କାହାକୁ ଆସନ ଛାଡିବନି, ୪ଟି ଯାକ ଆସନ ବିଜେଡି ଖାତାରେ

ଭୁବନେଶ୍ୱର () ଓଡ଼ିଶା ସମେତ ୧୭ଟି ରାଜ୍ୟର ୫୫ଟି ରାଜ୍ୟସଭା ଆସନ ପାଇଁ ତାରିଖ ଘୋଷଣା ହେବା ପରେ ଓଡ଼ିଶାରୁ କେଉଁ ଚାରି ଜଣ ସଂସଦର ଉପର ଭବନକୁ ନିର୍ବାଚିତ ହେବେ ତାକୁ ନେଇ ବିଭିନ୍ନ ସ୍ତରରେ ନାନା ଗଣିତ କଷା ଚାଲିଛି । ହେଲେ ରାଜ୍ୟସଭା ଗଣିତକୁ ହିସାବ କଲେ ସ୍ପଷ୍ଟ ହେଉଛି ଯେ, ବିରୋଧୀ ସବୁ ଆକଳନ ଫେଲ୍ ମାରିବ । ଯଦି ସେଭଳି କୌଣସି ଜରୁରୀ ପରିସ୍ଥିିିତି ନ ଉପୁଜେ ବିଜେଡି ସମସ୍ତ ଚାରୋଟିଯାକ ଆସନ ପୋଛିନେବ । ୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ଚାରୋଟି ରାଜ୍ୟସଭା ଆସନ ପାଇଁ ଭୋଟଗ୍ରହଣ କରାଯିବ । ଏଥର ନିର୍ବାଚନରେ ପ୍ରଥମ ପସନ୍ଦର ୩୦ଟି ଭୋଟ ପାଇଲେ ଜଣେ ରାଜ୍ୟସଭାକୁ ନିର୍ବାଚିତ ହୋଇପାରିବ । ତେଣୁ ସଂଖ୍ୟାଦୃଷ୍ଟିରୁ ୧୧୩ ଜଣ ବିଧାୟକଙ୍କ ଶକ୍ତିରେ ବିଜେଡିର ୩ଜଣ ପ୍ରାର୍ଥୀ ସହଜରେ ପ୍ରଥମ ପସନ୍ଦର ଭୋଟ ପାଇ ନିର୍ବାଚିତ ହୋଇପାରିବେ ।
 
ସମସ୍ତଙ୍କ ନଜର ରହିଛି ଚତୁର୍ଥ ଆସନ ଉପରେ । କିଏ କହୁଛନ୍ତି ଚତୁର୍ଥ ଆସନଟିକୁ ବିଜେଡିର ସଂଖ୍ୟା ହେଉନଥିବାରୁ ବିଜେପିକୁ ଟେକିଦେବ । ତେବେ ସଂଖ୍ୟାର ଖେଳରେ ଚତୁର୍ଥ ଆସନଟିକୁ ହାତେଇବା ବିଜେଡି ପାଇଁ କଷ୍ଟକର ହେବନାହିଁ । ବିଧାନସଭାରେ କଂଗ୍ରେସର ମାତ୍ର ୯ ଜଣ ବିଧାୟକ ଥିବାରୁ ଏହି ଜାତୀୟ ଦଳ ପ୍ରାର୍ଥୀ ଦେବା ସ୍ଥିତିରେ ମଧ୍ୟ ନାହିଁ । କାରଣ ରାଜ୍ୟସଭା ପ୍ରାର୍ଥିତ୍ୱ ପାଇଁ ଜଣଙ୍କୁ ୧୦ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ଯଦି ସିପିଏମ୍‌ର ଏକ ମାତ୍ର ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା କଂଗ୍ରେସକୁ ସମର୍ଥନ କରନ୍ତି ତେବେ ଯାଇ ଦଳ ପ୍ରାର୍ଥୀ ଦେବା ସ୍ଥିତିକୁ ଆସିବ । ହେଲେ କଂଗ୍ରେସ ଜିତିବା ଆଦୌ ସମ୍ଭବ ନୁହେଁ । ସେହିଭଳି ବିଜେପିର ୨୩ ଜଣ ବିଧାୟକ ଥିବାରୁ ଦଳ ପ୍ରାର୍ଥୀ ସିନା ଦେଇପାରିବ, ହେଲେ ଜିତାଇବା ସହଜ ନୁହେଁ । ବିଜେଡିରୁ ଆଉ ୭ ଜଣ ବିଧାୟକଙ୍କୁ ଫଟେଇ କ୍ରସ୍ ଭୋଟିଂ କରେଇବା ବିଜେପି ପାଇଁ ଏକ  ସ୍ୱପ୍ନ ।  ତେବେ ତିନି ଜଣ ପ୍ରାର୍ଥୀଙ୍କୁ ବିଜେଡିର ୯୦ ଜଣ ବିଧାୟକ ପ୍ରଥମ ପସନ୍ଦର ଭୋଟ ଦେଇସାରିବା ପରେ ଚତୁର୍ଥ ପ୍ରାର୍ଥୀଙ୍କ ସପକ୍ଷରେ ଆଉ ୨୩ ଜଣ ବିଧାୟକଙ୍କ ଭୋଟ ମିଳିବ ।
 
ରାୟଗଡ଼ାର ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ବିଜେଡିକୁ ସମର୍ଥନ କରୁଥିବାରୁ ତାଙ୍କ ଭୋଟ ମଧ୍ୟ ବିଜେଡି ପ୍ରାର୍ଥୀ ସପକ୍ଷରେ ଯିବ । ପରବର୍ତ୍ତୀ ଗଣତିରେ ଜିତିଥିବା ପ୍ରଥମ ତିନି ଜଣଙ୍କ ପ୍ରାର୍ଥୀଙ୍କୁ ପ୍ରଥମ ପସନ୍ଦର ଭୋଟ ଦେଇଥିବା ବିଧାୟକମାନଙ୍କ ଦ୍ୱିତୀୟ ପସନ୍ଦର ଭୋଟ ଗଣତି କରାଯିବ । ବିଜେଡିର ଯେଉଁ ୯୦ ଜଣ ବିଧାୟକ ପ୍ରଥମ ୩ ଜଣ ପ୍ରାର୍ଥୀଙ୍କୁ ପ୍ରଥମ ପସନ୍ଦର ଭୋଟ ଦେଇଥିବେ ସେମାନେ ଚତୁର୍ଥ ପ୍ରାର୍ଥୀଙ୍କୁ ମଧ୍ୟ ଦ୍ୱିତୀୟ ପସନ୍ଦ ଭାବେ ଭୋଟ ଦେଇଥିବେ । ତେଣୁ ଦ୍ୱିତୀୟ ପସନ୍ଦର ଭୋଟ ଗଣତିରେ ବିଜେଡିର ଚତୁର୍ଥ ପ୍ରାର୍ଥୀ ନିଶ୍ଚିତ ଭାବେ ବିଜେପି ପ୍ରାର୍ଥୀଙ୍କଠାରୁ ଆଗରେ ରହିବେ । ତେଣୁ ଚାରୋଟି ଯାକ ରାଜ୍ୟସଭା ଆସନ ହାତେଇବା ବିଜେଡି ପାଇଁ ଅସମ୍ଭବ ନୁହେଁ ।
Share

Leave a Reply

Your email address will not be published. Required fields are marked *

1 × 2 =