ସଂସଦରେ ମହିଳା ସଂରକ୍ଷଣ ଦାବି ଉଠାଇବା ବିଜେଡି

ଭୁବନେଶ୍ଵର, (): ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଥିବା ସଂସଦର ଶୀତକାଳୀନ ଅଧିବେଶନକୁ ଆଖିରେ ରଖି ବିଜେଡି ତାହାର ରଣନୀତି ପ୍ରସ୍ତୁତ କରିଛି। ଜାତୀୟ ସ୍ତରରେ ନିଜର ବ୍ରାଣ୍ଡ ବଜାୟ ରଖିବା ଉଦ୍ଦେଶ୍ୟରେ ରାଜ୍ୟର ଏହି ଆଞ୍ଚଳିକ ଦଳ ମହିଳାଙ୍କ ପାଇଁ ଆରକ୍ଷଣ ବିକ୍ଷେୟକ ଉପରେ ଗୁରୁତ୍ଵ ଦେବ। ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ବିଜେଡିର ସାଂସଦମାନେ ଦାବି ଉଠାଇବେ। ଏନେଇ ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଜାନୁୟରୀ ୪ ତାରିଖ ଯାଏ ଚାଲିବାକୁ ଥିବା ସଂସଦର ଏହି ଅଧିବେଶନର ବିଭିନ୍ନ ସମୟରେ ବିଜେଡି ସାଂସଦମାନେ ନିଷ୍ପତ୍ତି ଅନୁସାରେ ଏହି ପ୍ରସଙ୍ଗଗୁଡ଼ିକୁ ଉଠାଇ ଗୃହର ଧ୍ୟାନ ଆକର୍ଷଣ କରିବେ।

ରବିବାର ଅପରାହ୍ଣରେ ନବୀନ ନିବାସରେ ଏଥିଲା ବିଜେଡି ସଂସଦୀୟ ଦଳ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ତଥା ଦଳର ଅଧ୍ୟକ୍ଷ ସାଂସଦମାନଙ୍କୁ ଏକତ୍ରିତ ହୋଇ ଓଡ଼ିଶାର ଅଧିକାର ହାସଲ ତଥା ରାଜନୀତିକ ସତ୍ତା ବଜାୟ ରଖିବା ଲାଗି ମନ୍ତ୍ର ଦେଇଥିଲେ। ଏହି କ୍ରମରେ ୯ଟି ପ୍ରସଙ୍ଗ ଉପରେ ବିଜୁ ଜନତାଦଳର ବିଧାୟକମାନେ ବିଭିନ୍ନ ସମୟରେ ଦାବି ଉପସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ପ୍ରଥମ ଦାବି ରହିଛି ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ। ଓଡ଼ିଶାର ଏହି ବହୁଦିନର ଦାବିକୁ ପୁଣିଥରେ ସଂସଦରେ ଉଠାଇବାକୁ ବିଜେଡି ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି ହୋଇଛି। ରାଜ୍ୟର ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏହି ଦାବି ଯଥାର୍ଥ ବୋଲି ବିଜେଡି ଗ୍ରହଣ କରିଛି। ଦୀର୍ଘଦିନ ହେଲା ଓଡ଼ିଶାକୁ କେନ୍ଦ୍ର ସରକାର ବୈମାତୃକ ମନୋଭବ ପ୍ରଦର୍ଶନର ଏହା ଏକ ନମୁନା ବୋଲି ଗ୍ରହଣ କରାଯାଇଛି।

ଏହା ପଛକୁ ରହିଛି ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ଦାବି। ବିଭିନ୍ନ ରାଜ୍ୟ ଓ ଆଞ୍ଚଳିକ ମୁଖ୍ୟଙ୍କୁ ଭେଟି ବିଜୁ ଜନତା ଦଳ ଯେଉଁ ପ୍ରକ୍ରିୟା ଆରମ୍ଭ କରିଛି ଏବେ ସେହି ଶକ୍ତି ପ୍ରଦର୍ଶନ ପାଇଁ ସଂସଦ ଏକ ଉଚିତ ପ୍ଲାଟ୍‌ଫର୍ମ ବୋଲି ଦଳ ଗ୍ରହଣ କରିଛି। ଏଣୁ ଦଳ ପକ୍ଷରୁ ଏହି ଦାବିକୁ ଅଧିକ ସଂଗଠିତ କରାଯିବ।

ଅନ୍ୟ ପ୍ରସଙ୍ଗଗୁଡ଼ିକ ଭିତରେ ରହିଛି ଓଡ଼ିଶାକୁ କେନ୍ଦ୍ରର ଅବହେଳା ପ୍ରସଙ୍ଗ। ତିତ୍‌ଲି କ୍ଷୟକ୍ଷତି, ରେଳ ପ୍ରକଳ୍ପ ଆବଣ୍ଟନରେ ଅବହେଳା, ପାଇକ ବିଦ୍ରୋହକୁ ସ୍ଵାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ, ଅନୁସୂଚିତ ଜାତି ବର୍ଗଙ୍କୁ ଅବହେଳା, କେନ୍ଦୁ ପତ୍ର ଉପରୁ ଜିଏସ୍‌ଟି ଛାଡ଼, ମହାନଦୀ, ପୋଲାଭରମ୍‌ ବିବାଦ ପ୍ରସଙ୍ଗ ମଧ୍ୟ ଏହି ଅବସରରେ ଉଠାଇବାକୁ ସାଂସଦମାନଙ୍କୁ କୁହାଯାଇଛି। ବୈଠକ ଶେଷ ପରେ ସାଂସଦ ତଥା ଦଳୀୟ ମୁଖପାତ୍ର ପ୍ରତାପ ଦେବ ଏ ବିଷୟରେ ସୂଚନା ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

5 × four =