ଦୁର୍ଘଟଣା ପରେ ମୁଖ୍ୟ ଅତିଥି ଫେରାର

ଅମୃତସର () : ରାବଣ ପୋଡି ଉତ୍ସବ ଦେଖିବା ହେଲା କାଳ । ମାତ୍ର ୧୫ ସେକେଣ୍ଡରେ ଦେଖୁ ଦେଖୁ 60ଜଣଙ୍କ ଜୀବନ ଚାଲିଗଲା । ଦ୍ରୁତଗତିରେ ଆସୁଥିବା ଜଳନ୍ଦର-ଅମୃତସର ଏକ୍ସପ୍ରେସ ମାଡିଗଲା । ଗୋଟିଏ ପଟେ ରାବଣ ପୋଡି ଚାଲିଥିଲା, ଶହ ଶହ ସଂଖ୍ୟାରେ ଲୋକ ରାବଣ ପୋଡି ଦୃଶ୍ୟ ଦେଖିବାରେ ବ୍ୟସ୍ତ ଥିଲେ । ବହୁ ସଂଖ୍ୟାରେ ଦର୍ଶକ ଟ୍ରେନ ଟ୍ରାକ ଉପରେ ଠିଆ ହୋଇଥିଲେ । ସେମାନଙ୍କ କାନକୁ ରାବଣ ପୋଡି ସମୟର ବାଣ ଫୁଟିବାର ଶବ୍ଦ ଶୁଣାଯାଉଥିଲା । ଆଉ ଠିକ୍ ଏହି ସମୟରେ ଦ୍ରୁତ ଗତିରେ ମାଡି ଆସିଥିଲା ଟ୍ରେନ । ମାତ୍ର ୧୫ ସେକେଣ୍ଡ ଭିତରେ ସବୁକିଛି ଛାରଖାର ହୋଇଯାଇଥିଲା । ଦୁର୍ଘଟଣା ଘଟିବାର ସେହି ସମୟର ଦୃଶ୍ୟ କଏଦ ହୋଇଥିଲା କିଛି ମୋବାଇଲ କ୍ୟାମେରାରେ । ଟ୍ରେନ ଟ୍ରାକ ଉପରେ ଠିଆ ହୋଇ ଲୋକେ ରାବଣ ପୋଡିର ଦୃଶ୍ୟ ସହିତ ସେଲଫି ନେଉଥିବା ବେଳେ କେତେ ବେଳେ ହଠାତ ଚାଲିଆସିଲା ଟ୍ରେନ, କେହି ବୁଝି ପାରିଲେନି । ଦେଖୁ ଦେଖୁ ଚାଲିଗଲା ଗୋଟିଏ ପରେ ଗୋଟିଏ ଜୀବନ ।

ଦୁର୍ଘଟଣାରେ ୬୦ ଜଣଙ୍କ ମୃତ୍ୟୁ ହୋଇଛି, ୪୦ ଜଣ ଆହତ ଅଛନ୍ତି । ସେମାନଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ଫଳରେ ମୃତକଙ୍କ ସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି । ଗୁରୁତର ଆହତଙ୍କୁ ହସପିଟାଲରେ ଭର୍ତି କରାଯାଇଛି । ଏହି ମର୍ମନ୍ତୁଦ ଘଟଣା ପରେ ଆଜି ପଂଜାବର ସବୁ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ଚୌଡ଼ା ବଜାର ନିକଟରେ ରେଳୱେ ଟ୍ରାକ୍ ପାଖରେ ରାବଣ ପୋଡି ଉତ୍ସବ ପାଳନ କରାଯାଉଥିଲା । ବାଣ ଫୁଟା ବେଳେ ଲୋକମାନେ ରେଳୱେ ଟ୍ରାକ ଭିତରକୁ ଚାଲି ଆସିଥିଲେ । ସେହି ସମୟରେ ଏହି ଦୁର୍ଘଟଣା ଘଟିଥିଲା  । ଦୁର୍ଘଟଣାଟି ଏତେ ଆକସ୍ମିକ ଥିଲା ଯେ, କେହି କିଛି ଭାବିବା ପୂର୍ବରୁ ସେମାନଙ୍କ ଉପରେ ମାଡି ଯାଇଥିଲା ଟ୍ରେନ୍ । ରାବଣ ପୋଡି ଉତ୍ସବରେ ପଂଜାବର ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ହେଲେ ଦୁର୍ଘଟଣା ପରେ ସେ ସ୍ଥାନ ଛାଡି ଚାଲି ଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି ।

Share

Leave a Reply

Your email address will not be published. Required fields are marked *

four + four =