ନବୀନ ଓଡିଶା ସଶକ୍ତ ଓଡିଶା : ବିଜେଡି ଇସ୍ତାହାରରେ ଯୁବ, ମହିଳା, ଚାଷୀଙ୍କୁ ପ୍ରାଧାନ୍ୟ

  • ଚାଲୁ ରହିବ କାଳିଆ, ବିଜ ସ୍ବାସ୍ଥ୍ୟ କଲ୍ୟାଣ, ପିଠା, ଆହାର ଯୋଜନା
  • ସବୁ ଶିଳ୍ପାନୁଷ୍ଠାନରେ 75 % ସ୍ଥାନୀୟ ଶିକ୍ଷିତ ଯୁବକଙ୍କୁ ନିଯୁକ୍ତି ବାଧ୍ୟତାମୂଳକ
  • ସ୍ବତନ୍ତ୍ର ବିଭାଗ ଭାବେ କାର୍ଯ୍ୟ କରିବ ‘ମିଶନ ଶକ୍ତି’
  • ମହିଳାଙ୍କ ନାଁରେ ନାମିତ ହେବ ଆବଣ୍ଟିତ ହେଉଥିବା ସରକାରୀ ଜମି ଓ ଘର
  • ସରକାରୀ ଚାକିରି ପାଇଁ ଦେବାକୁ ପଡିବନି ଆବେଦନ ଫି
  • ଆଞ୍ଚଳିକ ବୈଷମ୍ୟ ଦୂର ପାଇଁ ହେବ ସ୍ବତନ୍ତ୍ର ଉନ୍ନୟନ ପରିଷଦ

ଭୁବନେଶ୍ବର () ନବୀନ ଓଡିଶା ଓ ସଶକ୍ତ ଓଡିଶା ଗଠନର ପ୍ରତିଶ୍ରତି ଦେଇ ଏହି ଇସ୍ତାହାର ପ୍ରସ୍ତୁତି ହୋଇଛି । ବିଜେଡି 2014 ନିର୍ବାଚନ ଇସ୍ତାହାରରେ ଦେଇଥିବା ସବୁ ପ୍ରତିଶ୍ରୁତି ପାଳନ କରିଛି । ବିଜେଡି ଦେଶରେ ଏକମାତ୍ର ଦଳ ଭାବେ ସରକାର ଗଠନର ପ୍ରଥମ ଦିନରେ ନିର୍ବାଚନୀ ଇସ୍ତାହାରକୁ କାର୍ଯ୍ୟକାରୀ କରିବାକୁ ମନ୍ତ୍ରୀ ପରିଷଦ ବୈଠକରେ ନିଷ୍ପତ୍ତି ନେଇଥିଲା । 2014 ପରି 2019 ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ମଧ୍ୟ ପାଳନ କରିବ । ଅନ୍ୟ ଦଳ ବିଶେଷ କରି ବିଜେପି ପରି ନିର୍ବାଚନୀ ପ୍ରତିଶ୍ରୁତି ପାଳନରୁ ଓହରିବ ନାହିଁ ବିଜେଡି । ନିର୍ବାଚନ ଇସ୍ତାହାର ପ୍ରକାଶ କରି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି ।

