ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ଦାମ

ନବୀନଙ୍କ ବିରୋଧରେ ରାଜ୍ୟବ୍ୟାପୀ ବୁଲିବାକୁ ଯୋଜନା

ପୂଅ ସମ୍ବିତଙ୍କ ରାଜନୈତକ  ଭବିଷ୍ୟତ ବି ଅନିଶ୍ଚିତତାରେ

ଭୁବନେଶ୍ବର () ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତଙ୍କ ବିରୋଧରେ ଖୁବଶୀଘ୍ର ଦଳୀୟ କାର୍ଯ୍ୟାନୁଷ୍ଠାନ ହେବ । ଖୋଦ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସଙ୍କେତ ଦେଇସାରିଲେଣି । ଗତ ଦୁଇ ଦିନ ହେଲା ଜଗସିଂହପୁର ଜିଲ୍ଲାର ଦୁଇ ଜଣ ବିଧାୟକ ଓ ଦଳୀୟ ନେତା ଏବଂ କର୍ମୀ ଦାମଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହେବା ପରେ ସୁପ୍ରିମୋ ଖୁବଶୀଘ୍ର ଦାମଙ୍କ ବିରୋଧରେ ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚର୍ଚ୍ଚା ହେଉଛି । ସେପଟେ ଦାମ କିନ୍ତୁ ନିର୍ବିକାର । ତୁଣ୍ଡରେ ତୁଣ୍ଡି ବାନ୍ଧିବା ପରିବର୍ତ୍ତେ ଖୋଲାଖୋଲି ବିଦ୍ରୋହ ଘୋଷଣା କରିବା ଭଳି ପୁଣି ଥରେ ଦଳର କିଛି ଯୁବ ନେତା ଓ ଜଣେ ପ୍ରଶାସକଙ୍କ ବିରୋଧରେ ବିଷୋଦଗାର କରିଛନ୍ତି ।

କେବଳ ସେତିକି ନୁହେଁ, ସେ ବିଷ୍ଣୁ ଦାସ ଓ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ବିରୋଧରେ ବି ବିଷୋଦଗାର କରିଛନ୍ତି । ବିଷ୍ଣୁ ତାଙ୍କର ରାଜନୈତିକ ଶତ୍ରୁ, ତେଣୁ ପରସ୍ପର ପରସ୍ପରର ଚେର କଟାକଟି ହେବା କୌଣସି ନୂଆ କଥା ନୁହେଁ । କିନ୍ତୁ ପ୍ରଶାନ୍ତ ମୁଦୁଲି କାହିଁକି । 2009ରେ ସୀମା ପୂନଃନିର୍ଦ୍ଧାରଣ ପରେ ଦାମ ରାଉତ ପାରାଦ୍ବୀପକୁ ଛିଡା ହୋଇଥିଲେ ଏବଂ ନିଜ ନିର୍ବାଚନମଣ୍ଡଳୀ ବାଲିକୁଦା-ଏରସମାରୁ ପ୍ରଶାନ୍ତଙ୍କୁ ପ୍ରାର୍ଥୀ କରିଥିଲେ । କୁହାଯାଏ ପ୍ରଶାନ୍ତ ହେଉଛନ୍ତି ଦାମଙ୍କ ରାଜନୈତିକ ଶିଷ୍ୟ । ପୂର୍ବରୁ ଦାମ ରାଉତଙ୍କୁ ନେଇ ଦଳରେ ବିଭିନ୍ନ ସମୟରେ ବିବାଦ ସୃଷ୍ଟି ହୋଇଥିଲେ ବି ପ୍ରଶାନ୍ତ ମୁହଁ ଖୋଲନ୍ତି ନାହିଁ । ଏବେ କିନ୍ତୁ ହଠାତ ସେ କାହିଁକି ଦାମ ବିରୋଧୀ ହୋଇଯାଇଛନ୍ତି ।

ଏମିତିକି ଦାମଙ୍କ ବିରୋଧରେ ଏବେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବିଜେଡି କର୍ମୀ ଓ ନେତାମାନେ ନବୀନଙ୍କ ପାଖରେ ଫେରାଦ ହେଉଛନ୍ତି । ଦାମ ରାଉତଙ୍କ ହାମବଡା ନୀତି ଏବଂ ଯୁବ ନେତା ଓ କର୍ମୀଙ୍କୁ ହେୟଜ୍ଞାନ ମନୋଭାବ ଯୋଗୁଁ ତାଙ୍କୁ ଆଉ ଯୁବ ନେତା ଓ କର୍ମୀମାନେ ପସନ୍ଦ କରୁନାହାଁନ୍ତି । ଏଥିସହିତ ଜିଲ୍ଲାରେ ସେ ବିଜେଡି ବିରୋଧୀ ରାଜନୈତିକ ଦଳର ନେତା ଓ କର୍ମୀଙ୍କ ସହ ବସାଉଠା କରୁଥିବା ଏବଂ ଗୁପ୍ତ ବୈଠକ କରୁଥିବାର ସ୍ପଷ୍ଟ ପ୍ରମାଣ ମିଳିସାରିଲାଣି । ଭୁବନେଶ୍ବରରେ ମଧ୍ୟ ତାଙ୍କ ବାସଭବନକୁ ପ୍ରତିପକ୍ଷ ଦଳର ନେତାମାନେ ଯାଆସ କରୁଛନ୍ତି । ଏକଥା ଆଉ କାହାକୁ ଅଛାପ ହୋଇ ରହିନି । ଏଭଳିସ୍ଥିତିରେ ବିଜେଡିର କର୍ମୀ, ନେତା ଓ ବିଧାୟକମାନେ ଦାମଙ୍କ ସହ କଥା ହେବାକୁ ମଧ୍ୟ ଭୟ କରୁଛନ୍ତି । ତେଣୁ ଔଷଧ ବିକଳରେ ତାଟିଆ କାମୁଡିବା ଭଳି ଦାମବାବୁ ଏବେ ସିଧାସଳଖ ନବୀନ ପଟ୍ଟନାୟକଙ୍କ ବିରୋଧରେ ନକହି ତାଙ୍କ ଦପ୍ତର ଏବଂ ବିଜେଡିର ରାଜନୈତିକ ବ୍ୟାପାର ବୁଝୁଥିବା ନେତାମାନଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି ।

