କେନ୍ଦ୍ରୀୟ ବଜେଟକୁ 10ରୁ ଅଢେଇ ନମ୍ବର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () କେନ୍ଦ୍ରୀୟ ବଜେଟ ନୈରାଶ୍ୟଜନକ । ବଜେଟକୁ ମୁଖ୍ୟମନ୍ତ୍ରୀ 10ରୁ ଅଢେଇ ମାର୍କ ଦେଇଛନ୍ତି । 2019-20 ଆର୍ଥିକ ବର୍ଷ ପାଇଁ ଆଜି କେନ୍ଦ୍ର ସରକାର ଉପସ୍ଥାପିତ କରିଥିବା ବଜେଟରେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ମିଳିଥିବା ଟିକସ ରିହାତି ଏବଂ କାଳିଆ ଢାଞ୍ଚାରେ ହୋଇଥିବା ପ୍ରଧାନମନ୍ତ୍ରୀ କୃଷକ ଯୋଜନାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ବଜେଟରେ ଓଡିଶା ତାର ଦାବି ଅନୁଯାୟୀ ବିଭିନ୍ନ ଯୋଜନାରେ ଆବଶ୍ୟକ ଅର୍ଥ ବରାଦ କରାନଯିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ।

କାଳିଆ ଯୋଜନାର ଢାଞ୍ଚାରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କୃଷକ ନିଧି ସମ୍ମାନ ଯୋଜନା କରିଛନ୍ତି । ଏହି ଯୋଜନାରେ ଚାଷୀଙ୍କୁ ବାର୍ଷିକ 6ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯିବ । କିନ୍ତୁ କାଳିଆ ଭଳି ଏହି ଯୋଜନାରେ ସହୟତା ରାଶିକୁ 10ହଜାର କିମ୍ବା ତାଠାରୁ ଅଧିକ କରିବା ଉଚିତ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିଭଳି ଏହି ଯୋଜନାରେ ଭୂମିହୀନ, ଭାଗଚାଷୀ ଓ ଦୁର୍ଦ୍ଦିନରେ ଥିବା ଚାଷୀଙ୍କ ପାଇଁ କୌଣସି ବ୍ୟବସ୍ଥା ହୋଇନଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । କ୍ଷୁଦ୍ର-ମଧ୍ୟମ-ଅଣୁ ଶିଳ୍ପର ବିକାଶ ପାଇଁ କେନ୍ଦ୍ର ସରକାର ବଜେଟରେ ଗୁରୁତ୍ବ ଦେବା ଉତ୍ସାହଜନକ, କିନ୍ତୁ ଏହାଦ୍ବାରା ଦେଶର ନିଯୁକ୍ତି ସମସ୍ୟାକୁ ସମାଧାନ କରିପାରିବ ନାହିଁ ।

ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା ଏବଂ ଅନ୍ୟାନ ପେନସନ ଯୋଜନାରେ ଆର୍ଥିକ ସହାୟତା ରାଶି ବୃଦ୍ଧି କରାନଯିବା ନିରୁତ୍ସାହଜନକ । ରାଜ୍ୟ ସରକାର 48 ଲକ୍ଷ ହିତାଧିକାରୀଙ୍କୁ ମାସିକ 500 ଟଙ୍କା ଭତ୍ତା ପ୍ରଦାନ କରୁଥିବା ବେଳେ କେନ୍ଦ୍ର ସରକାର ମାତ୍ର 20 ଲକ୍ଷ ହାତିଧିକାରୀଙ୍କୁ ମାସିକ 200 ଟଙ୍କା ଭତ୍ତା ପ୍ରଦାନ କରୁଛନ୍ତି । ଅନସୂଚିତ ଜାତି ଜନଜାତି କଲ୍ୟାଣ କ୍ଷେତ୍ରରେ ଶିକ୍ଷା ଓ ଅନ୍ୟାନ ଭିତ୍ତିଭୂମୀ ବିକାଶରେ କେନ୍ଦ୍ର ସରକାର ଆବଶ୍ୟକ ବ୍ୟୟବରାଦ କରିନାହାଁନ୍ତି । ଅସୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ବୃତ୍ତିରେ କେନ୍ଦ୍ର ସରକାର ନିଜସ୍ବ ଅଂଶଧନ ପରିମାଣ ପୂର୍ବପରି 80 ପ୍ରତିଶତକୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ବାରମ୍ବାର ଦାବି କରୁଥିଲେ ବି କେନ୍ଦ୍ର ଶୁଣୁନି ବୋଲି ସେ କହିଥିଲେ ।

ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସେହିଭଳି ଆର୍ଥିକ ଅନୁଦାନର ପରିମାଣ ବୃଦ୍ଧି କରାଯାଇନଥିବାରୁ ତାହା ନିୟମିତ ମଜୁରି ପ୍ରଦାନ ପ୍ରକ୍ରିୟାକୁ ପ୍ରଭାବିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଗ୍ରାମୀଣ ରାସ୍ତା, ଗ୍ରାମୀଣ ଗୃହ ନିର୍ମାଣ ଓ ପାନୀୟ ଜଳ ଯୋଗାଣ ପାଇଁ ହୋଇଥିବା ବ୍ୟୟ ବରାଦ 2018-19 ବର୍ଷଠାରୁ କମ ରହିଛି । ଏହା ରାଜ୍ୟ ପାଇଁ ନିରୁତ୍ସାହଜନକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିଭଳି ଚତୁର୍ଦଶ ଅର୍ଥ କମିଶନଙ୍କ ସୁପାରିଶ ଠାରୁ ଓଡିଶା 26ହଜାର 342 କୋଟି ଟଙ୍କା କମ କେନ୍ଦ୍ରୀୟ ଅନୁଦାନ ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 2015ରୁ 2020 ମଧ୍ୟରେ ଓଡିଶାକୁ 1ଲକ୍ଷ 84ହଜାର 70 କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ମିଳିବ ବୋଲି କମିଶନ ସୁପାରିଶ କରିଥିଲେ  । କିନ୍ତୁ 2015ରୁ 2018 ମଧ୍ୟରେ ମିଳିଥିବା ଅନୁଦାନ, 2018-19 ଓ 2019-20 ବଜେଟରେ ହୋଇଥିବା ବ୍ୟୟ ବରାଦକୁ ହିସାବ କଲେ ଓଡିଶାକୁ ଏହି 5 ବର୍ଷରେ ମିଳିବ 1ଲକ୍ଷ 57ହଜାର 828 କୋଟି ଟଙ୍କା । ଏହିଦୃଷ୍ଟିରୁ ଓଡିଶା ପାଇଁ ଏହି ବଜେଟ ନିରୁତ୍ସାହଜନକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

twelve + twenty =