ଜନମତ ଆଧାରରେ ସୃଷ୍ଟି ହୋଇଥିବା ଏହି ଇସ୍ତାହାରରେ କାଳିଆ ସହ ମମତା, ଆହାର, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ, ମିଶନ ଶକ୍ତି, ଆମ ଗାଁ ଆମ ବିକାଶ, ପିଠା ଆଦି ଯୋଜନା ପୂର୍ବଭଳି ଜାରି ରହିବ ବୋଲି କହିଛନ୍ତି ଦଳର ଇସ୍ତାହାର କମିଟି ଆବାହକ ଅମର ପଟ୍ଟନାୟକ । ବିଜେଡିର ନିର୍ବାଚନ ଇସ୍ତାହାରରେ କୃଷି, ମହିଳା, ଚାଷୀ ଓ ଯୁବଛାତ୍ରଙ୍କ ସଶକ୍ତିକରଣକୁ ପ୍ରାଧାନ୍ୟ ଦିଆଯାଇଛି । ନିର୍ବାଚନର କିଛି ମାସ ପୂର୍ବରୁ ଆରମ୍ଭ ହୋଇଥିବା କାଳିଆ ଯୋଜନା ଏବେ ଏକ ନିୟମିତ ଯୋଜନାରେ ପରିଣତ ହେବ । ସରକାରକୁ ଫେରିଲେ ଏହା କାର୍ଯ୍ୟକାରୀ ହେବ । ଯୋଜନାର କାର୍ଯ୍ୟକାରିତାକୁ ସମୀକ୍ଷା କରିବା ଏବଂ ଆବଶ୍ୟକତା ମୁତାବକ ପରାମର୍ଶ ଦେବାକୁ ଗଠନ ହେବ କାଳିଆ କମିଶନ । ଏହି ଯୋଜନାରେ 50 ହଜାର ଟଙ୍କା ପର୍ଯ୍ୟନ୍ତ ସୁଧବିହିନ ଋଣ ସୁବିଧାକୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଂପ୍ରସାରିତ କରାଯିବ । କୃଷିର ବିକାଶ ପାଇଁ ଜଳସେଚନରେ 50ହଜାର କୋଟି ଟଙ୍କା ବିନିଯୋଗ କରି ସବୁ ଅଂଚଳକୁ ଜଳସେଚନ ସୁବିଧା ସୃଷ୍ଟି କରାଯିବ । ଚାଷୀଙ୍କ ପାଇଁ 24 ଘଣ୍ଟିଆ କଲ ସେଣ୍ଟର ଖୋଲିବା ସହ ଧାନର ଏମଏସପି 2930 ଟଙ୍କାକୁ ବୃଦ୍ଧି ପାଇଁ କେନ୍ଦ୍ର ନିକଟରେ ଚାପ ଜାରି ରହିବ ।

‘ମିଶନ ଶକ୍ତି’ ଏକ କେବଳ ଏକ ଅଭିଯାନ ହୋଇ ରହିବ ନାହିଁ । ଏହା ଏକ ସରକାରୀ ବିଭାଗ ଭାବେ କାର୍ଯ୍ୟ କରିବ । 2019ରେ ସରକାରକୁ ଆସିଲେ ମିଶନ ଶକ୍ତି ନାଁରେ ନୂଆ ବିଭାଗ ସୃଷ୍ଟି କରାଯିବ । ସବୁ ପଞ୍ଚାୟତରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ଗଠନ ହେବ ମିଶନ ଶକ୍ତି ଫେଡେରେସନ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କିମ୍ବା ବିପର୍ଯ୍ୟୟ ପାଣ୍ଠି ଭଳି ମିଶନ ଶକ୍ତି କର୍ପସ ଫଣ୍ଡ ଗଠନ କରାଯିବ । ସବୁ ପଂଚାୟତେ ହେବ ମିଶନ ଶକ୍ତି ବଜାର । ସ୍ବତନ୍ତ୍ର ଭାବେ ମହିଳା ମାନଙ୍କ ପାଇଁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଣିକି ସମାଜର ଅନଗ୍ରସର ଶ୍ରେଣୀକୁ ଜମି କିମ୍ବା ଘର ଦିଆଗଲେ ତାହା ସଂପୃକ୍ତ ପରିବାରର ମହିଳାଙ୍କ ନାଁରେ ଦିଆଯିବ । ମହିଳା ସଶକ୍ତିକରଣରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ସରକାର ବର୍ଷକୁ 5ହଜାର କୋଟି ଟଙ୍କାର ବ୍ୟବସାୟ ଦେବେ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ 7 ଲକ୍ଷ ପରିବର୍ତ୍ତେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ବୋଲି ଇସ୍ତାହାରରେ ପ୍ରତିଶ୍ରତି ଦିଆଯାଇଛି ବୋଲି ସେ କହିଛନ୍ତି ।

