‘ସାମ୍ପ୍ରଦାୟିକ’ ବିଜେପି, ବିଜେଡି ପାଇଁ ବିପଦ ନୁହେଁ

  • ବୈଜୟନ୍ତ ବିଜେଡିର ପ୍ରାଥମିକ ସଦସ୍ୟ ନଥିଲେ : ନବୀନ
  • କ୍ଷମତା ଦଖଲ ପାଇଁ ଚକ୍ରାନ୍ତ କରିଥିଲେ ବୈଜୟନ୍ତ
  • କୌଣସି ଜାତୀୟ ଦଳ ଏକକ ସଂଖ୍ୟା ଗରିଷ୍ଠତା ପାଇବେନି
  • ଓଡିଶାବାସୀ ବାଛିବେ ତାଙ୍କ ଉତ୍ତରାଧିକାରୀ

ଭୁବନେଶ୍ୱର () ବିଜେପି ନେତୃତ୍ୱାଧୀନ ଏନଡିଏ ଦେଶର ଅନ୍ୟ ଅଂଚଳ ପାଇଁ ଭୟ ହୋଇପାରେ, କିନ୍ତୁ ଓଡିଶାରେ ବିଜେଡିକୁ କୌଣସି ଭୟ ନାହିଁ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏଥିସହିତ ବିଜେପି ଏବେ ବି ଏକ ସାମ୍ପ୍ରଦାୟିକ ଦଳ ବୋଲି ସେ ବିବେଚନା କରୁଛନ୍ତି । ତେଣୁ ସେ ଏବଂ ତାଙ୍କ ଦଳ ଏବେ ବି ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ନୀତି ଅବଲମ୍ବନ କରୁଛନ୍ତି ।

କେନ୍ଦ୍ର ସରକାରଙ୍କ ନିଯୁକ୍ତି ପ୍ରତିଶୃତି ପୂରଣ ନକରିବା, ଚାଷୀ ସମସ୍ୟାର ସମାଧାନ ନହେବା ଏବଂ ଅନେକ ଏଭଳି ପ୍ରତିଶ୍ରୁତି ଦେଇଥିଲେ ଯାହାକୁ ପୁରଣ କରିନାହାଁନ୍ତି ବିଜେପି ସରକାର । ତେଣୁ ସାଧାରଣ ଲୋକେ କେନ୍ଦ୍ର ସରକାର ପ୍ରତି ବିମୁଖ ହୋଇଛନ୍ତି । ଏମିତି କିଛି ରାଜନୈତିକ ଦୃଶ୍ୟପଟରୁ ସ୍ପଷ୍ଟ ହେଉଛି ଯେ, କୌଣସି ଜାତୀୟ ଦଳ କେନ୍ଦ୍ରରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବେ ନାହିଁ । ଆଞ୍ଚଳିକ ଦଳଗୁଡିକର ଏଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମୀକା ନେବେ ବୋଲି ନବୀନ ପୂର୍ବାନୁମାନ କରିଛନ୍ତି । ଆଜି ଏନଡିଟିଭିକୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ ଏହା କହିଛନ୍ତି ।

ଏହି ସାକ୍ଷାତକାର ନବୀନଙ୍କ ସକାଳ ବ୍ୟାୟାମରୁ ଆରମ୍ଭ ହୋଇଥିଲା । ଯେଉଁଥିରେ ସେ ନିଜକୁ ପୂରା ଫିଟ ବୋଲି ଦର୍ଶାଇବା ସହ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ମିଛ ପ୍ରଚାର କରୁଛନ୍ତି ବୋଲି କହିଛନ୍ତି ।

ବୈଜୟନ୍ତ ପଣ୍ଡା ଜଣେ ଉଚ୍ଚାଭିଳାଷୀ ଏବଂ କ୍ଷମତା ପାଇଁ ତରବରିଆ ବ୍ୟକ୍ତିତ୍ୱ । ସେ ତାଙ୍କୁ ତାଙ୍କ ପଦବୀରୁ ହଟେଇବାକୁ ଚେଷ୍ଟା କରୁଥିଲେ ବୋଲି ନବୀନ କହିଛନ୍ତି । ଏଥିସହିତ ନବୀନ ଆଜି ସ୍ପଷ୍ଟ କରିଦେଇଛନ୍ତି ଯେ, ବୈଜୟନ୍ତ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ନଥିଲେ । ସେ ୨୦୦୦ ମସିହାରେ ରାଜ୍ୟସଭାକୁ ମନୋନିତ ହେବା ସମୟରେ ହିଁ ବିଜେଡିର ପ୍ରଥାମିକ ସଦସ୍ୟତା ଗ୍ରହଣ କରିଥିଲେ ।

