ରାଜନୀତିରୁ ସନ୍ୟାସ ନେବା ଛଡା ବିକଳ୍ପ ନାହିଁ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲା ଚ୍ୟାଲେଂଜ କରି ବିଜେଡିରୁ ବହିସ୍କୃତ ନେତା ଡାକ୍ତର ଦାମୋଦର ରାଉତ ଏବେ ବିଜେପିରେ ବି ଅଲୋଡା ହୋଇଗଲେଣି । ନିର୍ବାଚନ ସମୟରେ ବିଜେପିରେ ଯୋଗ ଦେଇ ଏରସମା-ବାଲିକୁଦା ଆସନରୁ ଲଢିଥିଲେ । ଏପରିକି ସେ ସମୟରେ ସେ ଦଳର ଅନ୍ୟତମ ଷ୍ଟାର କ୍ୟାମ୍ପେନର ମଧ୍ୟ ହୋଇଥିଲେ । ହେଲେ ଏବେ ନା ଦଳ ତାଙ୍କୁ ପଚାରୁଛି ନା ବିଜେପୁର ଉପନିର୍ବାଚନ ପାଇଁ ପ୍ରସ୍ତୁତ ଷ୍ଟାର କ୍ୟାମ୍ପେନର ତାଲିକାରେ ତାଙ୍କୁ ନିଆଯାଇନି । ଫଳରେ ବାଧ୍ୟ ହୋଇ ସେ ରାଜନୀତିରୁ ସନ୍ୟାସ ନେବେ କହିଛନ୍ତି ।

ନିଜକୁ ଓଡିଶା ରାଜନୀତିର ତୁରଙ୍ଗବାଜ ବୋଲି କହୁଥିବା ଦାମୋଦରଙ୍କ ହାତ ନବୀନ ଛାଡିଦେବା ପରେ ଆଉ ତାଙ୍କୁ କେହି ଗ୍ରହଣ କରିବା ସ୍ଥିତିରେ ନାହାଁନ୍ତି । ସେ ବିଜେପିରେ ଯୋଗ ଦେଇଥିଲେ ବି ଦଳୀୟ ନେତୃତ୍ବ ତାଙ୍କୁ ସେତିକି ଗୁରୁତ୍ବ ଦେଉନି । ନିର୍ବାଚନ ପରଠାରୁ ସେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପାଦ ଦେଇନାହାଁନ୍ତି କି ଦଳ ପକ୍ଷରୁ ତାଙ୍କୁ ଡକରା ମଧ୍ୟ ଆସୁନି । କେବଳ ସେତିକି ନୁହେଁ, ବିଭିନ୍ନ ଦଳୀୟ ରାଜନୈତି କାର୍ଯ୍ୟକ୍ରମରେ ଦଳ ତାଙ୍କ ମତ ମଧ୍ୟ ଲୋଡୁନାହିଁ । ଦେଖିବାକୁ ଗଲେ ସେ ଏବେ ରାଜ୍ୟ ରାଜନୀତିରେ ସମ୍ପୁର୍ଣ୍ଣ ଭାବେ ଅବାଞ୍ଛିତ ନେତା ହୋଇଯାଇଛନ୍ତି ।

ଗୋଟେ ସମୟରେ ସେ ବିଜେଡିରେ ଥିବା ବେଳର ଦଳର ନୀତି ବିରୋଧୀ ଏବଂ ନିଜ ଦଳର ନେତା ଓ ମନ୍ତ୍ରୀଙ୍କ ବିରୋଧରେ ଗଣମାଧ୍ୟମରେ ବିବାଦୀୟ ବିବୃତ୍ତି ଦେଇ ସବୁବେଳେ ଚର୍ଚ୍ଚାରେ ରହୁଥିଲେ । ଏବେ ଗଣମାଧ୍ୟମ ବି ତାଙ୍କୁ ଗୁରୁତ୍ବ ଦେଉନି । ଏଥିସହିତ ରାଜ୍ୟର ଯେକୌଣସି ନିର୍ବାଚନମଣ୍ଡଳୀରେ ଛିଡା ହେଲେ ଜିତିବାର ଦାବି କରୁଥିବା ନେତା ନିଜ ଗଡ ଏରସମା-ବାଲିକୁଦାରେ ଜିତି ପାରିଲେ ନାହିଁ । ଏପରିକି ସେ ଯେଉଁସବୁ ଜିଲ୍ଲାକୁ ପ୍ରଚାରକୁ ଯାଇଥିଲେ, ସେଠାରେ ମଧ୍ୟ ତାଙ୍କ ଗସ୍ତ ବିଶେଷ କଛି ଫଳ ଦେଇନି । ସର୍ବୋପରି ସେ ବିଜେଡିରେ ଥିବା ବେଳେ ଯେମିତି ନବୀନଙ୍କ ବିରୋଧରେ କହୁଥିଲେ, ସେହିଭଳି ବିଜେପିରେ ଥାଇ ଦଳର କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟ ବିଜେପିର ମଙ୍ଗୁଆଳ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ବିଷ ଉଗାଉଳଛନ୍ତି । ଯାହାକୁ ଦଳ ଗ୍ରହଣ କରିପାରୁନି ।

ଦାମଙ୍କ ଏଭଳି ଆଚରଣ ପାଇଁ ତାଙ୍କୁ କଂଗ୍ରେସ ମଧ୍ୟ ଗ୍ରହଣ କରିପାରୁନି । ବିଜେଡିକୁ ଆଉ ଫେରିବାର ବାଟ ନାହିଁ, ବିଜେପିରେ ବି ଅଲୋଡା ହେଲେଣି । ତେଣୁ ରାଜନୀତିରୁ ସନ୍ୟାସ ନେବା ଛଡା ତାଙ୍କ ପାଖରେ ଆଉ ବିକଳ୍ପ ନାହିଁ । ତେଣୁ ବିଜେପିରୁ ଅପମାନିତ ହୋଇ ବାହାରିବା ପରିବର୍ତ୍ତେ ସେ ଆଗୁଆ ନିଜ ସନ୍ୟାସ ନେବା କଥା ଘୋଷଣା କରିଦେଇଛନ୍ତି ।

ଏ ସମ୍ପର୍କରେ ନିଜର ପ୍ରତିକ୍ରିୟାରେ ବିଜେପି ବିରୋଧରେ ବିଷୋଦଗାର କରିଛନ୍ତି ଦାମ । କହିଛନ୍ତି ଯେ, ସାଧାରଣ ନିର୍ବାଚନ ପରେ ଦଳ ମୋତେ ଆଉ ଅବଶ୍ୟକତା କରୁନି । ଏପରିକି ପୂର୍ବରୁ ହେଲିକପ୍ଟରରେ ବୁଲାଇଲେ, ଏବେ ଅଲୋଡ଼ା କରିଦେଲେ।

Share

Leave a Reply

Your email address will not be published. Required fields are marked *

three × three =