ପ୍ରେମ ସଂପର୍କରେ ପଡିଲାଣି ଭଟ୍ଟା

ଘୋଷଣା ସିନା ହେଲା, ଦଳ ଗଠନ ନେଇ ସନ୍ଦେହ

ଭୁବନେଶ୍ବର () ବିଜେଡିରୁ ବହିଷ୍କୃତ ପାରାଦ୍ବୀପ ବିଧାୟକ ଡାକ୍ତର ଦାମୋଦର ରାଉତ ଏବଂ ଶିଳ୍ପପତିରୁ ରାଜନେତା ସାଜିଥିବା ବୈଜୟନ୍ତ ପଣ୍ଡାଙ୍କ ପ୍ରେମ ସଂପର୍କରେ ପଡିଲାଣି ଭଟ୍ଟା । ଦାମ ରାଉତ ବିଜେଡିରୁ ବହିଷ୍କୃତ ହେବା ମାତ୍ରେ ଆତ୍ମିୟତା ପ୍ରଦର୍ଶନ କରିବାକୁ ମାତ୍ର କେଇ ଘଣ୍ଟା ମଧ୍ୟରେ ତାଙ୍କ ସରକାରୀ ବାସଭବନକୁ ଦୌଡି ପହଁଚିଗଲେ ବୈଜୟନ୍ତ । ଏପରିକି ଏହି ଦୁଇ ଆତ୍ମଘୋଷିତ ବିଜୁ ଅନୁଗତ ନୂଆ ଏକ ଆଂଚଳିକ ଦଳ ଗଠନ କରି ରାଜନୀତିରୁ ହଜିଯାଇଥିବା କିଛି ବିଜୁ ଅନୁଗତଙ୍କୁ ଏକାଠି କରିବାକୁ ଯୋଜନା କଲେ । ଏବେ କିନ୍ତୁ ବିଜେଡି ବିରୋଧରେ ମଂଚ ଗଠନ କରିବାକୁ ମେଳି ବାନ୍ଧିଥିବା ଦାମ ଓ ବୈଜୟନ୍ତଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି ।

ଏକଥା ଆମେ କହୁନୁ । ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ ସଂକେତ ଦେଉଛି । ଏହି ଭିଡିଓରେ ଦାମ ରାଉତ ବୈଜୟନ୍ତଙ୍କ ଉପରେ ବର୍ଷିଛନ୍ତି । ବୈଜୟନ୍ତଙ୍କ ଉପରେ ଦାମଙ୍କ ଅସନ୍ତୋଷ ବାରିପଦା ସାଧାରଣ ସଭା ପରେ ସୃଷ୍ଟି ହୋଇଛି । ଦାମ ବାବୁଙ୍କ କହିବା ଅନୁଯାୟୀ, ଏହି ସଭାକୁ ଦୁଇ ନେତା ଏକାଠି ଯିବା କଥା । ପୂର୍ବରୁ ଯୋଜନା ମଧ୍ୟ ସେୟା ହୋଇଥିଲା । ସେଥିପାଇଁ ଉଭୟ ବାଲେଶ୍ବରରେ ଦୁଇଟି ଭିନ୍ନ ଭିନ୍ନ ହୋଟେଲରେ ଥିଲେ । ଦାମବାବୁ ଭୁବନେଶ୍ବରରୁ ଯାଇ ବାଲେଶ୍ବରରେ ରହିଥିଲେ, ଆଉ ବୈଜୟନ୍ତ ପଣ୍ଡା ଦେବଗଡରୁ ଫେରି ଆଉ ଏକ ହୋଟେଲରେ ରହିଥିଲେ ।

ପରଦିନ ବାରିପଦା ଯିବା ପାଇଁ ଦାମ ବାବୁ ବୈଜୟନ୍ତଙ୍କୁ 45 ମିନିଟ ଅପେକ୍ଷା କରି ଏକେଲା ଚାଲିଗଲେ । ବୈଜୟନ୍ତ ପଣ୍ଡା 12 କିଲୋ ମିଟର ଯାଇ ଦେହ ଖରାପ ଆଳରେ ଭୁବନେଶ୍ବର ଫେରିଗଲେ । କିନ୍ତୁ ଦାମ ବାବୁଙ୍କ କହିବା ଅନୁଯାୟୀ, ଏହି ସଭାରେ ବୈଜୟନ୍ତ ତାଙ୍କ କମ୍ପାନୀ ଇମ୍ଫାର ବିଦ୍ୟୁତ ଶିଳ୍ପ ବାବଦରେ 800 କୋଟି ଟଙ୍କା ହଡପ ସଂପର୍କରେ ପ୍ରଶ୍ନବାଣ ଶିକାର ହେବା ଖବର ପାଇଁ ଅଧାବାଟରୁ ଫେରିଗଲେ ।

