ରାଜ୍ୟ ବିଜେପିରେ ମହତାକାଂକ୍ଷାର ଲଢେଇ

ଭୁବନେଶ୍ବର (ନିପ୍ର) : ରାଜ୍ୟ ବିଜେପିରେ ଏବେ ଦୁଇ ମହତାକାଂକ୍ଷୀଙ୍କ ଲଢେଇ  । 2014ରୁ ରାଜ୍ୟ ବିଜେପିର ମଙ୍ଗ ଧରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିରେ ଏକ ପ୍ରକାର ମାନସିକ ସ୍ତରରେ ଯୋଗ ଦେଇ ସାରିଥିବା ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ ପଦ, ଦାୟିତ୍ବ ଓ ପତିଆରାକୁ ନେଇ ପରୋକ୍ଷ ଲଢେଇ ଆରମ୍ଭ ହୋଇଗଲାଣି । ଜଣେ ଅତି ମହତାକାଂକ୍ଷୀ ଓ ସୁବିଧାବାଦୀ ରାଜନେତା ଭାବେ ବୈଜୟନ୍ତ ବିଜେଡିରେ ଥିବା ସମୟରେ ସବୁ ପ୍ରକାର ସୁବିଧା ସୁଯୋଗ ଓ ପତିଆରା ଉପଭୋଗ କରିଥିଲେ । ଏବେ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେବାକୁ ଯାଉଥିବା ବୈଜୟନ୍ତ ସେଠି ମଧ୍ୟ ପତିଆରା ଓ ପଦ ପାଇଁ ଦଳର ଶୀର୍ଷ ନେତୃତ୍ବକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ।

ଏମିତି ବି ବୈଜୟନ୍ତ ବିଜେପିରେ ଯୋଗ ଦେବା ନିଶ୍ଚିତ ହୋଇଯାଇଥିଲା । ଅପେକ୍ଷା ଥିଲା କେବଳ ଆନୁଷ୍ଠାନିକ ଘୋଷଣାକୁ  । ତେବେ ଗତକାଲି କଟକରେ ଆୟୋଜିତ ‘ହେଇଯାଉ’ କାର୍ଯ୍ୟକ୍ରମର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି  । ସେଥିରେ ବୈଜୟନ୍ତ ପଦ୍ମଫୁଲ ଚିହ୍ନ ଥିବା ବିଜେପି ଦଳର ଏକ ଉତ୍ତରୀୟ କାନ୍ଧରେ ପକାଇଛନ୍ତି  । ଏହି ଫଟୋରୁ ତାଙ୍କର ଗତି କୁଆଡେ ସେ ସଂପର୍କରେ ଆଉ କାହାକୁ ଅଛପା ହୋଇ ରହିନାହିଁ  । ଯଦିଓ ବୈଜୟନ୍ତ ଟ୍ବିଟରରେ ଏଭଳି ଚର୍ଚ୍ଚାକୁ ଅସ୍ବୀକାର କରୁଛନ୍ତି, “ତଥାପି କଥାଟା ଚୁଲିଛି ନା ଗୋଡ ଦୁଇଟା ଦିଶୁଛି” ଭଳି  ।

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ବୈଜୟନ୍ତ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେବା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତା କାଟିବାକୁ ପୂରା ଦମରେ ଲାଗିପଡିଛନ୍ତି । ଚର୍ଚ୍ଚା ହେଉଛି, ବୈଜୟନ୍ତଙ୍କ ପରାମର୍ଶରେ ବିଜେପିର କେନ୍ଦ୍ରୀୟ ନେତୃତ୍ବ ରାଜ୍ୟ ସଭାପତି ପଦରୁ ବସନ୍ତ ପଣ୍ଡାଙ୍କୁ ହଟାଇ ତାଙ୍କ ସ୍ଥାନରେ ପ୍ରତାପ ଷଢଙ୍ଗୀଙୁ ଦାୟିତ୍ବ ଦେବାକୁ ଚିନ୍ତା କରୁଛନ୍ତି । ଦିଲ୍ଲୀ ରାଜନୈତିକ ମହଲରୁ ମିଳୁଥିବା ସୂଚନା ଅନୁଯାୟୀ, ନିକଟରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ରାମମାଧବ ପ୍ରତାପ ଷଢଙ୍ଗୀ ଏବଂ ଅସନ୍ତୁଷ୍ଟ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କୁ ଭେଟି ଆଲୋଚନା କରିଛନ୍ତି । ରାମ ମାଧବଙ୍କ ସହ ଏହି ଦୁଇ ନେତାଙ୍କ ଭେଟଘାଟରେ ବୈଜୟନ୍ତଙ୍କ ହାତ ରହିଥିବା କୁହାଯାଉଛି ।

