୨୦୧୯ ନିର୍ବାଚନରେ ବିଜେପି ବହୁମତରୁ ଦୂରରେ

ଭୁବନେଶ୍ବର, (ନିପ୍ର): ଗତ ନିର୍ବାଚନରେ ୨୮୨ଆସନରେ ବିଜୟୀ ହୋଇ ସରକାର ଗଠନ କରିଥିବା ବିଜେପି ଆଗାମୀ ଲୋକସଭା ନିର୍ବାଚନରେ ବହୁମତଠାରୁ ଦୂରରେ ରହିଛି । କ୍ରାଉଡ ୱିଜଡମ ପକ୍ଷରୁ ଜୁଲାଇ ମାସରେ କରାଯାଇଥିବା ନିର୍ବାଚନୀ ସର୍ଭେ ଅନୁସାରେ ବର୍ତ୍ତମାନ ନିର୍ବାଚନ କରାଗଲେ ବିଜେପି ମାତ୍ର ୨୪୬ ଆସନରେ ବିଜୟୀ ହେବ । ଅର୍ଥାତ୍‍ ଗତ ଥରଠାରୁ ୩୬ଟି ଲୋକସଭା ଆସନ ହରାଇବ । ସର୍ଭେରେ ସବୁଠାରୁ ଯେଉଁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି ତାହା ହେଲା ଉତ୍ତରପ୍ରଦେଶରେ ବିଜେପି ୫ଟି ଆସନ ହରାଇ ୬୭ଟି ଲୋକସଭା ଆସନରେ ସୀମିତ ରହିବ । ଉତ୍ତର ପ୍ରଦେଶ ସମେତ ଉତ୍ତର ଭାରତରୁ ବିଜେପି ଯେଉଁ କ୍ଷତି ସହିବ ତାହା କିଛି ପରିମାଣରେ ଓଡିଶା, ପଶ୍ଚିମବଙ୍ଗ ଓ ଉତ୍ରପୂର୍ବାଞ୍ଚଳ ରାଜ୍ୟରୁ ଭରଣା କରିବ ବୋଲି ଏହି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି । ସର୍ଭେ ରିପୋର୍ଟ ଅନୁସାରେ ଗତ ନିର୍ବାଚନରେ ଓଡିଶାରୁ ଗୋଟିଏ ମାତ୍ର ଲୋକସଭା ଆସନ ଜିତିଥିବା ବିଜେପି ୧୨-୧୪ଟି ଆସନରେ ବିଜୟୀ ହୋଇପାରେ ବୋଲି ଦର୍ଶାଯାଇଛି ।

ଗତ ଲୋକସଭା ନିର୍ବାଚନରେ ମାତ୍ର ୪୮ଟି ଆସନରେ ବିଜୟୀ ହୋଇ କ୍ଷମତା ହରାଇଥିବା କଂଗ୍ରେସ ତାର ଆସନ ସଂଖ୍ୟାରେ ଦୁଇଗୁଣୁ ଅଧିକ ବୃଦ୍ଦି କରିପାରେ । ଅର୍ଥାତ୍‍ କଂଗ୍ରେସ ୧୦୨ଟି ଆସନରେ ବିଜୟୀ ହୋଇପାରେ ବୋଲି ଏହି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି । କଂଗ୍ରେସ ତାର ଆସନ ସଂଖ୍ୟା ବିଜେପି ଗଡ କୁହାଯାଉଥିବା ଉତ୍ତର ଭାରତର ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରୁ ବୃଦ୍ଧି କରିପାରେ ବୋଲି ସର୍ଭେରେ ଦର୍ଶାଯାଇଛି । ଦକ୍ଷିଣ ଭାରତର ତାମିଲନାଡୁରେ ଡିଏମକେ ଓ ବିହାରର ଆରଜେଡି ସହିତ ମେଣ୍ଟ କରି କଂଗ୍ରେସ ୧୦୨ ସଂଖ୍ୟାରେ ପହଞ୍ଚିବ ବୋଲି କୁହାଯାଇଛି ।

ମଇମାସ ରିପୋର୍ଟରେ ବିଜେପିର ଆସନ ସଂଖ୍ୟା କମ ରହିଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣର ଯାଦୁ ଏବେ ବି ଲୋକମାନଙ୍କ ଉପରେ ରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ଓ ଭାଷଣ ଫଳରେ ବିଜେପିର ସ୍ଥିତି ସୁଧୁରିବାରେ ଲାଗିଛି ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି । ମହାରାଷ୍ଟ୍ରରେ ମରାଠାମାନଙ୍କ ଆନ୍ଦୋଳନ ଯୋଗୁଁ ଗତ ଥର ଅପେକ୍ଷା ଆଗାମୀ ନିର୍ବାଚନରେ ବିଜେପିକୁ କ୍ଷତି ସହିବାକୁ ପଡିବ । ସର୍ଭେରେ ଅଂଶ ଗ୍ରହଣ କରିଥିବା ଲୋକମାନଙ୍କ ମଧ୍ୟରୁ ୭୦ପତିଶତ ପ୍ରଧାନମନ୍ତ୍ରୀ ମୋଦି ୨୦୧୯ରେ ପୁଣି ଥରେ କ୍ଷମତାକୁ ଆସିବାକୁ ଚାହିଁଛନ୍ତି ।

