ଉତ୍କଳ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କାଳିଆକୁ କେହି ବନ୍ଦ କରିପାରିବେ ନାହିଁ, ଏହା ଚାଷୀଙ୍କ ହକ

ଭୁବନେଶ୍ବର () ପ୍ରଥମ ଥର ପାଇଁ ଓଡିଶାର ଏକନମ୍ବର ବିଶ୍ବବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟର ଖୋଲିଛି ଗ୍ରାମୀଣ କ୍ୟାମ୍ପସ । ଚଣ୍ଡିଖୋଲ ଠାରେ ଉତ୍କଳ ବିଶ୍ବବିଦ୍ୟାଳୟର ଗ୍ରାମୀଣ କ୍ୟାମ୍ପକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ବବିଦ୍ୟାଳୟର କୂଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଦ୍ବିତୀୟ କ୍ୟାମ୍ପସର ଡିଜିଟାଲ ଉଦଘାଟନ କରିଛନ୍ତି ।

ଚଣ୍ଡିଖୋଲ ସ୍ଥିତ ବାବା ଭୈରବାନନ୍ଦ ସ୍ବୟଂଚାଳିକ କଲେଜ ନିକଟରେ ଉପସ୍ଥିତ ଏହି କ୍ୟାମ୍ପସରେ ଶିଳ୍ପାନୁଷ୍ଠାନର ଆବଶ୍ୟକତା ଅନୁଯାୟୀ ପାଠ୍ୟକ୍ରମ ପ୍ରଦାନ କରାଯିବ । ରାଜ୍ୟ ସରକାର ଏହି କ୍ୟାମ୍ପସ ପାଇଁ 25 ଲକ୍ଷ ଟଙ୍କା ପ୍ରଦାନ କରିଥିବା ଜଣାପଡିଛି । ଏଥିସହିତ ମୁଖ୍ୟମନ୍ତ୍ରୀ 152 କୋଟି 49 ଲକ୍ଷ ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି ।

109 କୋଟି ଟଙ୍କା ବ୍ୟୟବରାଦରେ ନିର୍ମାଣ କରାଯାଇଥିବା 5ଟି ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିବା ସହ 43 କୋଟି 49 ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା 8ଟି ପ୍ରକଳ୍ପର ଶିଳନ୍ୟାସ କରିଛନ୍ତି । ବଡଚଣା-ବାଲିଚନ୍ଦ୍ରପୁର ରାସ୍ତାରେ ବଡଗେଙ୍ଗୁଟି ନଦୀ ଉପରେ ହାଇଲେବୁଲ ବ୍ରିଜ, ସାନଗେଙ୍ଗୁଟି ନଦୀ ଉପରେ ଉପରେ ମଧ୍ୟ ସୁକଦେଇପୁର-ଟିହକରଣ୍ତା ରାସ୍ତାରେ ହାଇଲେବୁଲ ବ୍ରିଜ, ବାଇସି ମୌଜାରେ 100 ସଯ୍ୟା ବିଶିଷ୍ଟ ଏସସି-ଏସଟି ଛାତ୍ରାବାସ ଏବଂ ବଡଚଣାରେ ସ୍ବାଧୀନତା ସଂଗ୍ରାମୀ ମେମୋରିଆଲର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିଭଳି ଚାନ୍ଦବାଲିଠାରେ ଭଦ୍ରକ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ 396 କୋଟି ଟଙ୍କାର 16ଟି ପ୍ରକଳ୍ପ ଉଦଘାଟନ କରିବା ସହିତ 1180 କୋଟି ଟଙ୍କାର 19ଟି ପ୍ରକଳ୍ପ ପାଇଁ ଭତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହାଶିବରାତ୍ରୀ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ବାବା ଆଖଣ୍ଡଳମଣୀ ମନ୍ଦିରର ଉନ୍ନତିକରଣ ପାଇଁ 6 କୋଟି ଟଙ୍କା ଘୋଷଣା କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚାନ୍ଦବାଲି ପାୱାର ଗ୍ରୀଡ ଓ ୱାଟର ସପ୍ଲାଇ ପ୍ରକଳ୍ପ ଦ୍ବାରା ଚାନ୍ଦବାଲି ଓ ଭଦ୍ରକ ଜିଲ୍ଲାର ବହୁ ଦିନର ସମସ୍ୟା ଦୂର ହୋଇପାରିବ । ଚାନ୍ଦବାଲି-ଭଦ୍ରକ ସଡକ ଉନ୍ନତି ଯୋଗୁଁ ଏହି ଅଂଚଳର ଯୋଗାଯୋଗ ସମସ୍ୟା ମଧ୍ୟ ଦୂର ହେବ । ଉଭୟ ସଭାରେ କାଳିଆ ଯୋଜନା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, 30 ଲକ୍ଷ ଚାଷୀ ସାମିଲ ହେବା ସହିତ ଆଉ 10 ଲକ୍ଷ ଚାଷୀଙ୍କୁ ସାମିଲ କରାଯିବ । କାଳିଆ ଯୋଜନା ବନ୍ଦ ହୋଇଯିବ ବା ଏହି ଯୋଜନା ଟଙ୍କା ଫେରାଇବାକୁ ହେବ ବୋଲି ଯେଉଁ ଅପପ୍ରଚାର ଚାଲିଛି, ତାହା ସଂପୂର୍ଣ୍ଣ ମିଛ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କାଳିଆକୁ କେହି ବନ୍ଦ କରିପାରିବେ ନାହିଁ, ଏହା ଚାଷୀମାନଙ୍କର ହକ, ଚାଷୀଙ୍କ ଟଙ୍କା, ଏହାକୁ ସେମାନେ ଚାଷ କାମରେ ଲଗାଇବେ ।

ସେହିପରି ମିଶନ ଶକ୍ତିର ମା ମାନେ ବହୁତ ଭଲ କାମ କରୁଛନ୍ତି ଏବଂ ତାକୁ ଆଖି ଆଗରେ ରଖି ସେମାନଙ୍କୁ ବିନା ସୁଧରେ ଋଣ ଦିଆଯାଉଛି । ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ 33 ପ୍ରତିଶତ ସଂରକ୍ଷଣ କରିବା ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Share

Leave a Reply

Your email address will not be published. Required fields are marked *

14 − 14 =