ଚୋର ଗଲା ପରେ ବୁଦ୍ଧି ପଶୁଛି

ପିଲାଚୋରୀ ପାଇଁ ଚେତିଲେ ସରକାର

ନୂଆଦିଲ୍ଲୀ (): ପିଲା ଚୋରି ନାମରେ ହେଉଥିବା ହିଂସା ରୋକିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ନିର୍ଦେଶନାମା ଜାରି କରିଛନ୍ତି । ହ୍ବାଟ୍ସଆପ୍ ମାଧ୍ୟମରେ ପ୍ରଚାରିତ ଗୁଜବରେ ପ୍ରଭାବିତ ହୋଇ ଲୋକେ ପିଲା ଚୋର ସନ୍ଦେହରେ ଅନ୍ୟ ଜଣଙ୍କୁ ପିଟିପିଟି ମାରି ଦେଉଛନ୍ତି । ସଂଘବଦ୍ଧ ଭାବେ ହେଉଥିବା ଏପରି ହିଂସା ଓ ଗୁଜବ ପ୍ରଚାରକୁ ରୋକିବା ଲାଗି ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଆବଶ୍ୟକ ନିୟମାବଳୀ ଜାରି କରିଛ । ନିୟମାବଳୀରେ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ କହିଛି ଯେ ଗୁଜବକୁ ପ୍ରାଥମିକ ସ୍ତରରେ ଠାବ କରିବା ପୂର୍ବକ ଏହାର ବ୍ୟାପକ ପ୍ରସାର ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବା ଦରକାର । ଏହା ସହିତ ଜିଲାସ୍ତରରେ ସମ୍ବେଦନଶୀଳ ଅଞ୍ଚଳକୁ ଠାବ ପୂର୍ବକ ସଚେତନତା କାର୍ଯ୍ୟକ୍ରମ କରାଯିବା ଦରକାର । ଏଥିପାଇଁ ରାଜ୍ୟ ସରକାର ଜିଲା ପ୍ରଶାସନକୁ ନିର୍ଦେଶ ଦେବା ଦରକାର । ଏହାଦ୍ବାରା ଲୋକଙ୍କ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି କରାଯାଇପାରିବ । ପିଲା ଚୋରି କିମ୍ବା ଅପହରଣ ନେଇ ହେଉଥିବା ଅଭିଯୋଗର ଉପଯୁକ୍ତ ତଦନ୍ତ କରାଯାଇ ପ୍ରଶାସନ ଲୋକଙ୍କ ନିକଟରେ ବିଶ୍ବାସଭାଜନ ହେବା ଉଚିତ ।

ବୁଧବାର କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ହ୍ବାଟ୍ସଆପ୍ ଭଳି ତ୍ବରିତ ବାର୍ତ୍ତା ପ୍ରେରଣ ଆପର ଦୂରୁପଯୋଗ ରୋକିବା ଲାଗି ନିର୍ଦେଶ ଦେଇଥିଲେ । ଏ ନେଇ ହ୍ବାଟ୍ସ ଆପ୍ ସଂସ୍ଥାକୁ କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ସହିତ ଯୋଗାଯୋଗ କରିବାକୁ କରିବାକୁ ପରାମର୍ଶ ଦେଇଥିଲେ । ସାମାଜିକ ଗଣମାଧ୍ୟମଗୁଡିକର ଅପବ୍ୟବହାର, ଦୂରୁପଯୋଗ ପାଇଁ ସେମାନେ ହିଁ ଉତ୍ତରଦାୟୀ ରହିବା ଉଚିତ । ଏହି ଉତ୍ତରଦାୟିତ୍ବରୁ ସେମାନେ ଦୂରେଇପାରିବେ ନାହିଁ ବୋଲି ରବିଶଙ୍କର କହିଥିଲେ । ସେହିପରି ମଙ୍ଗଳବାର ସୁପ୍ରିମକୋର୍ଟ କହିଥିଲେ ଯେ ସଂଘବଦ୍ଧ ଭାବେ କାହାକୁ ପିଟିପିଟି ମାରିଦେବା ଏକ ଅପରାଧ । ଏହା ପଛରେ ଯାହାବି କାରଣ ଥାଉ ନା କାହିଁକି ପିଲା ଚୋରି ଅବା ଗୋରୁ ଚୋରି ଏହାକୁ ଅପରାଧ ବିବେଚନା ପୂର୍ବକ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର । ଏହା ଏକ ଆଇନଶୃଙ୍ଖଳା ବିଷୟ ହୋଇଥିବାରୁ ରାଜ୍ୟ ସରକାରଗୁଡିକ ଏ ଦିଗରେ ପଦକ୍ଷେପ ନେବା ଉଚିତ ବୋଲି ସୁପ୍ରିମକୋର୍ଟ କହିଥିଲେ ।

Share

Leave a Reply

Your email address will not be published. Required fields are marked *

ten − three =