ଉତ୍ତରପ୍ରଦେଶରେ ବିଜେପି ସମାଜବାଦୀ ପାର୍ଟି-ବିଏସପି-କଂଗ୍ରେସ ମେଣ୍ଟର ସଫଳ ମୁକାବିଲା କରି ମାତ୍ର ୫ଟି ଆସନ ହରାଇ ୬୭ରୁ ୭୨ଟି ଆସନରେ ବିଜୟୀ ହୋଇପାରେ ବୋଲି ମତଦାତାମାନେ ସମର୍ଥନ କରିଛନ୍ତି । ଏହା ପୁର୍ବରୁ ସମାଜବାଦୀ ପାର୍ଟି ୧୩ଟି ଓ ବିଏସପି ୧୨ଟି ଆସନରେ ବିଜୟୀ ହେବ ବୋଲି ଆଶା କରାଯାଉଥିଲା ବେଳେ ଜୁଲାଇ ମାସରେ ଏହା ମାତ୍ର ୩ଟି ଆସନକୁ ଖସି ଆସିଯାଇଛି । ଏହି ୩ଟି ଆସନ ବିଏସପି ଜିତିବ ବୋଲି ଆକଳନ କରାଯାଇଛି । ସମାଜବାଦୀ ପାର୍ଟି ଓ କଂଗ୍ରେସ ପୂର୍ବଭଳି ନିଜ ଆସନ ବଜାୟ ରଖିବେ ବୋଲି ଜଣାପଡିଛି ।

ଇିହାରର ୪୦ଟି ଆସନରୁ ଗତଥର ବିଜେପି ୨୨ଟି ଆସନ ବିଜୟୀ ହୋଇଥିଲା । ଆଗାମୀ ୨୦୧୯ ନିର୍ବାଚନରେ ବିଜେପି-ଜେଡିୟୁ ମେଣ୍ଟ ୩୧ଟିରୁ ୩୫ଟି ଆସନରେ ବିଜୟୀ ହୋଇପାରେ । ପଶ୍ଚିମବଙ୍ଗରେ ବିଜେପି ତାର ଆସନ ସଂଖ୍ୟା ୨ରୁ ୫କୁ ବୃଦ୍ଧି କରିବ ବୋଲି ଆକଳନ କରାଯାଇଛି । ମହାରାଷ୍ଟ୍ରରେ ବିଜେପି ଗତ ନିର୍ବାଚନରେ ୨୩ଟି ଆସନରେ ବିଜୟୀ ହୋଥିବାବେଳେ ଆଗାମୀ ନିର୍ବାଚନରେ ଏହା ୩୦ରୁ ୩୩ଟି ଆସନକୁ ବୃଦ୍ଧି ହୋଇପାରେ । କେରଳରେ କଂଗ୍ରେସ ଗତ ନିର୍ବାଚନରେ ୧୨ଟି ଆସନରେ ବିଜୟୀ ହୋଇଥିବାବେଳେ ଆଗାମୀ ନିର୍ବାଚନରେ ଏହା ୬ରୁ ୮ଟି ଆସନକୁ ଖସି ଆସିପାରେ ବୋଲି ସର୍ଭେରେ ଦର୍ଶାଯାଇଛି । ଗତ ନିର୍ବାଚନରେ ତାମିଲନାଡୁରେ ଏଆଇଏଡିଏମକେ ୩୭ଟି ଆସନରେ ବିଜୟୀ ହୋଇଥିଲା । ଆଗାମୀ ନିର୍ବାଚନରେ ତାହା ଏଆଇଏଡିଏମକେ ରଖିପାରିବ ନାହିଁ । କୌଣସି ଆସନରେ ବିଜୟୀ ହୋଇନଥିବା ଡିଏମକେ ୩୬ରୁ ୩୯ଟି ଆସନରେ ବିଜୟୀ ହୋଇପାରେ ବୋଲି ସର୍ଭେରେ ଦର୍ଶାଯାଇଛି ।

କର୍ଣ୍ଣାଟକରେ ବିଜେପି ଗତ ନିର୍ବାଚନରେ ୧୭ଟି ଲୋକସଭା ଆସନରେ ବିଜୟୀ ହୋଇଥିବାବେଳେ ଆଗାମୀ ନିର୍ବାଚନରେ ଏହା ୨୧ରୁ ୨୩କୁ ବୃଦ୍ଧି ପାଇପାରେ । ବିଜେପିର ନୂଆ ରାଜ୍ୟ ଭାବେ ପରିଚିତ ହୋଇଥିବା ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ଗତ ଥର ୭ଟି ଆସନରେ ବିଜୟୀ ହୋଇଥିବାବେଳେ ଆଗାମୀ ୨୦୧୯ ନିର୍ବାଚନରେ ବିଜେପିର ଆସନ ସଂଖ୍ୟା ୨୨ରୁ ୨୪କୁ ବୃଦ୍ଧି ପାଇପାରେ ।

Share

Leave a Reply

Your email address will not be published. Required fields are marked *

4 + twelve =