ରାଜନୈତିକ ସ୍ତରରେ ହେଉଥିବା ଆଲୋଚନା ଅନୁଯାୟୀ, ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବିରୋଧୀ ଭାବେ ଜଣାଶୁଣା । ସେପଟେ ପ୍ରତାପ ଷଢଙ୍ଗୀ ମଧ୍ୟ ଧର୍ମେନ୍ଦ୍ରଙ୍କ କ୍ୟାମ୍ପରେ ନାହାଁନ୍ତି । ପ୍ରତାପ ଷଢଙ୍ଗୀ ଯଦିଓ ଏବେ ବି ବିଜେପିରେ ସକ୍ରିୟ ଅଛନ୍ତି, ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ କିନ୍ତୁ ବିଜେପିରେ ସମ୍ପୁର୍ଣ୍ଣ ଏକଘରିକିଆ  । ଏହିଦୃଷ୍ଟିରୁ ଦଳର ମୁଖ୍ୟ ସ୍ରୋତକୁ ପୁଣି ଥରେ ଏହି ତିନି ନେତାଙ୍କୁ ଫେରାଇ ଆଣିବାକୁ ବୈଜୟନ୍ତ ଚେଷ୍ଟା କରୁଛନ୍ତି । ଏହାଦ୍ବାରା ବୈଜୟନ୍ତ ଗୋଟିଏ ତୀରରେ ଦୁଇଟି ଶିକାର କରିବାକୁ ଚେଷ୍ଟା କରୁଛନ୍ତି । ପ୍ରଥମତଃ ବିଜୟ, ଦିଲ୍ଲୀପ ଓ ପ୍ରତାପ ବିଜେପିରେ ସକ୍ରିୟ ହେଲେ ଧର୍ମେନ୍ଦ୍ର ଆପେ ଆପେ ରାଜ୍ୟ ବିଜେପିରୁ ଦୂରେଇଯିବେ  । ଦ୍ବିତୀୟତଃ ବଜୟଙ୍କ ବାହୁ ବଳରେ ବୈଜୟନ୍ତ ପୁଣି ଥରେ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରକୁ ପ୍ରତିନିଧିତ୍ବ କରିପାରିବେ ।

ସେହିଭଳି ବିଜେପି ସୂତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ ବୈଜୟନ୍ତ ରାଜ୍ୟ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଏବଂ ଦଳର ପୋଷ୍ଟର ବୟ ଭାବେ ଦଳ ତାଙ୍କୁ ପ୍ରୋଜେକ୍ଟ କରୁ ବୋଲି ବାର୍ଗେନ କରୁଛନ୍ତି । ତାଙ୍କର ଏଭଳି ସୁବିଧାବାଦୀ ରାଜନୈତିକ ଗୋଟି ଚାଳନାକୁ ନେଇ ଧିରେ ଧିରେ ଧର୍ମେନ୍ଦ୍ର ଓ ବୈଜୟନ୍ତଙ୍କ ମଧ୍ୟରେ ଆଭ୍ୟନ୍ତରିଣ ବିବାଦ ବଢିଲାଣି । ଧର୍ମେନ୍ଦ୍ର ମଧ୍ୟ କିଛି କମ ଖିଲାଡି ନୁହଁନ୍ତି । ଯୁବ ନେତା ଭାବେ ଧର୍ମେନ୍ଦ୍ର ବିଜେପିର ବହୁ ଉଚ୍ଚ ପଦପଦବୀରେ ରହିବା ଏବଂ ପରୋକ୍ଷ ନିର୍ବାଚନରେ ନିର୍ବାଚିତ ହୋଇ ପେଟ୍ରୋଲିୟ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ହେବା କିଛି କମ କଥା ନୁହେଁ । ସେ ମଧ୍ୟ ପତିଆରା ଓ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଆଶାରେ ଆକାଶରେ ଉଡୁଥିବା ବୈଜୟନ୍ତଙ୍କ ଡେଣା କାଟିବାକୁ ଯୋଜନା ଆରମ୍ଭ କରିଦେଇଥିବା ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

7 + eighteen =