ଶିଳ୍ପାୟନକୁ ବଡ ସଫଳତା, 2ଲକ୍ଷ କୋଟିରୁ ଅଧିକ ପୁଂଜିନିବେଶକୁ ମଂଜୁରୀ

ଭୁବନେଶ୍ବର () ରାଜ୍ୟରେ ଶିଳ୍ପର ଅଭିବୃଦ୍ଧିକୁ ସର୍ବାଧିକ ଗୁରୁତ୍ବ ଦେଇ ଆରମ୍ଭ ହୋଇଥିବା 5-ଟି ଅଭିଯାନରୁ ସୁଫଳ ମିଳିବା ଆରମ୍ଭ ହୋଇଛି । ଟିମୱାର୍କ, ସ୍ବଚ୍ଛତା ଓ ଟେକ୍ନୋଲୋଜିର ବ୍ୟବହାର ଦ୍ବାରା ନିର୍ଦ୍ଧିଷ୍ଟ ସମୟ ସୀମାରେ ପରିବର୍ତ୍ତନ ପାଇଁ 5-ଟିରେ ଲକ୍ଷ ରଖାଯାଇଛି । ଆଜି ଏହି ଅଭିଯାନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଂଶତମ ଉଚ୍ଚକ୍ଷମତା ସମ୍ପନ୍ନ କ୍ଲିୟରାନ୍ସ ଅଥୋରିଟି ବୈଠକରେ 2ଲକ୍ଷ 4ହଜାର 69 କୋଟି ଟଙ୍କାର ପୁଂଜିନିବେଶ ପ୍ରସ୍ତାବକୁ ମଂଜୁରୀ ମିଳିଛି । ନବନିର୍ମିତ ଖାରବେଳ ଭବନରେ ଏହିସବୁ ପ୍ରକଳ୍ପକୁ ମଂଜୁରୀ ମିଳିଥିବା ବେଳେ ଶିଳ୍ପ ସଚିବ ସଂଜୀବ ଚୋପ୍ରା କହିଛନ୍ତି ଯେ, ଉଚ୍ଚକ୍ଷମତା ସମ୍ପନ୍ନ କ୍ଲିୟରାନ୍ସ ଅଥୋରିଟି ବୈଠକରେ ଆଜି ସର୍ବାଧିକ ମୂଲ୍ୟର ଶିଳ୍ପ ପ୍ରସ୍ତାବକୁ ମଂଜୁରୀ ମିଳିଛି ।

ଆଜି ମଂଜୁରୀ ମିଳିଥିବା ପ୍ରସ୍ତାବଗୁଡିକ ଦ୍ବାରା 27 ହଜାର 645ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମଂଜୁରୀ ପ୍ରାପ୍ତ ପ୍ରସ୍ତାବଗୁଡିକ ମୁଖ୍ୟତଃ ରସାୟନିକ ଓ ପେଟ୍ରୋକେମିକାଲ ଏବଂ ଧାତୁ ସଂପର୍କିତ ଆନୁସଙ୍ଗିକ ଶିଳ୍ପ । ବୈଠକରେ କଳିଙ୍ଗ ନଗର ଶିଳ୍ପ ନଗରୀରରେ ଜିନ୍ଦଲ ଇଣ୍ଡିଆ ପକ୍ଷରୁ ପ୍ରସ୍ତାବିତ 0.50 ନିୟୁତ ଟନ କ୍ଷମତା ସମ୍ପନ୍ନ କୋଲ୍ଡ ରୋଲିଂ ପ୍ଲାଣ୍ଟ ସହ ଇସ୍ତାତ ପ୍ରକ୍ରିୟା କରଣ ପ୍ଲାଣ୍ଟକୁ ମଂଜୁରୀ ମିଳିଛି । ଏହି ପ୍ରକଳ୍ପରେ 1676 କୋଟି ଟଙ୍କା ପୁଂଜି ନିବେଶ ହୋଇଥିବା ବେଳେ 1300 ଲୋକଙ୍କ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି ।

