କର୍ଣ୍ଣାଟକରେ ବିଜେପିକୁ ଶକ୍ତ ଧକ୍କା

5ରୁ 4ଟିରେ କଂଗ୍ରେସ-ଜେଡିଏସ ମେଣ୍ଟ ବିଜୟୀ

କୁମାରସ୍ବାମୀଙ୍କ ପତ୍ନୀ 2ଲକ୍ଷରୁ ଅଧିକ ଭୋଟରେ ବିଜୟୀ

ବାଙ୍ଗାଲୋର () କର୍ଣ୍ଣାଟକରେ ବିଜେପିକୁ ଲାଗିଛି ଶକ୍ତ ଧକ୍କା । କଂଗ୍ରେସ ଓ ଜେଡିଏସ ମେଣ୍ଟ ଉପନିର୍ବାଚନ ହୋଇଥିବା 5ଟି ଆସନ ମଧ୍ୟରୁ 4ଟିରେ ଦୃଢ ବିଜୟ ହାସଲ କରିଛି । ଏପରିକି ବିଜେପି ଘାଟି କୁହାଯାଉଥିବା ବଲାରୀ ଲୋକସଭା କ୍ଷେତ୍ରକୁ ମଧ୍ୟ ବିଜେପି ହାତରୁ ଛଡାଇ ଆଣିଛି କଂଗ୍ରେସ-ଜେଡିଏସ ମେଣ୍ଟ । ଏହି ଉପନିର୍ବାଚନ କେନ୍ଦ୍ରରେ ନେତୃତ୍ବାଧୀନ ବିଜେପିକୁ କର୍ଣ୍ଣାଟକରେ ଧକ୍କା ଦେଇଥିବା ବେଳେ ଦଳ ମାତ୍ର ଗୋଟିଏ ଲୋକସଭା ଆସନରେ ସନ୍ତୁଷ୍ଟ ହୋଇଛି ।

ତିନୋଟି ଲୋକସଭା ଓ ଦୁଇଟି ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ହୋଇଥିଲା । ବଲାରୀ, ଶିଭମୋଗା ଓ ମଣ୍ଡ୍ୟା ଏହି ତିନୋଟି ଲୋକସଭା ଆସନ ସହ ରାମଣାଗଡା ଓ ଜାମଖଣ୍ଡି ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ତଥ୍ୟ ଅନୁଯାୟୀ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ବାମୀଙ୍କ ପତ୍ନୀ ଅନିତା କୁମାରସ୍ବାମୀ ରାମଣାଗଡା ବିଧାନସଭା କ୍ଷେତ୍ରରୁ ଏକ ଲକ୍ଷ 9ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିପୁଳ ବିଜୟ ହାସଲ କରିଥିବା ବେଳେ କଂଗ୍ରେସର ଆନନ୍ଦ ନ୍ୟାମାଗୌଡା ଜାମଖଣ୍ଡି ଆସନରୁ 39ହଜାରରୁ ଅଧିକ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ଏଲ.ଆର ଶିଭରାମେ ଗୌଡା ଓ ଭି.ଏସ ଉଗ୍ରପା ମାଣ୍ଡ୍ୟା ଓ ବଲାରୀ ଆସନ ଦଖଲ କରିଛନ୍ତି ।

ଉଗ୍ରପା 2 ଲକ୍ଷ ଭୋଟ ବ୍ୟବଧାନରେ ବଲାରୀ ଆସନରୁ ବିଜୟ ଲାଭ କରିଛନ୍ତି । 14 ବର୍ଷ ଧରି ଏହି ଆସନଟି ଖଣି ଉଦ୍ୟୋଗୀ ରେଡ୍ଡି-ଭ୍ରାତାଙ୍କ ହାତରେ ରହିଥିଲା । ଉଗ୍ରପାଙ୍କ ବିପୁଳ ବିଜୟ ପରେ ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଟ୍ବିଟ କରିଥିଲେ ଯେ, ପବିତ୍ର ଦିପାବଳୀରେ ବଲାରୀର ଲୋକେ ଦୀର୍ଘ ବର୍ଷର ଅନ୍ଧାରୀ ଶାସନରୁ ଆଲୋକକୁ ଆସିଛନ୍ତି ।

ବଲାରୀ ଆସନ ହାତରୁ ଚାଲିଯିବା ପରେ ରାଜ୍ୟ ବିଜେପି ମହଲରେ ବିଷାଦର ଛାୟା ଦେଖାଦେଇଛି । ଏହି ଆସନ ପାଇଁ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ହୋଇଥିଲା । ଦୁଇ ଦଳ ଏହି ଆସନକୁ ଦଖଲ କରିବା ପାଇଁ ସବୁ ରଣନୀତିକୁ ଆପଣେଇଥିଲେ । 2019 ସାଧାରଣ ନିର୍ବାଚନ ପୂର୍ବରୁ ଆଜି ପ୍ରକାଶ ପାଇଥିବା 5ଟି ଉପନିର୍ବାଚନର ଫଳାଫଳ ବିଜେପି ନେତୃତ୍ବକୁ ଚିନ୍ତାରେ ପକାଇଦେଇଛି ।

Share

Leave a Reply

Your email address will not be published. Required fields are marked *

1 − 1 =