ବିଜେପିରେ ଅଣଓଡ଼ିଆଙ୍କ ପ୍ରବେଶରେ ଧର୍ମେନ୍ଦ୍ର କ୍ୟାମ୍ପ ଆତଙ୍କିତ

ଭୁବନେଶ୍ଵର (): କେନ୍ଦ୍ରୀୟ ପ୍ରଶାସନିକ ପଦରୁ ଇସ୍ତଫା ଦେଇଥିବା ଅପରାଜିତା ଷଡ଼ଙ୍ଗୀ ଆସନ୍ତା 27 ତାରିଖରେ ଦିଲ୍ଲୀରେ ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିବେ । ଦଳର ସଭାପତି ଅମିତ ଶାହଙ୍କ ଉପସ୍ଥିତିରେ ଏଥିପାଇଁ ଏକ ସ୍ଵତନ୍ତ୍ର ଆୟୋଜନ କରାଯାଇଛି। ଡିସେମ୍ବର ୧ ତାରିଖରେ ଭୁବନେଶ୍ଵର ଫେରିବା ପରେ ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଜଣାପଡିଛି ।

ଆଜି ସେ ଟ୍ୱିଟ କରି କହିଛନ୍ତି ଯେ, ସେ ଏକ ସ୍ଥାୟୀ ଗ୍ରହ ଭଳି ବଞ୍ଚିବାକୁ ଚାହାଁନ୍ତିନି । ସେ ଏକ ବିଶାଳ ଉଲକା ଭଳି ନିଜ ମଧ୍ୟରେ ଥିବା ସବୁ ପରମାଣିକ ଶକ୍ତି ସହ ଉଜ୍ବଳ ହୋଇ ବଞ୍ଚାବାକୁ ପସନ୍ଦ କରନ୍ତି । ଏଥିସହ ସେ କହିଛନ୍ତି ଯେ, ପ୍ରତ୍ୟେକ ମଣିଷ  କେବଳ ନିଜ ଅସ୍ତିତ୍ବ ପାଇଁ ନୁହଁ ବଞ୍ଚିବାକୁ ଗୁରୁତ୍ୱ ଦେବା ଆବଶ୍ୟକ । ଏଥିସହ ସେ ମାନବ କଲ୍ୟାଣ ପାଇଁ ନିଜକୁ ନିୟୋଜିତ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ।

ଅପରାଜିତାଙ୍କ ଏହି ଟ୍ୱିଟରୁ ଗୋଟିଏ କଥା ସ୍ପଷ୍ଟ ଯେ, ସେ କୌଣସି ସାଧାରଣ କର୍ମୀ ଭାବେ ବିଜେପିରେ ଯୋଗ ଦେବେନି । ବରଂ କିଛି ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିବେ । ବିଜେପିର ଆଭ୍ୟନ୍ତରୀଣ ସୂତ୍ର କହୁଛି ଆପରାଜିତା ଆଗାମୀ ଦିନରେ ରାଜ୍ୟ ବିଜେପିର ମଙ୍ଗ ଧରିବେ । କେନ୍ଦ୍ରୀୟ ନେତାଙ୍କ ଅପରାଜିତାଙ୍କୁ ନେଇ ରହିଥିବା ଆଭିମୁଖ୍ୟ ରାଜ୍ୟର ଏକ ଗୋଷ୍ଠୀକୁ ଚକିତ କରୁଛି ।

ଗତ ପଂଚାୟତ ନିର୍ବାଚନରରେ ବିଜେପି ଯେଉଁ ସଫଳତା ପାଇଲା ଏଥିରେ ରାଜ୍ୟ ନେତାଙ୍କ ଯୋଗଦାନ ନାହିଁ । କଂଗ୍ରେସର ନିଷ୍କ୍ରିୟତାର ସୁଯୋଗ ପାଇଲେ ବିଜେପି ପ୍ରାର୍ଥୀ । କାରଣ ପଞ୍ଚାୟତକୁ ନେଇ ରାଜ୍ୟ ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ବହାସ୍ଫୋଟ ମାରୁଥିଲେ ତାହା ବିଜେପୁର ଓ ପରବର୍ତ୍ତୀ 25ରୁ ଅଧିକ ଜିଲ୍ଲା ପରିଷଦ, ସରପଂଚ, ସମିତି ସଭ୍ୟ ଓ ପୌର ପରିଷଦ ଉପନିର୍ବାଚନରେ ପାଣି ଫୋଟକା ଭଳି ମିଳେଇ ଯାଇଛି ।

ଏହି ଦୃଷ୍ଟିରୁ କେନ୍ଦ୍ରୀୟ ନେତାମାନେ ରାଜ୍ୟ ନେତୃତ୍ୱରେ ପରିବର୍ତ୍ତନ ପାଇଁ ଚିନ୍ତା କରୁଛନ୍ତି । ସମ୍ପ୍ରତି ରାଜନୈତିକ ପାଣିପାଗ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ନେତୃତ୍ୱ ଦେଇ ରାଜ୍ୟର ମହିଳା ଭୋଟରଙ୍କୁ ବିଭାଜିତ କରିବାକୁ ଯୋଜନା ହେଉଛି । ଏହାଦ୍ୱାରା ଏଇ କେଇ ବର୍ଷ ହେଲା ଧର୍ମେନ୍ଦ୍ରଙ୍କ କ୍ୟାମ୍ପର କିଛି ନେତା, ଯେଉଁମାନେ ଏବେ ଦଳରେ ବଡ ବଡ ଦାୟିତ୍ୱରେ ଅଛନ୍ତି ସେମାନେ ଆଗକୁ ନିଜ ଭବିଷ୍ୟତକୁ ନେଇ ଆତଙ୍କିତ । କାରଣ ଆପରାଜିତା ଦାଇତ୍ୱ ନେଲେ ସେ ନିଜ ଟିମ ଗଢିବା ସ୍ୱାଭାବିକ ।

ଏଥିସହ ଆଗକୁ ରାଜ୍ୟରେ ବିଜେପି କ୍ଷମତା ଦଖଲ କରିବାରେ ସଫଳ ହେଲେ ଧର୍ମେନ୍ଦ୍ର ଏକମାତ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଦାବିଦର ଥିଲେ । ଅପରାଜିତାଙ୍କ ଯୋଗଦାନ ପରେ ବିଜେପିରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଧର୍ମେନ୍ଦ୍ରଙ୍କ ଜଣେ ନୂଆ ପ୍ରତିଯୋଗୀ ଠିଆ ହେବେ । ଆଉ ମହିଳା ସଶକ୍ତିକରଣ ପ୍ରମାଣ ଦେବାକୁ ଯାଇ କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଅପରାଜିତାଙ୍କଠି ମୋହରା ମାରିବେ । ଏପରିକି ଆଗକୁ ଧର୍ମେନ୍ଦ୍ରଙ୍କୁ ମଧ୍ୟ ଅପରାଜିତାଙ୍କ ନିର୍ଦେଶରେ କାମ କରିବାକୁ ପଡିପାରେ । ଏମିତି କିଛି ସମ୍ଭାବ୍ୟ ସ୍ଥିତିକୁ ନେଇ ଧର୍ମେନ୍ଦ୍ରଙ୍କ କ୍ୟାମ୍ପ ଆତଙ୍କିତ ।

Share

Leave a Reply

Your email address will not be published. Required fields are marked *

four × one =