ଅନୁଗୁଳରେ ତାଳଚେର ଫର୍ଟିଲାଇଜର ଲିମିଟେଡ ପକ୍ଷରୁ ପ୍ରସ୍ତାବିତ 1.99 ନିୟୁତ ଟନ କ୍ଷମତା ସମ୍ପନ୍ନ କୋଇଲାରୁ ୟୁରିଆ ପ୍ରସ୍ତୁତ କମ୍ପ୍ଲେକ୍ସ ପ୍ରକଳ୍ପୁ ମଜୁରୀ ମିଳିଛି । ଏହି ପ୍ରକଳ୍ପରେ 14ହଜାର 732 କୋଟି ଟଙ୍କାର ପୁଂଜି ନିବେଶ କରାଯିବ । ଏହାଦ୍ବାରା 550 ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ପେଟ୍ରୋକେମିକାଲ କ୍ଷେତ୍ରରେ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଦୁଇଟି ବୃହତ ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତି । ହଳଦିଆ ପେଟ୍ରୋକେମିକାଲ୍ସ ଲିମିଟେଡର 78ହଜାର 225 କୋଟି ଟଙ୍କାର ପୁଂଜି ନିବେଶ ପ୍ରସ୍ତାବକୁ ମଂଜୁରୀ ମିଳିଛି । ହଳଦିଆ ପେଟ୍ରୋକେମିକାଲ୍ସ ବାଲେଶ୍ବର ଜିଲ୍ଲାରେ ହାଇଡ୍ରୋକାର୍ବନ ପ୍ରୋସେସିଂ କମ୍ପ୍ଲେକ୍ସ ପ୍ରତିଷ୍ଠା କରିବ । ବାଲେଶ୍ବର ଜିଲ୍ଲାର ସୁବର୍ଣ୍ଣରେଖା ବନ୍ଦର ନିକଟରେ ଏହି କମ୍ପ୍ଲେକ୍ଶ ନିର୍ମାଣ କରାଯିବ । ଏହାଦ୍ବାରା ମୋଟ 10ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ପାରାଦ୍ବୀପ ଠାରେ ଇଣ୍ଡିଆନ ଅଏଲ କର୍ପୋରେସନର 15 ନିୟୁତ ଟନ କ୍ଷମତା ସମ୍ପନ୍ନ ରିଫାଇନାରୀକୁ 25 ନିୟୁତ ଟନକୁ ସଂପ୍ରସାରିତ କରିବାକୁ ଥିବା ପ୍ରସ୍ତାବକୁ ମଧ୍ୟ ମଂଜୁରୀ ମିଳିଛି । ଏଥିସହିତ ଇଣ୍ଡିଆନ ଅଏଲ ଏକ ପେଟ୍ରୋକେମିକାଲ କମ୍ପ୍ଲେକ୍ସ ନିର୍ମାଣ କରିବାକୁ ମଧ୍ୟ ପ୍ରସ୍ତାବ ରଖିଛି । ଏଥିରେ ମୋଟ 1ଲକ୍ଷ 300 କୋଟି ଟଙ୍କାର ପୁଂଜି ନିବେଶ କରାଯିବାକୁ ଥିବା ବେଳେ 12ହଜାର 595ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏଥିସହିତ ଏହି ପ୍ରକଳ୍ପ ଦ୍ବାରା କେମିକାଲ ଓ ପେଟ୍ରୋକେମିକାଲ ସମ୍ପର୍କିତ ଆନୁସଙ୍ଗିକ ଶିଳ୍ପକୁ ମଧ୍ୟ ସହଯୋଗ ସୁନିଶ୍ଚିତ କରାଯିବ ।

ଆଇଓସିଏଲର 1.2 ନିୟୁତ ଟନ କ୍ଷମତା ସମ୍ପନ୍ନ ତେରାଫଥାଟିକ ଏସିଡ କମ୍ପ୍ଲେକ୍ସ ନିର୍ମାଣ ପ୍ରସ୍ତାବକୁ ମଧ୍ୟ ମଂଜୁରୀ ମିଳିଛି । ଏଥିରେ 9 ହଜାର 136 କୋଟି ଟଙ୍କାର ପୁଂଜିନିବେଶର ଲକ୍ଷ ରଖାଯାଇଥିବା ବେଳେ 3200 ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡିଶା ପୂର୍ବ ଭାରତରେ ପେଟ୍ରୋକେମିକାଲ ହେବ ହେବା ସହ ଆଗାମୀ ଦନରେ ବନ୍ଦର ଭିତ୍ତିକ ଆମଦାନୀ ଓ ରପ୍ତାନୀ ବୃଦ୍ଧି ହେବ ଏବଂ ପେଟ୍ରୋକେମିକାଲ ସମ୍ପର୍କିତ ଆନୁସଙ୍ଗିକ ଶିଳ୍ପର ମଧ୍ୟ ଅଭିବୃଦ୍ଧି ହେବ ।

Share

Leave a Reply

Your email address will not be published. Required fields are marked *

14 − nine =