ଦାମ ବାବୁ ଆଜି ଯେଉଁ ଯୁବ ନେତାମାନଙ୍କ ହାତରେ ବିଜେଡି ବୋଲି କହି ଆକ୍ଷେପ କରିଛନ୍ତି, ସେ ବୋଧହୁଏ ଭୁଲିଯାଉଛନ୍ତି ଯେ, ସେହି ଦୁଇ ଯୁବ ନେତା ଗୋଟେ ସମୟରେ ଦଳୀୟ କାର୍ଯ୍ୟ ପାଇଁ ମନ୍ତ୍ରୀପଦ ଛାଡିଥିଲେ । ଏକଥା ଖୋଦ ମୁଖ୍ୟମନ୍ତ୍ରୀ ବିଜେଡି କାର୍ଯ୍ୟାଳୟରେ ଘୋଷଣା କରିଥିଲେ । ତେଣୁ ସେମାନେ ଦଳୀୟ କାର୍ଯ୍ୟ କରିବାରେ ଅସୁବିଧା କେଉଁଠି ରହିଲା । ବିଜେଡିରେ ଥିବା ଜଣେ ବରିଷ୍ଠ ନେତା ପ୍ରତିପକ୍ଷ ଦଳ ସହ ଭିତିରି ସାଲିସ କରିବ ଏବଂ ବିଜେଡି ସୁପ୍ରିମୋଙ୍କ ଠାରୁ ପଦ ପଦବୀ ଆଶା କରିବ, ୟାକୁ ରାଜନୈତିକ ମତିଭ୍ରମ ବୋଲି କୁହଯିବନି ତ ଆଉ କଣ । କାରଣ ସେ ଜାଣି ସାରିଲେଣି ଯେ, ବିଜେଡିରେ ତାଙ୍କ ରାଜନୀତିର ପୂର୍ଣ୍ଣଛେଦ ପଡିବ ଏବଂ କଂଗ୍ରେସ ଓ ବିଜେପି ତାଙ୍କୁ ବ୍ୟବହାର କରି ଫୋପାଡି ଦେବେ । କାରଣ ସେଠି ବି ତାଙ୍କ ବୋଲିବାଣୀ ଶୁଣିବାକୁ କେହି ନାହାଁନ୍ତି ।

ଦାମ ବାବୁ ମଧ୍ୟ ବିଜେଡିରୁ ବିଦା ହେବା ଜାଣି ସାରିଲେଣି । କାରଣ ଗତ ମାସରେ ସେ ଏକ ନୂଆ ଗାଡି କିଣିଛନ୍ତି । ସେ ଗାଡି ଏବେ ଗ୍ୟାରେଜରେ କାମ ହେଉଛି । ସେଥିରେ ଛାତ ଉପରୁ ଛିଡା ହୋଇ ଭାଷଣ ଦେବା ପାଇଁ ଉଚ୍ଚା ଚୌକି ଏବଂ ଡାକବାଜୀ ଯନ୍ତ୍ରର ବ୍ୟବସ୍ଥା କରାଯାଉଛି । ବିଜେଡିରୁ ବିଦା ହୋଇ ଦାମ ବାବୁ ପୁଣି ଥରେ ବିଜୁ ବିଚାର ମଂଚକୁ ଉଜ୍ଜିବିତ କରି ବିଜେଡି ବିରୋଧରେ ରାଜ୍ୟବ୍ୟାପୀ ବୁଲିବାକୁ ଯୋଜନା କରୁଛନ୍ତି । ଦାମ ବାବୁଙ୍କ ଏହି ନବୀନ ବିରୋଧୀ ମାନସିକତା ତାଙ୍କ ପୁଅଙ୍କ ରାଜନୈତିକ ଭବିଷ୍ୟତକୁ ମଧ୍ୟ ଅନ୍ଧକାରକୁ ଠେଲି ଦେଉଛି ।

Share

Leave a Reply

Your email address will not be published. Required fields are marked *

five × four =