ଦେଶ ହରାଇଲା ଆଉ ଏକ ରତ୍ନ

ଭୁବନେଶ୍ବର (): ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ପୁର୍ବତନ ପ୍ରଧାନମନ୍ତ୍ରୀ ଜନମାନସର ହୃଦୟ ସମ୍ରାଟ ଅଟଳ ବିହାରୀ ବାଜପାୟୀ। ମୃତ୍ୟୁବେଳକୁ ତାଙ୍କୁ ୯୩ବର୍ଷ ହୋଇଥିଲା। ଗତ ୩୬ ଘଣ୍ଟା ମଧ୍ୟରେ ତାଙ୍କ ସ୍ବାସ୍ଥ୍ୟ ବହୁତ ଖରାପ ହୋଇଯାଇଥିଲା। ବାଜପାୟୀ ପରିସ୍ରାରେ ସଂକ୍ରମଣ ଓ କିଡନୀ ସମସ୍ୟା ଥିଲା। ତେଣୁ ଗତ ଜୁନ ୧୧ତାରିଖରୁ ଚିକିତ୍ସାରେ ଥିଲେ।

ଅଟଳଙ୍କ ସ୍ବାସ୍ଥ୍ୟ ଗତକାଲିଠାରୁ ବହୁତ ଖରାପ ହୋଇଯାଇଥିଲା। ଏହି ଖବର ପ୍ରଚାରିତ ହୋଇଯିବା ପରେ ବିଭିନ୍ନ ରାଜନୈତିକ ଦଳର ନେତା, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଅଟଳଙ୍କ ଶେଷ ଦର୍ଶନ ପାଇଁ ଏମସରେ ଲମ୍ୱା ଲାଇନ ଲଗାଇଛନ୍ତି।

୧୯୨୪ ଡିସେମ୍ବର ୨୫ ତାରିଖରେ ଗୋଆଲିୟରରେ ଜନ୍ମଗ୍ରହଣ କରିଥିବା ଅଟଳ ବିହାରୀ ବାଜପାୟୀ ଭାରତୀୟ ରାଜନୀତି ଇତିହାସରେ ୩ଥର ପ୍ରଧାନମନ୍ତ୍ରୀ ପଦ ଅଳଂକୃତ କରିଥିଲେ। ଯୁଗ ପୁରୁଷ ଅଟଳ ବିହାରୀ ବାଜପାୟୀ ୧୯୯୬ରେ ପ୍ରଥମ ଥର ପାଇଁ ମାତ୍ର ୧୩ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବାବେଳେ ୧୯୯୮ରୁ ୧୯୯୯ ପର୍ଯ୍ୟନ୍ତ ୧୩ମାସ ପାଇଁ ଦ୍ବିତୀୟ ଥର ଓ ପରେ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ।

ଦୀର୍ଘ ୪ଦଶନ୍ଧୀ ଧରି ଅଟଳ ବିହାରୀ ବାଜପାୟୀ ସଂସଦର ସଦସ୍ୟ ଥିଲେ। ସେ ଲୋକସଭାକୁ ୧୦ଥର ନିର୍ବାଚିତ ହୋଇଥିବାବେଳେ ରାଜ୍ୟସଭାକୁ ୨ଥର ନିର୍ବାଚିତ ହୋଇଥିଲେ। ୨୦୦୯ରେ ରାଜନୀତିରୁ ସନ୍ୟାସ ନେଲାବେଳକୁ ସେ ଉତ୍ତରପ୍ରଦେଶର ଲକ୍ଷ୍ନୌ ସଂସଦୀୟ କ୍ଷେତ୍ରର ସାଂସଦ ଥିଲେ। ଅଟଳ ବିହାରୀ ବାଜପାୟୀ ଭାରତୀୟ ଜନସଂଘର ପ୍ରତିଷ୍ଠାତା ସଦସ୍ୟ ଭାବେ ୧୯୬୮ରୁ ୧୯୭୨ ପର୍ଯ୍ୟନ୍ତ ଏହାର ସଭାପତି ଥିଲେ। ସେ ପ୍ରଧାନମନ୍ତ୍ରୀ ମୋରାଜୀ ଦେଶାଇଙ୍କ କ୍ୟାବିନେଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ହୋଇଥିଲେ।

ଜନତା ସରକାରର ପତନ ପରେ ବାଜପାୟୀ ଭାରତୀୟ ଜନସଂଘକୁ ୧୯୮୦ରେ ଭାରତୀୟ ଜନତା ପାର୍ଟିରେ ପରିଣତ କରିଥିଲେ। ଅଣକଂଗ୍ରେସ ନେତା ଭାବେ ଅଟଳ ବିହାରୀ ବାଜପାୟୀ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ହେବା ସୌଭାଗ୍ୟ ଅର୍ଜନ କରିଥିଲେ। କେବଳ ସୌତିକି ନୁହେଁ ସେ ନିଜ ସରକାରକୁ କଂଗ୍ରେସ ଭଳି ପୁରା ସମୟ ଚଳାଇଥିଲେ।

୨୦୧୪ରେ ଅଟଳ ବିହାରୀ ବାଜପାୟୀଙ୍କୁ ଭାରତ ସରକାର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ତାଙ୍କ ବାସଭବନରେ ସମ୍ମାନୀତ କରାଯାଇଥିଲା। ୨୦୧୪ରେ ତାଙ୍କ ଜନ୍ମଦିନ ୨୫ ଡିସେମ୍ବରକୁ ‘ଗୁଡ ଗଭର୍ଣ୍ଣାସ ଡେ’ ଭାବେ ମୋଦି ସରକାର ଘୋଷଣା କରିଛନ୍ତି।

Share

Leave a Reply

Your email address will not be published. Required fields are marked *

three × 3 =