ଆବାସ ଯୋଜନାରେ ଲୋକହସା ହେଲା ବିଜେପି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ପ୍ରତି କ୍ଷେତ୍ରରେ ବିରୋଧ କରୁଥିବା ବିଜେପି ପାଇଁ ଏବେ ଗରିବଙ୍କ ଘର ପ୍ରସଙ୍ଗ ବୁମେରାଂ ହୋଇଛି । ସରକାର ଗରିବଙ୍କୁ ପକ୍କାଘର ଯୋଗାଣ କଥା କହିଲା ବେଳକୁ ରାଜ୍ୟ ବିଜେପି ନେତାମାନେ ହିସାବ ମାଗୁଥିବାବେଳେ କେନ୍ଦ୍ରରେ ଥିବା ତାଙ୍କରି ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିର୍ମାଣ କ୍ଷେତ୍ରରେ ଓଡିଶା ଦେଶରେ ଦ୍ୱିତୀୟ ସ୍ଥାନରେ ଥିବାରୁ ପୁରସ୍କୃତ କରିଛନ୍ତି । କେବଳ ସେତିକି ନୁହେଁ ଗରିବଙ୍କୁ ଘର ଯୋଗାଣରେ ରାଜ୍ୟ ସରକାରଙ୍କ ପଦକ୍ଷେପଙ୍କୁ ମଧ୍ୟ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି ।

ଗୋଟିଏପଟେ କେନ୍ଦ୍ର ସରକାର ଘର ତିଆରି ନେଇ ଓଡିଶାକୁ ପୁରସ୍କୃତ କରୁଥିବାବେଳେ ଅନ୍ୟ ପଟେ ରାଜ୍ୟ ବିଜେପି ନେତାମାନେ ବିରୋଧ କରୁଛନ୍ତି । ହେଲେ ଏଭଳି ବିରୋଧକୁ ତାଙ୍କ ନିଜ ଦଳର କର୍ମୀମାନେ ସମର୍ଥନ କରୁନାହାନ୍ତି । ଏହା ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ଘର ର୍ନିମାଣକୁ ନେଇ ଦଳର କିଛି ନେତା ଏଭଳି ହୋଇ ହଲ୍ଲା କରୁଥିଲେ । ହେଲେ ଯେତେବେଳେ ଦେଖିଲେ ଯେ ସେମାନଙ୍କ ପଛରେ କେହି ନାହାନ୍ତି ସେତେବେଳେ ଚୁପ୍‍ ରହିଥିଲେ । ମିଳିଥିବା ସୂଚନା ଅନୁଯାୟୀ ଘର ନିର୍ମାଣରେ ଦୁର୍ନୀତି ନେଇ ବିଜେପି ଯେଉଁ ଅଭିଯୋଗ କରୁଛି ସେଥିରେ ତାଙ୍କରି ଦଳରୁ ଅନେକ ନେତା ସାମିଲ ଅଛନ୍ତି । ଆଳୁ ଖୋଳୁ ମହାଦେବ ବାହାରିଲା ଭଳି ପ୍ରଥମେ ସେହିମାନେ ହିଁ ଅକଳରେ ପଡିବେ ।

କାରଣ ଘର ଆବଣ୍ଟରେ ମନ୍ତ୍ରୀ କିମ୍ବା ରାଜ୍ୟ ସ୍ତରର କୌଣସି ଅଧିକାରୀ ସମ୍ପୃକ୍ତ ନଥାନ୍ତି । ପଞ୍ଚାୟତ ସ୍ତରରେ ଏହା ନିଷ୍ପତ୍ତି ହୋଇଥାଏ । ତାଲିକା ସର୍ବ ସମ୍ମୁଖରେ ଝୁଲାଇ ଦିଆଯାଇଥାଏ । ତେଣୁ ପଞ୍ଚାୟତରେ ଯେଉଁଠାରେ ବି କିଛି ଅନିମିତତା ହୋଇଛି ସରକାର ତାହା ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଅତୀତରେ ଖୋଦ୍‍ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ କାର୍ଯ୍ୟାନୁଷ୍ଠାନ ହୋଇଛି । ତେବେ ଏଭଳି କାରବାରରେ ଗାଁ ଗହଳରେ ଅନେକ ବିଜେପି କର୍ମୀ ସାମିଲ ଥିବାରୁ ସେମାନେ ରାଜ୍ୟ ସ୍ତରର ନେତାଙ୍କ ଉପରେ ରକ୍ତଚାଉଳ ଚୋବାଉଛନ୍ତି । ଏପରିକି ସେମାନେ ଗାଁକୁ ଆସିଲେ ଉଚିତ୍‍ ଶିକ୍ଷା ଦିଆଯିବ ବୋଲି ମଧ୍ୟ କହିବାକୁ ପଛାଉ ନାହାନ୍ତି ।

ସେହିଭଳି ଦଳର କୌଣସି ବଡ ନେତା ମଧ୍ୟ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଯୋଜନା ପ୍ରତି ଅଙ୍ଗୁଳି ପ୍ରଦର୍ଶନ କରୁନାହାନ୍ତି । କାରଣ ଦେଶର ଅନ୍ୟ କୌଣସି ରାଜ୍ୟ ଓଡିଶା ଭଳି ସଫଳତାର ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିର୍ମାଣ କରିପାରି ନାହାନ୍ତି । ଏ କ୍ଷେତ୍ରରେ ଉତ୍ତରପ୍ରଦେଶ ପଛକୁ ଓଡିଶା ରହିଛି । ତେଣୁ ଜାତୀୟ ସ୍ତରରେ ଓଡିଶାରେ ଏହି କେନ୍ଦ୍ରୀୟ ଯେଜାନା କାର୍ଯ୍ୟକାରିତାକୁ ନେଇ ବେଶ୍‍ ପ୍ରଶଂସା କରାଯାଇଛି । ଦଳର ଜାତୀୟ ନେତାମାନେ ଓଡିଶାକୁ ପ୍ରଶଂସା କରୁଥିବାବେଳେ ରାଜ୍ୟ ନେତାମାନେ ଯେଭଳି ମିଥ୍ୟା ସୂଚନା ନେଇ ଲୋକଙ୍କୁ ବିଭ୍ରାନ୍ତ କରିବାରେ ଲାଗିଛନ୍ତି ତାହାକୁ ବିରୋଧି ତ ଦୂରରକଥା ଖୋଦ ବିଜେପିର ଆଗଧାଡିର ନେତାମାନେ ଗ୍ରହଣ କରିପାରୁ ନାହାନ୍ତି । ରାଜ୍ୟ ନେତାମାନଙ୍କ ଏଭଳି ଆଚରଣ କେବଳ ଦଳକୁ ଲୋକହସା କରୁଛି ବୋଲି ମତ ଦେଉଛନ୍ତି । ଅନ୍ୟ ପକ୍ଷରେ ବିଜେଡି ମଧ୍ୟ କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ନେତାଙ୍କ ଉଦାହରଣ ଦେଇ ବିଜେପିଙ୍କୁ ଆହୁରି ସଙ୍କଟରେ ପକାଇବାରେ ଲାଗିଛି ।

Share

Leave a Reply

Your email address will not be published. Required fields are marked *

five + 7 =