ପୁଣି ଦିଲ୍ଲୀ ଅଶାନ୍ତ, ଜଣେ କନେଷ୍ଟବଳ ମୃତ

ନୂଆଦିଲ୍ଲୀ () ଦିଲ୍ଲୀର କରାୱଲ ନଗରରେ ରବିବାର ରାତି ସିଏଏ (ନାଗରିକତା ସଂଶୋଧନ ଆଇନ) ଓ ଏନଆରସିକୁ ନେଇ ୨ଟି ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ହୋଇଛି । ହିଂସାକାଣ୍ଡ ସମୟରେ ଦିଲ୍ଲୀ ପୋଲିସର ହେଡ଼୍ କନେଷ୍ଟବଳ ରତନ ଲାଲଙ୍କ ମୃତ୍ୟୁ ହୋଇଛି । ଏସପି ଗୋକୁଲପୁର ଅଫିସରେ କାର୍ୟ୍ୟରତ ଥିଲେ ମ୍ୟୃତ କନେଷ୍ଟବଳ । ଏହି ହଂସାକାଣ୍ଡରେ ଅନେକ ପୋଲିସ୍ କର୍ମୀ ଆହତ ହୋଇଛନ୍ତି । କେବଳ ଏତିକି ନୁହେଁ ଶହାଦରାର ଡିଏସପି ଅମିତ ଶର୍ମା ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ପତପଡ଼ଗଞ୍ଜର ଏକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଉତ୍ତେଜିତ ଲୋକେ ୧୦ଟି ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି । ଏଥିରେ ୬ଟି ମୋଟର ସାଇକେଲ, ୩ଟି ଅଟୋ ଓ ଗୋଟିଏ କାର ସଂପୂର୍ଣ୍ଣ ରୂପେ ଜଳିଯାଇଥିଲା ।

ଉତ୍ତର ପୂର୍ବ ଦିଲ୍ଲୀରେ ଥିବା ୧୦ଟି ସ୍ଥାନରେ ଏବେ ଧାରା ୧୪୪ ଲାଗୁ କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ଟୁଇଟ୍ କରି ଶାନ୍ତି ବଜାୟୀ ରଖିବାକୁ ଆହ୍ୱାନ କରିଛନ୍ତି। ଉପରାଜ୍ୟପାଳ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ମଧ୍ୟ ଆଇନ ବ୍ୟବସ୍ଥା ଠିକ୍ କରିବାକୁ ନିବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ।

ସୂଚନା ଅନୁସାରେ, ରବିବାର ରାତି ୮ରୁ ୮ଟା ୩୦ ମଧ୍ୟରେ ଏକ ଗୋଷ୍ଠୀର ଲୋକେ ସିଏଏ ଓ ଏନଆରସି ସମର୍ଥନରେ ଶୋଭାଯାତ୍ରା ବାହାର କରିଥିଲେ । ରାଲି ଯେତେବେଳେ ଶେରପୁର ଛକ ନିକଟରେ ପହଞ୍ଚିଥିଲା, ଏକ ହୋଟେଲ ନିକଟ ଦେଇ ଯିବା ବେଳେ ହୋଟେଲର କିଛି ଲୋକ ଯୁକ୍ତିତର୍କ କରିଥିଲେ । ଏହି ସମୟରେ ଉଭୟ ଗୋଷ୍ଠୀ ତରଫରୁ ପଥରମାଡ଼ ହୋଇଥିଲା । ଫଳରେ କିଛି ଲୋକ ଆହତ ହୋଇଥିଲେ । ପୋଲିସ ହିଂସାରେ ସାମିଲ ଥିବା ଲୋକଙ୍କୁ ଗିରଫ କରିବା ପାଇଁ ସିସିଟିଭି ଯାଞ୍ଚ କରୁଛି ।

Share

Leave a Reply

Your email address will not be published. Required fields are marked *

16 − thirteen =