୪ଟି ଲୋକସଭା ଆସନରୁ ଏହିମାନେ ହେବେ ବିଜେଡି ପ୍ରାର୍ଥୀ !ଜାଣନ୍ତୁ …

୧୮ ତାରିଖରୁ ଆରମ୍ଭ ହେବ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା । ହେଲେ ଏଯାଏଁ ରାଜ୍ୟର କୌଣସି ଦଳ ସେମାନଙ୍କ ପ୍ରାର୍ଥୀପତ୍ର ତାଲିକା ପ୍ରକାଶ କରିନାହାନ୍ତି । ୧୭ ତାରିଖ ଦିନ ତିନୋଟି ଯାକ ପ୍ରମୁଖ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ତାଲିକା ପ୍ରକାଶ କରିବେ ବୋଲି ବିଭିନ୍ନ ଭାବରେ ଇଙ୍ଗିତ ଓ ସୂଚନା ଦେଇଛନ୍ତି ।

ତେବେ ସବୁ ଦଳ ଏକାବେଳେ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ନକରି ନିର୍ବାଚନ ପର୍ୟ୍ୟାୟ ଭିତ୍ତିରେ ତାଲିକା ଘୋଷଣା କରିବେ ବୋଲି ଜଣାପଡିଛି । ପ୍ରଥମ ପର୍ୟ୍ୟାୟରେ ବ୍ରହ୍ମପୁର, ନବରଙ୍ଗରପୁର, କୋରାପୁଟ ଓ କଳାହାଣ୍ଡି ଲୋକସଭା ଆସନ ଓ ଏହି ଲୋକସଭା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ହେବ । ପ୍ରାର୍ଥୀ ତାଲିକା ଚୂଡାନ୍ତ ପାଇଁ ଆଜି ସନ୍ଧ୍ୟାରେ ନବୀନ ନିବାସରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀ ବିଶେଷକରି ମହିଳା ପ୍ରାର୍ଥୀଙ୍କ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ ।

-ମିଳିଥିବା ତଥ୍ୟ ଅନୁସାରେ ବ୍ରହ୍ମପୁରରୁ ବିଜେଡି ପୂର୍ବତନ ସାଂସଦ ଗୋପୀନାଥ ଗଜପତିଙ୍କ କନ୍ୟା କଲ୍ୟାଣୀ ଗଜପତିଙ୍କୁ ଟିକେଟ୍ ଦେଇପାରେ ।

-ସେହିଭଳି କୋରାପୁଟରୁ ସାଂସଦ ଝିନ୍ନ ହିକ୍କକାଙ୍କ ସ୍ତ୍ରୀ କୌଶଲ୍ୟା ହିକ୍କକାଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଜୋରଦାର ଚର୍ଚ୍ଚା ହେଉଛି ।

-ଅନ୍ୟପକ୍ଷରେ କଳାହାଣ୍ଡି ଲୋକସଭା ସାଂସଦ ଅର୍କକେଶରୀ ସିଂହଦେଓଙ୍କ ବଦଳରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ପ୍ରାର୍ଥୀ କରାଯିବ ବୋଲି ଆଲୋଚନା ଚାଲିଛି । ଏହି ଆସନରୁ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ମଧ୍ୟ ପ୍ରାର୍ଥୀ କରାଯିବ ବୋଲି ଆଗରୁ ଚର୍ଚ୍ଚା ହେଉଥିଲା ।

-ନବରଙ୍ଗପୁର ଲୋକସଭା ଆସନରୁ ମନ୍ତ୍ରୀ ରମେଶ ମାଝୀଙ୍କୁ ପ୍ରାର୍ଥୀ କରାଯାଇପାରେ । ଗତଥର ଏଠାରୁ ବଳଭଦ୍ର ମାଝୀ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

18 + 4 =