ଆଦିବାସୀଙ୍କ ସ୍ବାର୍ଥ ପାଇଁ ଲଢେଇ, କାଲିଠୁ ଦସ୍ତଖତ ଅଭିଯାନ

ଭୁବନେଶ୍ବର () କେନ୍ଦ୍ର ବିରୋଧରେ ଗର୍ଜିଛି ବିଜୁ ଛାତ୍ର ଓ ଯୁବ ଜନତା ଦଳ । କେନ୍ଦ୍ରର ଆଦିବାସୀ ଛାତ୍ର ମାରଣ ନୀତି ପ୍ରତିବାଦରେ ଆରମ୍ଭ ହେବ ଦସ୍ତଖତ ଅଭିଯାନ । ଏହି ଅଭିଯାନ ଆସନ୍ତାକାଲି ଲୋୟର ପିଏମଜିଠାରୁ ଆରମ୍ଭ ହୋଇ ଏକ ମାସ ଧରି ଚାଲିବ । 10 ଲକ୍ଷ ଦସ୍ତଖତ ସଂଗ୍ରହ କରି ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ । ଆଜି ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଏହି ଘୋଷଣା କରାଯାଇଛି ।

ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ସଭାପତି ଅମରେଶ ପତ୍ରୀ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର ଅନୁସୂଚିତ ଜାତି ଜନଜାତି ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ଏକାଧିକ ପଦକ୍ଷେପ ନେଇଛନ୍ତି । ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ସହ ଶିକ୍ଷାର ଅଭିବୃଦ୍ଧି ପାଇଁ 7ହଜାରରୁ ଅଧିକ ଛାତ୍ରାବାସ ନିର୍ମାଣ କରାଯାଇଛି । କିନ୍ତୁ ରାଜ୍ୟ ସରକାରଙ୍କ ଆଦିବାସୀ ବିକାଶ ପ୍ରକ୍ରିୟାରେ କେନ୍ଦ୍ର ସରକାର ବାଧକ ସାଜୁଛି । ରାଜ୍ୟର ପ୍ରାୟ 2ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ଓ ଉଚ୍ଚତର ଶ୍ରେଣୀରେ ପାଠ ପଢୁଛନ୍ତି । ଏହି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି ବାବଦରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ 90 ପ୍ରତିଶତ ଅନୁଦାନ ଯୋଗାଇଦେଉଥିଲେ । 2017-18ରୁ କେନ୍ଦ୍ର ସରକାର କେନ୍ଦ୍ରୀୟ ଅଂଶରେ ପରିବର୍ତ୍ତନ କରି ରାଜ୍ୟ ଉପରେ 80 ପ୍ରତିଶତ ବୋଝ ଲଦି ଦେଇଛନ୍ତି । 2016-17ରେ କେନ୍ଦ୍ର ସରକାର ଆଦିବାସୀ ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି ଯୋଜନାରେ 215.80 କୋଟି ଟଙ୍କା ଦେଇଥିବା ବେଳେ ରାଜ୍ୟ ସରକାର 22.48 କୋଟି ଟଙ୍କା ଦେଇଥିଲେ । ଏବେ ରାଜ୍ୟ ଓ କେନ୍ଦ୍ର ଅଂଶଧନରେ ପରିବର୍ତ୍ତନ ଯୋଗୁଁ ରାଜ୍ୟ ଉପରେ 238.28 କୋଟି ଟଙ୍କାର ଆର୍ଥକ ଭାର ପଡିବ ବୋଲି ସେ ଅଭିଯୋଗ କରିଛନ୍ତି ।

ସେହିଭଳି ଛାତ୍ର ବିଜୁ ଜନତା ଦଳ ସଭାପତି ରାଣାପ୍ରତାପ ପାତ୍ର କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ଅଂଶଧନରେ ସଂଶୋଧନ କରି ପୂର୍ବଭଳି କେନ୍ଦ୍ର 90 ପ୍ରତିଶତ ଓ ରାଜ୍ୟ 10 ପ୍ରତିଶତ ଅର୍ଥ ଭାର ବହନ କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି । କିନ୍ତୁ କେନ୍ଦ୍ର ସରକାର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ରକ୍ଷା କରିନାହାଁନ୍ତି । ଏହା କେନ୍ଦ୍ରର ଆଦିବାସୀ ଛାତ୍ରଛାତ୍ରୀଙ୍କ ପ୍ରତି ବୈମାତୃକ ମନୋଭାବର ନିଦର୍ଶନ । ଏହା ବିରୋଧରେ ଯୁବ ଓ ଛାତ୍ର ବିଜେଡି ଆନ୍ଦୋଳନ କରିବ । ଉଚ୍ଚତର ଶିକ୍ଷା ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ନିଜ ନିଷ୍ପତ୍ତିର ପୁର୍ନବିଚାର କରିବାକୁ ସେ ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

10 − 8 =