ବନ୍ଦ କୋଠରୀ ନୁହେଁ, ଖୋଲା ମଞ୍ଚରେ ଜବାବ ଦେବାକୁ ପଡିବ

ଭୁବନେଶ୍ୱର () ଗତ କିଛିଦିନ ହେଲା ଅପରାଜିତା ଷଢଙ୍ଗୀଙ୍କୁ ନେଇ ରାଜ୍ୟ ରାଜନୀତିରେ ଭାରି ଚର୍ଚ୍ଚା । ସେ କୁଆଡେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ କୋଉଣ୍ଟର କରିବାକୁ ରାଜ୍ୟ ବିଜେପିର ମଙ୍ଗ ଧରିବେ । ତାଙ୍କ ପ୍ରଶାସନିକ ଦକ୍ଷତାକୁ ନେଇ ମଧ୍ୟ ଚର୍ଚ୍ଚା ହଉଛି । କିଛି ଘଟଣାକୁ ନେଇ ତାଙ୍କୁ ଜଣେ ସଫଳ ପ୍ରଶାସକ ବୋଲି କୁହାଯାଉଛି । ହେଲେ ଟିକେ ଫ୍ଲାସ ବ୍ୟାକକୁ ଗଲେ ତାଙ୍କ ପ୍ରକୃତ ଚେହେରା ସାମ୍ନାକୁ ଆସିବ ।

ବିହାରର ଝିଅ, ଓଡ଼ିଆ ଘରର ବୋହୁ ଆଉ ଦିଲ୍ଲୀରେ ରାଜନୀତିର ଟ୍ରେନିଂ । ଓଡ଼ିଶାରେ ଥିବା ସମୟରେ ଅଫିସର ଭାବେ ଜନପ୍ରତିନିଧିଙ୍କୁ ପଚାରୁ ନଥିଲେ କି ସମ୍ମାନ ଦେଉନଥିଲେ । ଯେଉଁ ବିଭାଗରେ ରହିଲେ ସେଠି ବିଭାଗୀୟ ମୁଖ୍ୟଙ୍କୁ ନଜର ଅନ୍ଦାଜ କରି କାମ କଲେ । ସବୁ କାମର ଶ୍ରେୟ ନେବାକୁ ଗଣମାଧ୍ୟମରେ ଆତ୍ମପ୍ରଚାର କଲେ । ଏକଥା ଆମେ କହୁନୁ, ଇତିହାସ କହୁଛି ।

ଏକଥା କାହାକୁ ଅଜଣା ନୁହଁ ଯେ, କୌଣସି ବିଭାଗର ନୀତିଗତ ନିଷ୍ପତି ଉପରେ ସରକାରୀ ଅର୍ଥାତ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ସୂଚକ ମୋହର ନବାଯିବା ଯାଏଁ ତାହା ଜଣେ ପ୍ରଶାସକ କାର୍ଯ୍ୟକାରୀ କରିପାରିବେ ନାହିଁ । ବିଏମସିରେ କମିଶନର ଥିବା ସମୟରେ ରାଜଧାନୀର ସୌନ୍ଦର୍ଯ୍ୟକରଣ ହେଉ ବା ଭେଣ୍ଡିଂ ଯୋନ, ତାହା ବିଏମସି କର୍ପୋରେସନ ବୈଠକର ନିଷ୍ପତ୍ତି । କିନ୍ତୁ ଏହାକୁ ନିଜର ପରିକଳ୍ପନା ଭାବେ ଗଣମାଧ୍ୟମରେ ପ୍ରଚାରିତ କରି ବାହାବା ନେଇଗଲେ । ତାଙ୍କର ଏହି ହମବଡା ନୀତି ଯୋଗୁଁ ସେସମୟରେ ସବୁ କର୍ପୋରେଟର କ୍ଷୁବ୍ଧ ଥିଲେ । ଅନେକଥର କର୍ପୋରେସନ ବୈଠକରେ ହଙ୍ଗମା ଠିଆ କରାଇଛନ୍ତି । ଯେଉଁଥି ପାଇଁ ତାଙ୍କର ବଦଳି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ହୋଇଥିଲା ।

