ବିଜେଡି ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ବୋଲି କହିଲେ ଧର୍ମେନ୍ଦ୍ର

ପଦ୍ମ ଧରିଲେ ଅବସରପ୍ରାପ୍ତ ଆଇଏଏସ ଅଫିସର ଅଶୋକ ତ୍ରିପାଠୀ

ଭୁବନେଶ୍ବର, (ନିପ୍ର): ଭାରତ ସରକାରଙ୍କ ଓଡିଶାରେ ଚାରି ବର୍ଷ କାମର ହିସାବ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ମଂଚରୁ ଦେଇଥିବା ତଥ୍ୟ ମିଥ୍ୟା ବୋଲି ରାଜ୍ୟର ପ୍ରଶାସନିକ ଅଧିକାରୀ ଓ ନିଜେ ମୁଖ୍ୟମନ୍ତ୍ରୀ କହିବାକୁ ଆହ୍ବାନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଅଶୋକ ତ୍ରିପାଠୀ ତଥା ବଡମ୍ବା ଅଂଚଳର ଅନ୍ୟାନ୍ୟ ଶତାଧିକ ବ୍ୟକ୍ତିବିଶେଷଙ୍କ ବିଜେପିରେ ଯୋଗଦାନ ପାଇଁ ଆୟୋଜିତ ମିଶ୍ରଣ ପର୍ବରେ ଶ୍ରୀ ପ୍ରଧାନ ବିଜେଡି ମଂଚରୁ ଓଡିଶାକୁ ମୋଦି ସରକାରଙ୍କ ଅବଦାନର ହିସାବକୁ ଭୁଲ ବୋଲି କହିବା ଓ ତାଙ୍କୁ ପଚରା ଯାଇଥିବା ପ୍ରଶ୍ନ ଗୁଡିକର ଆହ୍ବାନକୁ ସେ ସ୍ବୀକାର କରୁଛନ୍ତି ଓ ଏହାର ଗୋଟି ଗୋଟି ଉତର ଦେବାକୁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ।

ସେ କହିଛନ୍ତି ଯେ, ପ୍ରତାପ ଦେବ, ପ୍ରତାପ ଜେନା, ସଂଜୟ ଦାସବର୍ମା, ଅରୁଣ ସାହୁ ପ୍ରଭୃତି ପ୍ରଶ୍ନକର୍ତାଙ୍କୁ ସେ  ନିମନ୍ତ୍ରଣ କରୁଛନ୍ତି । ସେମାନଙ୍କୁ ଚା ପିଆଇ ସମସ୍ତ ପ୍ରଶ୍ନକୁ ସେ ବୁଝାଇ ଦେବେ ବୋଲି କହିଛନ୍ତି । ମାତ୍ର ଏହି ନେତାମାନଙ୍କ ମନର କଷ୍ଟକୁ ସେ ଭଲ ଭାବରେ ବୁଝିପାରନ୍ତି । ସେମାନେ ତୃତୀୟ ମହଲାର ଘୋଷିଥିବା ଶବ୍ଦର ପାରା । କା ରେ ଶାସନ ଚଳାଉଥିବା କଳାପାହାଡଙ୍କର କୁହାଯାଇଥିବା ଶବ୍ଦକୁ ଗଣମାଧ୍ୟମ ଆଗରେ ପ୍ରକାଶ କରିବା ସେମାନଙ୍କର ବାଧ୍ୟବାଧକତା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ମୋଦି ସରକାର ଆସିବା ପରେ ୫୪୪୯ କିମି ଜାତୀୟ ରାଜପଥ ଓଡିଶାକୁ ଆସିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏଥିରୁ ଶେଷ ଅଢେଇ ହଜାର କିମିର ରାଜପଥ ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀଙ୍କ ଦଫତରରୁ ଆସି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କେତେ ଦିନ ହେଲା ପଡି ରହିଛି ତାହାର ଉତର ମୁଖ୍ୟମନ୍ତ୍ରୀ ତତକ୍ଷଣାତ ପ୍ରଦାନ କରନ୍ତୁ ବୋଲି ଶ୍ରୀ ପ୍ରଧାନ ଆହ୍ବାନ ଜଣାଇଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଭାରତୀୟ ପ୍ରଶାସନିକ ସେବାର ପୂର୍ବତନ ବରିଷ୍ଠ ଅଧିକାରୀ ଅଶୋକ କୁମାର ତ୍ରିପାଠୀଙ୍କ ସମେତ ଭୂବନେଶ୍ବର ଏବଂ କଟକ ଜିଲ୍ଲା ବଡମ୍ବା ଅଂଚଳରର ବହୁ ରାଜନୈତିକ ବ୍ୟକ୍ତିବିଶେଷ, ବରିଷ୍ଠ ନାଗରି ଏବଂ ବୁଦ୍ଧିଜୀବିମାନେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଛନ୍ତି ବୋଲି ପୂର୍ବତନ ରାଜସ୍ୱ ବୋର୍ଡ ସଦସ୍ୟ ଓ କେବିକେ ପ୍ରଶାସକ ଶ୍ରୀ ତ୍ରିପାଠୀ ଏହି ଅବସରରେ କହିଛନ୍ତି । ଗତ ୪ ବର୍ଷ ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦୀଙ୍କ ଶାସନରେ ଦେଶକୁ ବିକାଶ ଦିଗରେ ଆଗେଇ ନେଇଛନ୍ତି । ସେହିପରି ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ତରଫରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ବିକାଶ ପାଇଁ ୧ ଲକ୍ଷ ୫ ହଜାର କୋଟି ଟଙ୍କାର ବିନିଯୋଗ କରାଇଛନ୍ତି । ଆଗମୀ ଦିନରେ ଓଡିଶାରେ ବିଜେପି ସରକାର ଆସିଲେ ରାଜ୍ୟର ବିକାଶ ଆହୁରି ତ୍ବରାନ୍ବିତ ହୋଇପାରିବ ବୋଲି ଶ୍ରୀ ତ୍ରିପାଠୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

14 − 3 =