ସ୍ବତନ୍ତ୍ର ରାଜ୍ୟ ମାନ୍ୟତା : ନିୟମର ଆଳ ଦେଖାଇ ଏଡାଇଯାଉଛି ବିଜେପି

ରାଜ୍ୟ ସ୍ବାର୍ଥ ପାଇଁ ସଂସଦରେ ଲଢେଇ ପାଇଁ ବିଜେଡି ତୟାର

8ଟି ପ୍ରସଙ୍ଗରେ କେନ୍ଦ୍ରକୁ ଘେରିବାକୁ ରଣନୀତି

ଭୁବନେଶ୍ବର (): ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି ସହ ଚାଷୀ ସମସ୍ୟା ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଏବଂ ସର୍ବୋପରି ମହିଳାଙ୍କ ପାଇଁ ବିଧାନସଭା ଓ ଲୋକସଭାରେ 33 ପ୍ରତିଶତ ଆସନ ସଂରକ୍ଷଣ ପ୍ରସଙ୍ଗକୁ ସଂସଦରେ ଉଠାଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ ବିଜେଡି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେଡି ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି ହୋଇଛି ।

ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ନେଇ ଦୀର୍ଘଦିନ ଧରି ବିଜେଡି ଦାବି କରିଆସୁଛି । ଏପରିକି ଓଡିଶାରେ ବିଜେପି ଦଳ ମଧ୍ୟ 2000 ମସିହାରୁ ବିଜେଡି ସହ ଦାବି କରିଆସୁଛି । ସମୟ ଥିଲା ହୋଇପାରିଥାନ୍ତା, କିନ୍ତୁ ନୀତି ଆୟୋଗର ନିୟମ ଆସିଲା ପରେ ସେ ନିୟମର ଆଳ ଦେଖାଇ କେନ୍ଦ୍ର ସରକାର ଏହାକୁ ଏଡାଇ ଚାଲିଛାନ୍ତି । ଆମର ଦାବି ରହିବ ଆପଣ ଯଦି ଅନ୍ୟ କ୍ଷେତ୍ରରେ ନିୟମ ବଦଳେଇ ପାରୁଛନ୍ତି, ଆମ ପାଇଁ କାହିଁକି ନିୟମ ବଦଳେଇପାରିବେନି ।ଏହି ଦାବି ଆମର ନୁହେଁ, ଆହୁରି କେତେକ ରାଜ୍ୟମାନଙ୍କର ବି ରହିଛି । ଯାହାକୁ ନେଇ ଆମେ ସଂପୃକ୍ତ ରାଜ୍ୟମାନଙ୍କ ସହ କଥା ହେବୁ ଏବଂ ଦୃଢ ଭାବେ ସଂସଦର ଉଭୟ ଗୃହରେ ଦାବୀ ଉପସ୍ଥାପନା କରିବୁ ବୋଲି କହିଛନ୍ତି ବିଜେଡି ସାଂସଦ ପ୍ରତାପ ଦେବ ।

ଦ୍ବତୀୟରେ ଚାଷୀ ସମସ୍ୟା ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରକୁ ଆଟାକ କରିବ ବିଜେଡି । ସ୍ବାମୀନାଥନ କମିଟି ରିପୋର୍ଟକୁ ଲାଗୁ କରିବା ପାଇଁ ବିଜେପି ତାଙ୍କ 2014 ନିର୍ବାଚନୀ ଇସ୍ତାହାରରେ ପ୍ରତିୃତି ଦେଇଥିଲେ ଓ ଧାନର ଏମଏସପି ଦେଢଗୁଣା ବଢାଇବା ପାଇଁ ମଧ୍ୟ ପ୍ରତିଶୃତି ଦେଇଥିଲେ । ମାତ୍ର 200 ଟଙ୍କା ବଢାଇ ଦେଇ କେନ୍ଦ୍ର ସରକାର ଅଧାରେ ରହିଗଲେ ।