ଏହି ଭିଡିଓରେ ଦାମ ବାବୁ ବୈଜୟନ୍ତଙ୍କୁ ଜଣେ ବ୍ୟବସାୟୀ ବୋଲି କହିବା ସହ ତାଙ୍କର କୌଣସି ରାଜନୈତିକ ଏଜେଣ୍ଡା ନାହିଁ । ଏପିରି ସେ ନିଜର ଆତ୍ମପ୍ରଚାର ପାଇଁ ଅନୌପଚାରିକ ଟି-ପାର୍ଟି କରି ବିପୁଳ ଅର୍ଥ ବରବାଦ କରୁଛନ୍ତି । ସୋସିଆଲ ମିଡିଆରେ ଦାମ ବାବୁଙ୍କ ଏଭଳି ବୟାନରୁ ଅନୁମାନ କରାଯାଉଛି ଯେ, ବୈଜୟନ୍ତ ଆଉ ଦାମ ବାବୁଙ୍କ ପାର୍ଟିରେ ଯୋଗ ଦେଇନପାରନ୍ତି । ସେପଟେ ପୂର୍ବରୁ ଦାମ ବାବୁ ଯେଉଁମାନଙ୍କ ନାଁ ନେଉଥିଲେ, ସେମାନେ ମଧ୍ୟ ଦାମ ବାବୁଙ୍କ ସହ ନାହାଁନ୍ତି ବୋଲି ସ୍ପଷ୍ଟ କରିସାରିଲେଣି ।

ସେହିଭଳି ଦାମ ବାବୁ ଘୋଷଣା କରିଥିବା ବିଜୁ ସମତାକ୍ରାନ୍ତି ଦଳ ଗଠନକୁ ନେଇ ମଧ୍ୟ ସନ୍ଦେହ ଦେଖା ଦେଇଛି । ସମତାକ୍ରାନ୍ତି ଦଳ ସହ ଦାମ ବାବୁ ମିଶିବେ ନା ବିଜୁଙ୍କ ନାଁ ଯୋଡିବେ ଏନେଇ ଉଭୟ ଦାମ ବାବୁ ଏବଂ ସମତା କ୍ରାନ୍ତି ଦଳ ପ୍ରତିଷ୍ଠାତା ବ୍ରଜ ତ୍ରିପାଠି ଦ୍ବନ୍ଦରେ ପଡିଛନ୍ତି। ବ୍ରଜ କହିଛନ୍ତି ସମତାକ୍ରାନ୍ତି ଦଳ ପଛରେ ବିଜୁ ନାମ ଯୋଡିବା ନେଇ ଏପର୍ଯ୍ୟନ୍ତ ଆଲୋଚନା ହୋଇନି। ଏପିରିକି ଦାମ ବାବୁ ଆଗୁଆ ଦଳ ଘୋଷଣା କରିବା ନେଇ ବ୍ରଜ କ୍ଷୁବ୍ଧ ହୋଇଛନ୍ତି ।

ବିଜୁ ସମତା କ୍ରାନ୍ତି ଦଳ ଗଠନ ନେଇ ହୋଇ ନାହିଁ ସହମତ। ସମତା କ୍ରାନ୍ତି ଦଳ ବି ଏପର୍ଯ୍ୟନ୍ତ ମୋହର ମାରିନି।  ବିଜୁ ନାଁ ଯୋଡା ହେବ କି ନାହିଁ ସେନେଇ ସମତା କ୍ରାନ୍ତି ସାଧରଣ ପରିଷଦ ବୈଠକରେ ଏ ନିଷ୍ପତି ହୋଇନି। ଏପଟେ ନିର୍ବାଚନ କମିଶନଙ୍କ ପାଖରେ ମଧ୍ୟ ଆଇନଗତ ସମସ୍ୟା ସୃ୍ଷ୍ଟି ହୋଇପାରେ।  କରଣ ସମତାକ୍ରାନ୍ତି ଦଳ ପଛରେ ବିଜୁ ନାମ ଯୋଡିବାକୁ ଅନୁମତି ମିଳିବ କି ନାହିଁ, ତାକୁ ନେଇ ଅଡୁଆ ରହିଛି। ନିଷ୍ପତ୍ତି ହୋଇଥିଲା ମିଳିତ ଭାବେ ଦଳର ନାଁ ଘୋଷଣା ହେବ, ହେଲେ ଦାମ ଆଗରୁ ଘୋଷଣା କରିବା ନେଇ ବ୍ରଜ ଖପ୍ପା।

ଏଭଳି ଏକ ସ୍ଥିତିରେ ପୁଣି ଥରେ ବିଜୁ ଜନତା ଦଳରୁ ବାହାରି ଦଳ ଗଠନ ଥିବା ନେତାଙ୍କ ସ୍ଥାୟୀତ୍ବ ନେଇ ତର୍ଜମା ଆରମ୍ଭ ହୋଇଛି । ବିଜେଡିରୁ ବାହାରିବା ପରେ ବିଜୟ ମହାପାତ୍ର,  ପ୍ୟାରିମୋହନ ମହାପାତ୍ର ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେବା ପାଇଁ ଦଳ ଗଢ଼ିଥିଲେ । ସମସ୍ତେ ଅସ୍ଥିତ୍ବ ହରାଇଛନ୍ତି । ଦାମ ରାଉତ ପୂର୍ବରୁ ମଧ୍ୟ ସମାନ ଢଙ୍ଗରେ ନବୀନଙ୍କୁ ଚ୍ୟାଲେଞ୍ଜ କରିବାକୁ ଚେଷ୍ଟା କରି ଫେଲ ମାରିଥିଲେ । 2011ରେ ମନ୍ତ୍ରୀମଣ୍ଡଳରୁ ଚାଷୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ବିଦା ହେବା ପରେ ବିଜୁ ବିଚାର ମଞ୍ଚ ଗଠନ କରିଥିଲେ । ସେ ମଂଚର ଅସ୍ତିତ୍ବ ମଧ୍ୟ ଲିଭିଯାଇଛି ।

Share

Leave a Reply

Your email address will not be published. Required fields are marked *

3 + 11 =