ହେଲେ ସେଠିବି ନିଜ କାର୍ଯ୍ୟ ଶୈଳୀରେ ପରିବର୍ତ୍ତନ ଆଣିନଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ତାଙ୍କ ଅମଳରେ ଡ୍ରେସ କୋଡ଼ର ପ୍ରଚଳନ ହେଲା । ଓଡିଶାର ହସ୍ତତନ୍ତ ଶାଢ଼ୀ ଦେଶ ବିଦେଶରେ ଲୋକପ୍ରିୟ । ସେ ପୁଣି ପଶ୍ଚିମ ଓଡିଶାର ବୋହୁ ହୋଇଥିବାରୁ ଭଲସେ ଜାଣନ୍ତି । କିନ୍ତୁ ଡ୍ରେସ କୋଡ଼ ପାଇଁ ଓଡ଼ିଶାର କୌଣସି ହସ୍ତତନ୍ତ ଶାଢ଼ୀ ସ୍ଥାନ ପାଇଲା ନାହିଁ । ସେ ସମୟରେ ସମ୍ବଲପୁରୀ ଶାଢ଼ୀ ବି ଡ୍ରେସ କୋଡ଼ ହୋଇପାରିଥାନ୍ତା । କିନ୍ତୁ ବାହାର ରାଜ୍ୟର ଏଜେଣ୍ଟଙ୍କୁ ଟେଣ୍ଡର ଦେଇ ଡ୍ରେସ କୋଡ଼ କଲେ । ଏକଥା କଣ କାହାକୁ ଅଛପା କି?

ସେହିଭଳି ପଞ୍ଚାୟତିରାଜ ବିଭାଗର ସଚିବ ହେଲେ । ସେଠି ମଧ୍ୟ ମନମାନି । ସାଧୁତା କଥା କହି ବାହାବା ନେଉଥିବା ଏହି ପ୍ରଶାସକ କଣ ନିଜ ସମୟରେ ପିସି ବନ୍ଦ କରିଥିଲେ ? ଏତେ ପାରିବାର ସଚିବ ଥିଲେ ତ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶତ ପ୍ରତିଶତ କାର୍ଯ୍ୟାଦେଶ କାହିଁକି ଦେଇପାରି ନଥିଲେ । ଏତେ କଥା କହିବାର ଅର୍ଥ, ଆତ୍ମପ୍ରଚାର ଓ ବାସ୍ତବିକ ଚିତ୍ର ମଧ୍ୟରେ ଅନେକ ଫରକ ।

ସର୍ବୋପରି ରାଜନୀତି ପ୍ରତି ତାଙ୍କର ଆରମ୍ଭରୁ ଆଗ୍ରହ ଥିଲା । ଯେଉଁଥି ପାଇଁ ସେ ସବୁବେଳେ ରାଜନେତାଙ୍କ ସ୍ଥାନ ନେଇ ନିଜସ୍ୱ ପ୍ରଚାର କରୁଥିଲେ । ସରକାରୀ ଯୋଜନା ବା କାର୍ଯ୍ୟକ୍ରମ ସମ୍ପର୍କରେ ବିଧାନସଭାରେ ଉତ୍ତରଦାୟୀ ମନ୍ତ୍ରୀଙ୍କୁ ଘୋଷଣା କରିବାର ସୁଯୋଗ ନଦେଇ ଗଣମାଧ୍ୟମରେ ଖବର ଲିକ କରୁଥିଲେ । ଦିଲ୍ଲୀ ଯିବା ପରେ ତାଙ୍କୁ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇବାର ସୁଯୋଗ ଦେଇଛି ବିଜେପି । ଯେଉଁ ଦଳର ନେତାମାନେ ପ୍ରଶାସକଙ୍କୁ କିରାଣୀ କୁହନ୍ତି ତାଙ୍କ ସହ ଅପରାଜିତା ସାଲିସ କରିବେ ନା କିରାଣୀଙ୍କ ସହ ବିଜେପି ସାଲିସ କରିବ ତାହା ଦେଖିବାର କଥା ।

Share

Leave a Reply

Your email address will not be published. Required fields are marked *

19 − 7 =