ପ୍ରକୃତି ପ୍ରେମୀ ବଦ୍ରିଙ୍କ ନୂଆ ଅବତାର

ପାଟଣା() ଦେଶରେ ମହାମାରୀ କରୋନାର ତାଣ୍ଡବରେ ଦେଶ ତଥା ରାଜ୍ୟର ଚିତ୍ର ଏବେ ବଦଳି ଯାଇଛି । କାହାର ପେଷା ବଦଳିଯାଇଛି ତ କାହାର ନିଶା ଭାଙ୍ଗିଯାଇଛି । କିଏ ଚାକିରୀ ହରାଇ ପରିବା ବିକୁଛି ତ ଆଉ କିଏ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ତାଜୀବନର ଗତିପଥ ମଧ୍ୟ ବଦଳାଇ ଦେଇଛି । ଏହିଭଳି ସଙ୍କଟ ସମୟରେ ଆମେ ଜଣେ ଲୋକ ପ୍ରତିନିଧିଙ୍କ କଥା ବର୍ଣ୍ଣନା କରିବାକୁ ଯାଉଛୁ, ଯିଏ କି ଦିନେ ଶୀତତାପ ନିୟନ୍ତ୍ରୀତ କୋଠରୀ, ଦାମୀ ଗାଡି ଓ ସଚିବାଳୟ ଭିତରେ ନିଜକୁ ସୀମିତ ରଖି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ନୂଆ ଓଡିଶା ଗଠନ ଓ ଅନଗ୍ରସର କେନ୍ଦୁଝର ଜିଲ୍ଲା ବିକାଶର ବିନ୍ଧାଣି ଥିଲେ । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଏହି ଜିଲ୍ଲାର ଅପ୍ରତିଦ୍ୱନ୍ଦି ନେତା ତଥା ବିଧାୟକ ବଦ୍ରି ନାରାୟଣ ପାତ୍ର । ମନ୍ତ୍ରୀପଦରେ ନଥିଲେ ମଧ୍ୟ ସବୁବେଳେ ସାଧାରଣ ଲୋକଙ୍କୁ ଓ ପରିବେଶ ସହିତ ପ୍ରକୃତିକୁ ଭଲ ପାଉଥିବା ବଦ୍ରି ବାବୁ ବର୍ତ୍ତମାନ ଏକ ନୂଆ ଅବତାରରେ ଉଭା ହୋଇଛନ୍ତି । ଅଧ୍ୟାପନା କ୍ଷେତ୍ରରୁ ରାଜନୀତିକୁ ଆସି ସେ ଯେତିକି ସଫଳତା ପାଇଛନ୍ତି କେନ୍ଦୁଛର ରାଜନୀତିରେ କୌଣସି ରାଜନେତା ସେଭଳି ସୁଯୋଗ ପାଇନାହାଁନ୍ତି ।

ବର୍ତ୍ତମାନର କରୋନା କଟକଣା, ଲକଡାଉନ ଓ ସଟଡାଉନ ସମୟରେ ତାଙ୍କ ସମୟ କେଉଁଠି କଟୁଛି ତାହା ଅନେକଙ୍କୁ ଅଜଣା ଥିବାବେଳେ ସେ ଯେ ଏହି ସମୟ ପରିବେଶ ସୁରକ୍ଷା ପାଇଁ ଦେଉଛନ୍ତି ତାହା ଏବେ ଚର୍ଚ୍ଚାର ପରିସରକୁ ଆସିଛି । ଏପରିକି ପରିବେଶ ସୁରକ୍ଷା ପାଇଁ ସେ ଯେ ଦୀର୍ଘ ବର୍ଷରୁ କାମ ଜାରି ରଖିଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇଯାଇଛି । ଗଡବାନ୍ଧଗୋଡା ଗ୍ରାମରେ ନିଜର ସାଢେ ସାତ ଏକର ପରିମିତ ଜାଗାରେ ସେ ଶାଗୁଆନ, ଆମ୍ବ, ନଡିଆ, ତେଜପତ୍ର, ଗୁଆ, ଅଶୋକ ଆଦି ନାମିଦାମୀ ବହୁ ପ୍ରକାରର ଗଛ ଲଗାଇ ତାହାର ଯତ୍ନ ନେବା ସହ ଅଞ୍ଚଳର ବିଭିନ୍ନ ମଠ, ମନ୍ଦିର ଓ ବିଦ୍ୟାଳୟମାନଙ୍କରେ ବୃକ୍ଷ ରୋପଣ ପାଇଁ ମୂଲ୍ୟବାନ ଚାରା ମଧ୍ୟ ଯୋଗାଇ ଦେଉଥିବା ଜଣାପଡିଛି । ଉଜୁଡା ଜଙ୍ଗଲର ପୁନଃରୁଦ୍ଧାର, ରାସ୍ତା ପାର୍ଶ୍ବ ବୃକ୍ଷରୋପଣ କ୍ଷେତ୍ରରେ ସେ ଦୀର୍ଘଦିନ ହେଲା ବ୍ୟକ୍ତିଗତ ସ୍ତରରେ ଉଦ୍ୟମ କରି ଆସୁଥିବାବେଳେ କରୋନା କଟକଣା ସମୟରେ କଟକଣା ରୀତିନୀତି ମାନି ସେ ଏବେ ପରିବେଶ ସୁରକ୍ଷା ପାଇଁ ମନୋନିବେଶ କରିବା ସହ ଜନସାଧାରଣଙ୍କ ସମସ୍ୟା ପ୍ରତି ମଧ୍ୟ ନଜର ଦେଉଥିବା ଦେଖାଯାଇଛି ।

Share

Leave a Reply

Your email address will not be published. Required fields are marked *

five + 19 =