Latestଜାତୀୟ

ବାୟୁସେନାରେ ସାମିଲ ହେଲା ଆପାଚେ ହେଲିକପ୍ଟର

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାରେ ସାମିଲ ହେଲା ଆମେରିକା ନିର୍ମିତ ଆପାଚେ ଏଏଚ୍ ୬୪ ଇ ହେଲିକପ୍ଟର । ଏହି ହେଲିକପ୍ଟର ଭାରତୀୟ ବାୟୁସେନାକୁ ଆହୁରି ଶକ୍ତିଶାଳୀ କରିବ । ପ୍ରାଥମିକ ପର‌୍ୟ୍ୟାୟରେ ଏହାକୁ ପାକିସ୍ତାନ ସୀମା ନିକଟବର୍ତ୍ତୀ ପଠାନକୋଟ ଏୟାରବେସରେ ସାମିଲ କରାଯିବ । ଆକାଶପଥରୁ ଆଖି ପିଛୁଳାକେ ଟାର୍ଗେଟକୁ ଧ୍ୱଂସ କରିପାରୁଥିବା ଏହି ହେଲିକପ୍ଟର ଶତ୍ରୁ ଶିବିରରେ ଭୟ ସୃଷ୍ଟି କରିବାକୁ ଯଥେଷ୍ଟ ।

ଟ୍ୟାଙ୍କ୍, ଗାଡିକୁ ଧ୍ୱଂସ କରିବାରେ ମାହିର ଥିବା ଆପାଚେ ପୂରା ବିଶ୍ୱରେ ବିଧ୍ୱଂସକାରୀ ହେଲିକପ୍ଟର ଭାବେ ଜଣାଶୁଣା । ଏହି ହେଲିକପ୍ଟରରେ ୩୦ ଏମଏମ ମେଶିନଗନ ସଂଯୁକ୍ତ ରହିଛି । ଯେଉଁଥିରୁ ଗୋଟିଏ ଥରରେ ୧୨୦୦ ରାଉଣ୍ଡ ପର‌୍ୟ୍ୟନ୍ତ ଗୁଳି ଚଳାଇ ଯାଇପାରିବ । ଏହାଛଡା ଏଥିରେ ଆଣ୍ଟି ଟ୍ୟାଙ୍କ୍ ହେଲଫାୟାର ମିସାଇଲ ରହିଛି ଯାହା ଶତ୍ରୁ ପକ୍ଷର ଟ୍ୟାଙ୍କକୁ ଥରକେ ନଷ୍ଟ କରିବାକୁ ସକ୍ଷମ । ୧୫୦ ନଟିକାଲ ମିଲ ବେଗରେ ଉଡାଣ ଭରୁଥିବା ଏହି ଅପାଚେ ହେଲିକପ୍ଟରରେ ହାଇଡ୍ରା ଅନଗାଇଡେଡ ରକେଟ ମଧ୍ୟ ରହିଛି । ଯାହା ସ୍ଥଳଭାଗରେ ଥିବା ଟାର୍ଗେଟକୁ ବେଶ ସହଜରେ ଧ୍ୱଂସ କରିଥାଏ । ୨୦୧୫ରେ ଆମେରିକା ସହ ୨୨ଟି ହେଲିକପ୍ଟର ପାଇଁ ଚୁକ୍ତି କରିଥିଲା ଭାରତ ।

ଶତ୍ରୁପକ୍ଷର ସୀମାରେ ପଶି ଆକ୍ରମଣ କରିବାରେ ମାହିର ଥିବା ଏହି ହେଲିକପ୍ଟରକୁ ଆମେରିକା ସେନା ମଧ୍ୟ ବ୍ୟବହାର କରୁଛି । ଭାରତୀୟ ବାୟୁସେନା ଏବେ ଋଷ ନିର୍ମିତ ଏମଆଇ ୩୫ ଓ ଏମଆଇ୍ ୨୫ ହେଲିକପ୍ଟର ବ୍ୟବହାର କରୁଛି । ପାକିସ୍ତାନର ବାରମ୍ବାର ପରମାଣୁ ଧମକ ମଧ୍ୟରେ ଆପାଚେ ହେଲିକପ୍ଟର ସାମିଲ ହେବା ଭାରତୀୟ ବାୟୁସେନାକୁ ଆହୁରି ଶକ୍ତିଶାଳୀ କରିବ ।

Share

Leave a Reply

Your email address will not be published. Required fields are marked *

20 − ten =