ମହିଳାଙ୍କ ପାଇଁ ବିଧାନସଭା ଓ ସଂସଦରେ 33 ପ୍ରତିଶତ ଆସନ ସଂରକ୍ଷଣ ନେଇ ଗତ କିଛି ଦିନ ତଳେ ରାଜ୍ୟ ବିଧାନସବାରେ ସର୍ବସମ୍ମତ ବିଲ ପାରିତ ହୋଇଛି । ପୂର୍ବରୁ ଏହି ବିଲ ରାଜ୍ୟସଭାରେ ମଧ୍ୟ ପାରିତ ହୋଇସାରିଛି  । କେବଳ ଲୋକସଭାରେ ପାରିତ ହେବାକୁ ବାକି ରହିଛି । ଏନେଇ ବିଜୁ ଜନତା ଦଳ ତରଫରୁ ଏକ ଟିମ ଚୟନ କରାଯାଇଛି । ଟିମର ସଦସ୍ୟମାନେ ଦେଶର ବିଭିନ୍ନ ଦଳର ନେତାମାନଙ୍କୁ ଭେଟିବେ । ଏ ସଂପର୍କରେ ବିଜେଡି ସଂସଦର ଉଭୟ ସଦନରେ ଦାବି ଉଠାଇବ ବୋଲି ସେ କହିଛନ୍ତି ।

ତିତଲି କ୍ଷୟକ୍ଷତି ସହାୟତା ପ୍ରଦାନରେ କେନ୍ଦ୍ର ସରକାରଙ୍କ ଅବହେଳାକୁ ମଧ୍ୟ ପ୍ରସଙ୍ଗ କରାଯିବ । ତିତଲି ବାତ୍ୟା ପରେ କ୍ଷୟକ୍ଷତି ବାବଦକୁ କେନ୍ଦ୍ର ସରକାର ଅନ୍ୟ ରାଜ୍ୟମାନଙ୍କୁ ସହାୟତା ଦେଲେ । ହେଲେ ଓଡିଶାକୁ ମିଳିଲା ନାହିଁ । କ୍ଷୟକ୍ଷତି ଆକଳନ କରିବାକୁ ତାଙ୍କର ଟିମ ଆସିଲେ, କ୍ଷୟତିଗ୍ରସ୍ତ ଅଂଚଳ ଗସ୍ତ କରି ଆକଳନ କଲେ । ଆଉ ଥଇଥାନ ନେଇ ଓଡିଶା ସରକାରଙ୍କୁ ପ୍ରଶଂସା ମଧ୍ୟ କଲେ । ଏନଡିଆରଏପ ପକ୍ଷରୁ ମଧ୍ୟ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରାଗଲା । ଏଠାରେ ବିଜେପି ନେତାମାନେ ଯେଉଁ କଥା ଉଠାଇଲେ ଆଉ ତାଙ୍କ ନେତାମାନ କ୍ଷତିଗ୍ରସ୍ତ ଅଂଚଳ ଗସ୍ତ କରି ଯାହା କହିଲେ ପରେ ସେ ସବୁ ପ୍ରତିଶୃତି ଭୁଲିଗଲେ । ଏହା ଓଡିଶାର ସ୍ବାର୍ଥକୁ ଅଣଦେଖା ବୋଲି ସେ ଅଭିଯୋଗ କରିଛନ୍ତି ।

ଅନୁସୂଚିତ ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ବାବଦକୁ ରାଜ୍ୟ ସରକାର ପାଖାପାଖି 220 କୋଟି ଟଙ୍କା ପାଉଥିଲେ । ତାକୁ କେନ୍ଦ୍ର ସରକାର କମାଇ ଦେଇ ପାଖାପାଖି 30ରୁ 40 କୋଟି ଭିତରେ ରଖିଛନ୍ତି । ପୂର୍ବରୁ କେନ୍ଦ୍ର ସରକାର ଦେଉଥିବା 90 ପ୍ରତିଶତ ଛାତ୍ରବୃତ୍ତି ଏବେ 20ରେ ସୀମିତ ରଖିଛନ୍ତି । ଏପରିକି ଧାର୍ଯ୍ୟ ସମୟରେ ନିଜର ଅଂଶଧନ କେନ୍ଦ୍ର ସରକାର ଦେଉନାହାଁନ୍ତି । ଯାହା ସଂପୂର୍ଣ୍ଣ ଭାବେ ଅମାନବୀନୟ ଏବଂ ଅନୁସୂଚିତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ପ୍ରତାରଣା । ତେଣୁ ବିଜେଡି ଏହି ପ୍ରସଙ୍ଗ ସଂସଦରେ ଉଠାଇବ ବୋଲି ସେ କହିଛନ୍ତି ।