ରାଜ୍ୟରେ ପ୍ରତିଷ୍ଠା ହେଉଥିବା ସବୁ ଶିଳ୍ପାନୁଷ୍ଠାନରେ ସ୍ଥାୟୀ ଶିକ୍ଷିତ ଯୁବକ ଯୁବତୀଙ୍କ ପାଇଁ 75 ପ୍ରତିଶତ ସଂରକ୍ଷଣ ବାଧ୍ୟତାମୂଳକ ରହିବ । ଦକ୍ଷତା ବିକାଶକୁ ବିଶ୍ବସ୍ତରୀୟ ବ୍ରାଣ୍ଡର ମାନ୍ୟତା ଦିଆଯିବ ।  ଆସନ୍ତା 5 ବର୍ଷ ମଧ୍ୟରେ 15 ଲକ୍ଷ ଯୁବକଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯିବ । 10 ହଜାର ଯୋଗ୍ୟ ଯୁବକଙ୍କୁ ଏକକାଳିନ 10 ଲକ୍ଷ ଟଙ୍କାର ଷ୍ଟାର୍ଟଅପ ଭତ୍ତା ଦିଆଯିବ । ବିନା ସୁଧରେ ଶିକ୍ଷା ଋଣ ଏବଂ ସରକାରୀ ଚକାରୀ ପାଇଁ ଆବେଦନ ଫି ଦେବାକୁ ପଡିବ ନାହିଁ ।

ପଶ୍ଚିମ ଓ ପୂର୍ବ ଓଡିଶା ମଧ୍ୟରେ ରହିଥିବା ଆଞ୍ଚଳିକ ବୈଷମ୍ୟ ଦୂର ପାଇଁ ଗଠନ କରାଯିବ ସ୍ବତନ୍ତ୍ର ଉନ୍ନୟନ ପରିଷଦ । ବରଗଡ, ବଲାଙ୍ଗିର, ବୌଦ୍ଧ, ଦେବଗଡ, ଝାରସୁଗୁଡା, କଳାହାଣ୍ଡି, ସୋନପୁର, ସମ୍ବଲପୁର ଏହି 8ଟି ଜିଲ୍ଲା ଏବଂ ଆଠମଲ୍ଲିକ, କୁଚିଣ୍ଡି ଓ ନିଳଗିରି ସବଡିଭିଜନକୁ ନେଇ ଏହି ପରିଷଦ ଗଠନ କରାଯିବ । ପୂଜାରୀ, ଭଣ୍ଡାରୀ ଓ ଧୋବାଙ୍କ ଭଳି କୌଳିକବୃତ୍ତିଧାରୀଙ୍କ ପାଇଁ ଗଠନ ହେବ ୱେଲଫେୟାର ବୋର୍ଡ । କଟକ ଓ ଭୁବନେଶ୍ବରକୁ ମେଟ୍ରୋ ରେଲ ସହ ଉତ୍ତର ଓ ଦକ୍ଷିଣ ଏବଂ ପୂର୍ବ ଓ ପଶ୍ଚିମକୁ ବିଜୁ ଏକ୍ସପ୍ରେସ ୱେ ଜରିଆରେ ସଂଯୋଗ କରାଯିବ ବୋଲି ସେ କହିଛନ୍ତି ।

ସ୍ବତନ୍ତ୍ର ରାଜ୍ୟ ମାନ୍ୟତା, ପୋଲାଭରମ, କୋଇଲା ରୟାଲଟି ବୃଦ୍ଧି  ଆଦି ପ୍ରସଙ୍ଗରେ ଓଡିଶା ସବୁ ସମୟରେ କେନ୍ଦ୍ରୀୟ ଅବହେଳାର ଶିକାର ହୋଇଥାଏ । ଏଥର କେନ୍ଦ୍ରରେ କୌଣିସ ଗୋଟିଏ ଦଳ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବ ନାହିଁ । ତେଣୁ କେନ୍ଦ୍ରରେ ସରକାର ଗଠନରେ ବିଜେଡିର ଭୁମିକା ରହିବ । ଏହିଦୃଷ୍ଟିରୁ ଓଡିଶାର ଏହି ଦାବିଗୁଡିକ ପୁରଣ ପାଇଁ ଯେଉଁ ସରକାର ନିର୍ଭର ପ୍ରତିଶ୍ରୁତି ଦେବ ବିଜେଡି ତାକୁ ହିଁ ସମର୍ଥନ କରିବ । ଏହାହିଁ ଦଳର ଏକମାତ୍ର ଏଜେଣ୍ଡା ରହିବ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

sixteen − 9 =