ବିଜେପି ହାତରୁ ଖସିବ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ!

ନୂଆଦିଲ୍ଲୀ () ଚଳିତ ବର୍ଷ ଶେଷ ଭାଗରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ ବିଧାନସଭା ନିର୍ବାଚନ । ଏହି ନିର୍ବାଚନକୁ ନେଇ ରାଜନୈତିକ ଦଳଗୁଡିକ ମଧ୍ୟରେ ଛକାପଞ୍ଝା ଚାଲିଛି । କିଏ କେତେ ଆସନ ପାଇବ ତାକୁନେଇ ଅଙ୍କ କଷା ଚାଲିଥିବା ବେଳେ ଜାତୀୟ ଗଣମାଧ୍ୟମ ଏବିପି ପକ୍ଷରୁ ହୋଇଥିବା ଓପିନିଅନ ପୋଲରେ ବିଜେପି ତିନୋଟି ଯାକ ରାଜ୍ୟରେ ହାରୁଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ ବିଜେପି ହାତରୁ ଖସିଯିବ ବୋଲି ଏହି ସର୍ଭେ ରିପୋର୍ଟରୁ ଜଣାପଡୁଛି ।

ଓପିନିଅନ ପୋଲ ଅନୁଯାୟୀ 200 ଆସନ ବିଶିଷ୍ଟ ରାଜସ୍ଥାନରେ ବିଜେପି 2013 ଫଳାଫଳଠାରୁ 106 ଆସନ ହରେଇବ । ଏଥର ବିଜେପି ମାତ୍ର 57ଟି ଆସନ ପାଇବ ବୋଲି ଓପିନିଅନ ପୋଲ ଆକଳନ କରୁଛି । ସେପଟେ କଂଗ୍ରେସ 130 ଏବଂ ଅନ୍ୟାନ 13ଟି ଆସନ ପାଇବେ । ଗତ ନିର୍ବାଚନରେ ବିଜେପି ଏକା 163ଟି ଆସନ ଦଖଲ କରିଥିବା ବେଳେ କଂଗ୍ରେସ 21 ଏବଂ ଅନ୍ୟାନ 16ଟି ଆସନ ପାଇଥିଲେ । ବିଜେପିର ଭୋଟ ହାର 45.2ରୁ 36.8 ପ୍ରତିଶତକୁ ଖସୁଥିବା ବେଳେ କଂଗ୍ରେସର ଭୋଟ ହାର 33.1ରୁ 50.8 ପ୍ରତିଶତକୁ ବଢିବାର ସମ୍ଭାବନା ରହିଛି ।

ସମାନ ସ୍ଥିତି ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶରେ ମଧ୍ୟ କଂଗ୍ରେସ ସରକାର ଗଠନ କରିବ ବୋଲି ଓପିନିଅନ ପୋଲ ଆକଳନ କରୁଛି । ଗତଥର ମଧ୍ୟପ୍ରଦେଶର 230 ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ଏକାକି 165 ଆସନ ଦଖଲ କରି ସରକାର ଗଠନ କରିଥିବା ବେଳେ ଏଥର 106ଟି ଆସନ ପାଇବ ବୋଲି ଆକଳନ କରାଯାଉଛି । ସେପଟେ କଂଗ୍ରେସ 2013ରେ ମଧ୍ୟପ୍ରଦେଶରେ 58ଟି ଆସନ ପାଇଥିଲା ବେଳେ ଏଥର 117 ଆସନ ଦଖଲ କରି ଏକକ ସଂଖ୍ୟା ଗରିଷ୍ଠ ଦଳ ହେବ । ଭୋଟ ହାର ମଧ୍ୟ ବିଜେପିର ପାଖାପାଖି 5 ପ୍ରତିଶତ କମୁଥିବା ବେଳେ ସମାନ ସଂଖ୍ୟକ ଭୋଟ କଂଗ୍ରେସ ଆଡକୁ ଢଳିଥିବା ଓପିନିଅନ ପୋଲ ସର୍ଭେ କହୁଛି ।

ଛତିଶଗଡରେ ମଧ୍ୟ ସେହିପରି ରମଣ ସଂହଙ୍କ କରିସ୍ମା କାମ ଦେବ ନାହିଁ ବୋଲି ଆକଳନ କରାଯାଉଛି । 90 ଆସନ ବିଶିଷ୍ଟ ଛତିଶଗଡରେ ବିଜେପି 49ଟି ଆସନ ହାତେଇ ସରକାର ଗଠନ କରିଥିଲା । ଏଥର କିନ୍ତୁ ରମଣ ସିଂହଙ୍କ ନେତୃତ୍ବାଧୀନ ବିଜେପି 33ଟି ଆସନ ପାଇବ  । ସେପଟେ କଂଗ୍ରେସ, ଯାହା ଗତଥର 39ଟି ଆସନ ପାଇ ଦ୍ବିତୀୟ ସ୍ଥାନରେ ଥିଲା ତାହା 54ଟି ଆସନ ଦଖଲ କରି ସରକାର ଗଠନ କରିବ । ବିଜେପିର ଭୋଟ ସେୟାର ସେହିଭଳି 1.2 ପ୍ରତିଶତ ହ୍ରାସ ପାଇବ ବୋଲି ମଧ୍ୟ ଆକଳନ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

4 × 5 =