ବିଜେଡିକୁ ଫେରିବେ ଅଶୋକ ପାଣିଗ୍ରାହୀ!

ଭୁବନେଶ୍ବର () ବିଜେଡିକୁ ଫେରିବାକୁ ଅସନ୍ତୁଷ୍ଟ ବିଜେପି ନେତା ଅଶୋକ ପାଣିଗ୍ରାହୀ ଏବେ ବିଜେପୁର ନିର୍ବାଚନ ଦାୟିତ୍ବରେ ଥିବା ନେତାଙ୍କ ଘର ଘର ବୁଲିବା ଆରମ୍ଭ କରିଦେଇଛନ୍ତି । କିନ୍ତୁ ଥରେ ବିଜେଡିରୁ ବାହାରିଥିବା ନେତା ଦଳକୁ ଫେରିବା ଏତେ ସହଜ ନୁହେଁ । ତେଣୁ କୌଣସି ନେତା ତାଙ୍କୁ ଧରାଛୁଆଁ ଦେଉନାହାଁନ୍ତି ।

ବିଜେପୁରରୁ ବିଧାୟକ ହେବା ସ୍ବପ୍ନ ଦେଖୁଥିବା ଅଶୋକ ପାଣିଗ୍ରାହୀ ଏବେ ବାର ଦୁଆର ବୁଲୁଛନ୍ତି । କିନ୍ତୁ କେହି ତାଙ୍କୁ ସହଯୋଗ କରିବା ସ୍ଥିତିରେ ନାହାଁନ୍ତି । 2000 ମସିହାରେ ବିଜେଡି ଟିକଟରେ ଥରେ ବିଧାୟକ ହେବାର ସୁଯୋଗ ପାଇଥିବା ଅଶୋକ ଆଉ ନିର୍ବାଚନ ଜିତିପାରିନାହାଁନ୍ତି ।2004ରେ ମଧ୍ୟ ଦଳ ତାଙ୍କୁ ପ୍ରାର୍ଥୀ କରିଥିଲା । କିନ୍ତୁ ସୁବଳ ସାହୁଙ୍କ ବିରୋଧରେ ସେ 22 ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହାରିଥିଲେ । ଏପରିକି ବିଧାୟକ ହେବା ପରେ ସେ ନିଜ ନିର୍ବାଚନମଣ୍ଡଳୀରେ ଲୋକ ସମ୍ପର୍କରେ ରହିଲେ ନାହିଁ । ତେଣୁ 200ରେ ଦଳ ତାଙ୍କୁ ପ୍ରାର୍ଥୀ କଲାନାହିଁ । ନୂଆ ମୁହଁ ଭାବେ ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ପ୍ରାର୍ଥୀ କରିଥିଲା ।

ପ୍ରଭାତ ବି ସୁବଳଙ୍କ ବିରୋଧରେ ଫେଲ ମାରିଥିଲେ । ଫଳରେ 2014ରେ ବିଜେଡି ପଶ୍ଚିମ ଓଡିଶାର ଟାଣୁଆ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେପୁରରୁ ଛିଡା କରାଇଥିଲା । ସେ ମାତ୍ର ଦେଢ ହଜାର ଭୋଟ ବ୍ୟବଧାନରେ ହାରିଗଲେ । ସେହି ନିର୍ବାଚନରେ ଅଶୋକ ପାଣିଗ୍ରାହୀ ଦଳୀୟ ପ୍ରାର୍ଥୀ ହେବାର ଆଶା କରି ହତାସ ହେବାରୁ ବିଦ୍ରୋହୀ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଥିଲେ । ଦଳର ଗଣିତ ଅନୁଯାୟୀ ଅଶୋକ ବିଦ୍ରୋହୀ ପ୍ରାର୍ଥୀ ଭାବେ ଲଢି 18 ହଜାରରୁ ଅଧିକ ଭୋଟ ଟାଣିବା ପ୍ରସନ୍ନଙ୍କ ପରାଜୟର କାରଣ ହେଲା ।

ତେଣୁ 2018ରେ ସୁବଳ ସାହୁଙ୍କ ମୃତ୍ୟୁ ପରେ ଦଳ ତାଙ୍କ ପତ୍ନୀ ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିଲା । ବିଦ୍ରୋହୀ ଭୂମୀକାରେ ଥିବା ଅଶୋକ ସେ ସମୟରେ ବିଜେପି ଶିବିରେ ଯୋଗ ଦେଇ ପ୍ରାର୍ଥୀ ହେଲେ । କିନ୍ତୁ ରୀତାଙ୍କ ବିରୋଧରେ 42 ହଜାର ଭୋଟ ବ୍ୟବଧାନରେ ହାରିଗଲେ । ତେଣୁ ଆଉ ଅଶୋକଙ୍କ ଉପରେ ଭରସା କଲାନି ବିଜେପି । 2019 ସାଧାରଣ ନିର୍ବାଚନରେ ବିଜେପି ତାଙ୍କୁ ପ୍ରାର୍ଥୀ ନକିର ସନତ ଗଡତିଆଙ୍କୁ ପ୍ରାର୍ଥୀ କରିଥିଲା । ସତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଛିଡା ହୋଇ ପ୍ରାୟ 50 ହଜାର ଭୋଟ ପାଇଥିଲେ । ତେଣୁ ଏଥର ଉପନିର୍ବାଚନରେ ମଧ୍ୟ ବିଜେପି ପୁଣି ଥରେ ସନତଙ୍କୁ ପ୍ରାର୍ଥୀ କରିଛି । ବିଜେପି କେବଳ ଅଶୋକଙ୍କ ପ୍ରାର୍ଥୀତ୍ବକୁ ମନା କରିନି ତାଙ୍କର ବିଜେପୁର ଯିବା ଉପରେ ମଧ୍ୟ ଅଙ୍କୁଶ ଲଗାଇଦେଇଛି ।

ଫଳରେ ଅସନ୍ତୁଷ୍ଟ ଅଶୋକ ବିଜେଡିକୁ ଫେରିବାକୁ ଯୋଜନା କରୁଛନ୍ତି । ସେଥିପାଇଁ ସେ ଭୁବନେଶ୍ବରରେ ବିଜେଡିର କିଛି ବରିଷ୍ଠ ନେତାଙ୍କ ଶରଣ ପଶିଛନ୍ତି । ସଂଯୋଗବଶତଃ ସେହି ନେତାମାନେ ଏବେ ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଦାୟିତ୍ବରେ ଅଛନ୍ତି । କିନ୍ତୁ ବିଜେଡିରେ ମୁଖ୍ୟମନ୍ତ୍ରୀଙ୍କ ସବୁଜ ସଙ୍କେତ ବିନା ପତ୍ର ଖଣ୍ଡେ ବି ହଲିବନି । ତେଣୁ କୌଣସି ନେତା ଶୃଙ୍ଖଳା ଭଙ୍ଗ କରି ଅଶୋକଙ୍କୁ କୌଣସି ପ୍ରକାର ଆଶ୍ବାସନା କିମ୍ବା ସହଯୋଗର ପ୍ରତିଶୃତି ଦେଉନାହାଁନ୍ତି ।

Share

Leave a Reply

Your email address will not be published. Required fields are marked *

5 × one =