ସେ କେନ୍ଦ୍ରାପଡାରୁ ବିଜେପି ପ୍ରାର୍ଥୀ ହେବା ପରେ ମଧ୍ୟ ବିଜେଡି ଭୟଭିତ ନୁହେଁ । କାରଣ କେନ୍ଦ୍ରାପଡାରେ ବିଜେଡି ଏକ ଶକ୍ତିଶାଳୀ ପ୍ରାର୍ଥୀ ଦେଇଛି ।

ଏଥର କେନ୍ଦ୍ରରେ ଝୁଲା ପରିସ୍ଥିତି ସୃଷ୍ଟି ହେଲେ ବିଜେଡି ଯଦି କାହାକୁ ସମର୍ଥନ ଦେବାକୁ ପଡେ ତେବେ ଯେଉଁ ଦଳ ଓଡିଶା ପ୍ରତି ବିଶେଷ ସୁବିଧା ସୁଯୋଗ ଦେବ ସେହି ଦଳକୁ ସେ ସମର୍ଥନ କରିବେ । ତେବେ ଏକ୍ଷେତ୍ରରେ ବିଜେପି କି କଂଗ୍ରେସ କାହାକୁ ସମର୍ଥନ କରିବାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି । ସେହିଭଳି ବିଜେପି କିମ୍ବା କଂଗ୍ରେସ କୌଣସି ଦଳକୁ ସେ ନିଜର ରାଜନୈତିକ ଶତ୍ରୁ କିମ୍ବା ମିତ୍ର ବୋଲି ଭାବୁନାହାଁନ୍ତି । କିନ୍ତୁ ଏନଡିଏ ଦେଶର ଗଣତନ୍ତ୍ର ପ୍ରତି ବିପଦ ବୋଲି ସେ କହିଛନ୍ତି । ଏନଡିଏ ସରକାର ଅମଳରେ ଗ୍ରାମୀଣ ଅର୍ଥନୀତି ଓ ଦେଶର ଆର୍ଥିକ ସ୍ଥିତି କ୍ଷତିଗ୍ରସ୍ତ ହୋଇଛି । ବିଜେପି ଏବେ ବି ଏକ ସାମ୍ପ୍ରଦାୟିକ ଦଳ ବୋଲି ସେ ଭାବୁଛନ୍ତି । ସେଥିପାଇଁ ୨୦୦୮ କନ୍ଧମାଳ ଦଙ୍ଗା ପରେ ବିଜେପି ସହ ସେ ସଂପର୍କ ଛିନ୍ନ କରିଛନ୍ତି ।

ଓଡିଶାରେ ବିଜେଡିକୁ ବିଜେପିର ବୃଦ୍ଧି ପାଉଥିବାରୁ ଲୋକପ୍ରିୟତାରୁ କୌଣସି ଭୟ ନାହିଁ । କିନ୍ତୁ ୨୦୧୭ ପଂଚାୟତ ନିର୍ବାଚନରେ ସେ ନିଜେ ପ୍ରଚାର ମଇଦାନକୁ ଓହ୍ଲାଇନଥିଲେ କି ତାଙ୍କ ଦଳର ନେତାମାନେ ବି ବିଶେଷ ଗୁରୁତ୍ୱ ଦେଇନଥିଲେ । କିନ୍ତୁ ଗତ ଅଢେଇ ବର୍ଷ ମଧ୍ୟରେ ସେମାନେ ଅନେକ ପରିଶ୍ରମ କରିଛନ୍ତି । ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ବିକାଶ ମୂଳକ ଏବଂ ଜନକଲ୍ୟାଣକାରୀ ଯୋଜନା ପାଇଁ ଲୋକେ ତାଙ୍କ ସହ ଅଛନ୍ତି ଓ ବିଜେଡି ଉପରେ ଆସ୍ଥା ରଖିଛନ୍ତି ବୋଲି ନବୀନ ଦୃଢତାର ସହ କହିଛନ୍ତି ।

