ ନିକଟବର୍ତ୍ତୀ ପଡିଆରେ ସ୍ବରାଜ୍ୟର ସଙ୍କଳ୍ପପତ୍ର ପାଠ କାର୍ଯ୍ୟକ୍ରମ ଥିଲା । କିନ୍ତୁ ପ୍ରଶାସନ ଏହାକୁ ବେଆଇନ୍‍ ଘୋଷଣା ସହିତ ମ୍ୟୁନିସିପାଲିଟି ପଡିଆରେ ୧୪୪ ଧାରା ଜାରି କରିବାରୁ କାଠଯୋଡି ନଦୀକୂଳ ଓ ସନ୍‍ସାଇନ୍‍ ପଡିଆ ନିକଟରେ ଥିବା ଐତିହାସିକ ଚୌଧୁରୀ କୋଠିରେ ୧୯୩୦ ଜାନୁୟାରୀ ୨୬ ଅପରାହ୍ନରେ ପତାକା ଉତ୍ତୋଳନ ସହ ଗୋପବନ୍ଧୁ ଚୌଧୁରୀ ଉପସ୍ଥିତ ଲୋକଙ୍କୁ ଶପଥପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସେତେବେଳେ ଦୁଇ ହଜାରରୁ ଅଧିକଲୋକ ଯୋଗ ଦେଇଥିଲେ, ଯେଉଁ ମାନଙ୍କ ମଧ୍ୟରେ ସଂଖ୍ୟାଧିକ ଥିଲେ ଯୁବକ ଓ ଛାତ୍ର ।

ସେହିଦିନ ଠାରୁ ଏଯାବତ୍‍ ଚୌଧୁରୀ କୋଠିରେ ପ୍ରତିବର୍ଷ ଜାନୁୟାରୀ ୨୬ କୁ ୧୯୩୦ ସ୍ବାଧୀନତା ଦିବସର ସ୍ମାରକୀ ଭାବେ ପାଳନ କରାଯାଇଥାଏ । ଏହି ଗୌରବାବହ ସ୍ମୃତିକୁ ଉଜ୍ଜିବୀତ କରି ରଖିବାପାଇଁ ସ୍ବାଧୀନତା ପରେ ୧୯୫୦ ଜାନୁୟାରୀ ୨୬ ଦିନରେ ଭାରତବର୍ଷର ନୂଆ ସମ୍ବିଧାନ ଲାଗୁ ହୋଇଥିଲା ସେବେଠାରୁ ଅଗଷ୍ଟ ୧୫ ଭଳି ଜାନୁୟାରୀ ୨୬ କୁ ଜନରାଜ୍ୟ ଦିବସ ଭାବେ ସାରା ଦେଶରେ ପାଳନ କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଧୂମ୍‍ଧାମ୍‍ରେ ଅଗଷ୍ଟ ୧୫ ଓ ଜାନୁୟାରୀ ୨୬ ପାଳିତ ହେଉଥିବାବେଳେ କଟକର ଏହି ଐତିହାସିକ ଚୌଧୁରୀ କୋଠିରେ ଅତି ନିରାଡମ୍ବର ଭାବେ ସବୁବର୍ଷ ପତାକା ଉତ୍ତୋଳନ ହୋଇଥାଏ ଏବଂ କିଛି କ୍ରାନ୍ତିକାମୀ ସେଦିନ ଏକାଠିହୋଇ ସ୍ବାଧୀନତା ସଙ୍କଳ୍ପ ଏବଂ ସ୍ବାଧୀନତା ଆନ୍ଦୋଳନର ଘୋଷିତ ପ୍ରତିଶ୍ରୁତି ସ୍ବାଧୀନ ଭାରତରେ ବିଶେଷକରି ଓଡିଶାରେ କେତେ କାର୍ଯ୍ୟକାରୀ ହୋଇଛି ସେ ସଂକ୍ରାନ୍ତରେ ବିହଙ୍ଗାବଲୋକନ କରିଥାନ୍ତି ।

Share

Leave a Reply

Your email address will not be published. Required fields are marked *

1 × 3 =