ବକ୍ସି ଜଗବନ୍ଧୁଙ୍କ ନାମରେ ଏକ ଟ୍ରେନ ଚଳାଚଳ ପାଇଁ କେନ୍ଦ୍ର ନିକଟରେ ଦାବି କରାଯାଇଥିଲା । ହେଲେ ଏ ସଂକ୍ରାନ୍ତରେ ଅଦ୍ୟାବଧି କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଇନାହାଁନ୍ତି । ବକ୍ସି ଜଗବନ୍ଧୁଙ୍କ ସ୍ବାଧୀନତା ସଂଗ୍ରାମ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ଥିଲା ବୋଲି ଖୋଦ କେନ୍ଦ୍ର ସରକାର କହିଥିଲେ ବି ଏ ସଂକ୍ରାନ୍ତରେ କୌଣସି ମାନ୍ୟତା ଏପର୍ଯ୍ୟନ୍ତ ମିଳିଲା ନାହିଁ । ଏହା ବକ୍ସିଙ୍କ ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ବୋଲି ସେ କହିଛନ୍ତି ।

କେନ୍ଦୁପତ୍ର ତୋଳାଳୀଙ୍କ ଉପରେ ଲାଗୁଥିଲା 18 ପ୍ରତିଶତ ଜିଏସଟିକୁ 5 ପ୍ରତିଶତକୁ କମାଇବା ଦାବି ମଧ୍ୟ ଉଠାଇବ ବିଜେଡି । ଓଡିଶାରେ ଯେଉଁ କେନ୍ଦୁପତ୍ର ତୋଳାଳୀ ଅଛନ୍ତି ତାଙ୍କର ଏକ ବୃହତ ପ୍ରସଙ୍ଗ ରହିଛି ଯେ, ତାଙ୍କୁ 18 ପ୍ରତିଶତ ହାରରେ ଟିକସ ହେବାକୁ ପଡୁଛି । ସେମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହାକୁ 5 ପ୍ରତିଶତକୁ କମାଇବାକୁ ବିଜେଡି ଦାବି କରିଛି । ଏହା ଦ୍ବାରା ବହୁ କେନ୍ଦୁପତ୍ର ତୋଳାଳୀ ଉପକୃତ ହେବେ । କେନ୍ଦୁପତ୍ର ଉପରେ ବହୁ ଜାନଜାତି ନିର୍ଭର କରି ଜୀବନ ଯାପନ କରୁଛନ୍ତି । ଏସଂକ୍ରାନ୍ତରେ ବିଜେଡି ଉଭୟ ଗୃହରେ ସ୍ବର ଉତ୍ତୋଳନ କରିବ ବୋଲି ସେ କହିଛନ୍ତି ।

କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି ଯେ, ରେଳବାଇରେ ଓଡିଶାକୁ ଅଧିକ ଅର୍ଥ ଦିଆଯାଇଛି । କିନ୍ତୁ କାମର ଗତି କଚ୍ଛପ ଗତିରେ ଚାଲିଛି । ଏ ସଂର୍କରେ ମଧ୍ୟରେ ଉଭୟ ଗୃହରେ ବିଜେଡି ଆଲୋଚନା କରିବ । ଏହାବାଦେ ମହାନଦୀ ଓ ପୋଲାଭରମ ପ୍ରସଙ୍ଗ ମଧ୍ୟ ଉଠାଯିବ । ପୋଲାଭାର ଉପରେ ବର୍ତ୍ତମାନ ସୁପ୍ରିମକୋର୍ଟ ଯେଉଁଭଳି ନିର୍ଦ୍ଦେଶ ଦେଇଛନ୍ତି ଏବଂ ମହାନଦୀ ଟ୍ରିବ୍ୟୁନାଲ ହୋଇସାରିଲା ପରେ ମଧ୍ୟ ମନ୍ଥର ଗତି କାହିଁକି । ଓଡିଶାର ସ୍ବାର୍ଥ କିଭଳି ଭାବେ ରକ୍ଷା ହେବ ବୋଲି ସେ ପ୍ରଶ୍ନ କରିଛନ୍ତି ।

 

Share

Leave a Reply

Your email address will not be published. Required fields are marked *

five × 3 =