ସେହିଭଳି ଦଳ ଉପରେ ତାଙ୍କ ନିୟନ୍ତ୍ରଣ ନାହିଁ, ପ୍ରଶାସକମାନେ ଛାୟା ସରକାର ଚଳାଉଛନ୍ତି ବୋଲି ହେଉଥିବା ଅଭିଯୋଗକୁ ସେ ଅବାନ୍ତର ବୋଲି କହିଛନ୍ତି । ତାଙ୍କ ମନ୍ତ୍ରୀ ଓ ସେ ନିଜେ ଶାସନ ଓ ପ୍ରଶାସନର ସବୁ ଦାୟିତ୍ୱ ନିର୍ବାହ କରନ୍ତି । ସେହିଭଳି କାଳିଆ ଯୋଜନା ଲୋକଙ୍କୁ ପ୍ରାକ-ନିର୍ବାଚନୀ ଲାଞ୍ଚ ବୋଲି ହେଉଥିବା ଚର୍ଚ୍ଚାକୁ ମଧ୍ୟ ସେ ଦୃଢ କଣ୍ଠରେ ଖଣ୍ଡନ କରିଛନ୍ତି । ୨୦୦୦ ମସିହାରେ ସେ ସରକାରକୁ ଆସିବା ସମୟରେ ରାଜ୍ୟରେ ଥିଲା ଉକ୍ରଟ ଦାରିଦ୍ର‌୍ୟ । ଗତ ୧୯ ବର୍ଷ ମଧ୍ୟରେ ରାଜ୍ୟର ୮ ନିୟୁତ ଲୋକ ଦାରିଦ୍ର‌୍ୟ ସୀମା ରେଖା ଉପରକୁ ଉଠିଛନ୍ତି । ଏହା ସମ୍ଭବ ହୋଇଛି ବିଭିନ୍ନ କଲ୍ୟାଣକାରୀ ଯୋଜନା ପାଇଁ । କାଳିଆ ଯୋଜନା ଏହିଭଳି ଏକ ଯୋଜନା ଯାହାଦ୍ୱାରା ଚାଷୀଙ୍କୁ ନିର୍ଦ୍ଧିଷ୍ଟ ଆର୍ଥିକ ସୁରକ୍ଷା ପ୍ରଦାନ କରାଯାଉଛି ।

ତାଙ୍କ ପରେ ତାଙ୍କ ଉତ୍ତରାଧିକାରୀ କିଏ ହେବେ ବୋଲି ପ୍ରଶ୍ନରେ ସେ କହିଥିଲେ ଯେ, ସେ ଏବେ ସମ୍ପୁର୍ଣ୍ଣ ଫିଟ ଅଛନ୍ତି । ସମୟ ଆସିଲେ ରାଜ୍ୟବାସୀ ତାଙ୍କର ଉତ୍ତରାଧିକାରୀଙ୍କୁ ବାଛିବେ । ତାଙ୍କ ଭଉଣୀ ତାଙ୍କ ପରେ ବିଜେଡିର ଦାୟିତ୍ୱ ନେବେ କି ବୋଲି ପ୍ରଶ୍ନରେ ସେ କହିଥିଲେ ଯେ, ତାଙ୍କର ରାଜନୀତି ପ୍ରତି ଆଗ୍ରହ ନାହିଁ ।

ବିଜେଡି ପ୍ରତି ଲୋକଙ୍କ ସମର୍ଥନ ଥିଲେ ମଧ୍ୟ ସେ କ୍ରମାଗତ ଭାବେ ପଂଚମ ଥର ପାଇଁ ନିର୍ବାଚନ ଲଢୁଥିବାରୁ ତାଙ୍କୁ ପରିଶ୍ରମ କରିବାକୁ ପଡିବ । ଯେଉଁଥାପାଇଁ ଏଥର ନବୀନ ପ୍ରାୟ ୧୫୦ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବାକୁ ଯୋଜନା କରୁଥିବା ବେଳେ ହଜାରେ କିଲୋମିଟର ରୋଡ ସୋ କରିବେ ବୋଲି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

two + seventeen =