୨୦୨୪ ଲକ୍ଷ୍ୟରେ ଅମିତ୍‍ ଶାହା

ଭୁବନେଶ୍ବର, (ନିପ୍ର): ୨୦୦୯ ନିର୍ବାଚନରେ ବିଜେପି କ୍ଷମତା ନ ଫେରିବାରୁ ୫ବର୍ଷରୁ ଯେପରି ନରେନ୍ଦ୍ର ମୋଦିଙ୍କୁ ଦଳ ତରଫରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଗଲା ସେହିଭଳି ଆଗାମୀ ୨୦୧୯ ନିର୍ବାଚନରେ ବିଜେପି କ୍ଷମତାକୁ ଆସିଲେ ମଧ୍ୟ ୨୦୨୪ରେ ନୂଆ ନେତାଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢିବ । ଏହି ନୂଆ ନେତା ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଅମିତ୍‍ ଶାହା । ଏକଥା ଦଳ ସଭାପତି ଅମିତ୍‍ ଶାହା ରାଜ୍ୟସଭାରେ ଦେଇଥିବା ପ୍ରଥମ ଭାଷଣରୁ ଆଭାସ ମିଳିସାରିଛି ।

ବିଜେପି ସଭାପତିି ଅମିତ୍‍ ଅନିଲ ଚନ୍ଦ୍ର ଶାହା ଗତ ଫେବୃୟାରୀ ମାସରେ ତାଙ୍କ ପ୍ରଥମ ପଦାର୍ପଣ ଭାଷଣରେ କହିଲେ, ‘ଏହି ଐତିହାସିକ ଗୃହ ମାଧ୍ୟମରେ ମୁଁ ଦେଶ ନିର୍ମାଣରେ ଅଂଶୀଦାର ହେବାକୁ ଯାଉଛି’ ।

୨୦୧୭ ଅଗଷ୍ଟ ମାସରେ ଅମିତ୍‍ ଶାହା ଯେତେବେଳେ ଗୁଜରାଟରୁ ରାଜ୍ୟସଭାକୁ ନିର୍ବାଚିତ ହେଲେ, ସେହି ସମୟ ତାଙ୍କ ଜୀବନର ମୋଡକୁ ବଦଳାଇ ଦେଇଛି । ସେ ବିଜେପିର ପରଦା ପଛର ନାୟକ ନ ହୋଇ ଦଳର ସମ୍ମୁଖରେ ଛିଡା ହୋଇ ରାଜନୈତିକ ଲଢେଇ ଲଢୁଛନ୍ତି । ସେ ଆଉ ଚନ୍ଦ୍ରଗୁପ୍ତ ମୋର୍ଯ୍ୟ (ନରେନ୍ଦ୍ର ମୋଦି)ଙ୍କ ନିର୍ବାଚନ ଜିତିବା ପାଇଁ ଚାଣକ୍ୟ ହୋଇ ରହିନାହାଁନ୍ତି । ସେ ଏବେ ଦେଶ ନିର୍ମାଣର ଅଂଶଭାବେ ପରିଗଣିତ ହେବାକୁ ଚାହୁଁଛନ୍ତି ।

ଅମିତ୍‍ ଶାହା ରାଜ୍ୟସଭାରେ ଯେଉଁ କେତେକ ଭାଷଣ ଦେଇଛନ୍ତି; ସେଥିରୁ ଜଣାପଡୁଛି ସେ କେବଳ ବିଜେପି ନୁହେଁ, ମୋଦି ସରକାରର ପ୍ରବକ୍ତା ଭାବେ ଉଭା ହୋଇଛନ୍ତି । ତାଙ୍କ ପ୍ରଥମ ଭାଷଣରେ ସରକାରଙ୍କ ନୀତି, ସରକାର, ଜିଏସଟି, ବେକାରୀ, ସ୍ୱଚ୍‍ଛ ଭାରତ, ଗ୍ରାମାଞ୍ଚଳ ବିଦ୍ୟୁତକରଣ ଆଦି ପ୍ରସଙ୍ଗ ରହିଥିଲା ।

ଏହା ପୂର୍ବରୁ ଅମିତ୍‍ ଶାହା ଯେଉଁ ଭାଷଣ ଦେଉଥିଲେ ତାହା ଜଣେ ଦଳ ସଭାପତି ଭାବେ ଦେଉଥିଲେ । ସେ ଦଳର ସଦସ୍ୟତା ଓ ଦଳର ସଂଗଠନ ବୃଦ୍ଧି, ନିର୍ବାଚନ ଯୋଜନା ଭଳି ରାଜନୈତିକ ଭାଷଣ ଦେଉଥିଲେ । କିନ୍ତୁ ସେ ଅଚାନକ ମୋଦି ସରକାରଙ୍କ ସଫଳତା ପ୍ରଧାନମନ୍ତ୍ରୀ ଭାବେ ବଖାଣୁଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗୃହରେ ଉପସ୍ଥିତ ରହି ତାଙ୍କ ଆସନ ନିକଟରେ ବସିଥିଲେ ।

ରାଜ୍ୟସଭାରେ ଅମିତ୍‍ ଶାହା ଯେଭଳି ସରକାରଙ୍କ ଗୁଣଗାନ କରି ଭାଷଣ ରଖିଲେ ସେଥିରୁ ଗୋଟିଏ କଥା ସ୍ପଷ୍ଟ ହେଲା ଯେ ଦଳ ଅରୁଣ ଜେଟଲୀଙ୍କ ଉତ୍ତରାଧିକାରୀ ପାଇଛି । ଗତ ସପ୍ତାହରେ ଆସାମର ଏନଆରସି ପ୍ରସଙ୍ଗରେ ବିରୋଧିଦଳ ସରକାରଙ୍କୁ ଯେପରି ଘେରିଥିଲେ ସେଥିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଚିନ୍ତିତ ହୋଇପଡିଥିଲେ । ଏତିକି ବେଳେ ବିଜେପି ସଭାପତି ଅମିତ୍‍ ଶାହା ଏହି ପ୍ରସଙ୍ଗରେ କଂଗ୍ରେସ ମୁଣ୍ଡରେ ଅଠା ବୋଳି ଏହାକୁ ରାଜନୈତିକ ପ୍ରସଙ୍ଗରେ ବଦଳାଇ ଦେଇଥିଲେ । ଆସାମରୁ ବିଦେଶୀମାନଙ୍କୁ ଦେଶାନ୍ତର କରିବା ପାଇଁ କଂଗ୍ରେସର ସତ ସାହାସ ନାହିଁ ବୋଲି ଶ୍ରୀ ଶାହା କହିଥିଲେ ।

ବିଜେପି ସଭାପତି ହିସାବରେ ଏଭଳି ମନ୍ତବ୍ୟ ଦେବାରେ କିଛି ଅସ୍ୱାଭାବିକତା ନାହିଁ । କିନ୍ତୁ ସେ ଏହା ସଂସଦରେ କହିଛନ୍ତି, ଯାହାକି ଏହା ସରକାରଙ୍କ ମନ୍ତବ୍ୟ ବୋଲି ଧରାଯିବ । ବିଜେପି ସଭାପତି ହିସାବରେ ଥିବା ପରିଚୟକୁ ଶାହା ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । କାରଣ ସେ ବର୍ତ୍ତମାନ ଦେଶର ଦ୍ୱୀତିୟ ସର୍ବାଧିକ କ୍ଷମତାଶାଳୀ ବ୍ୟକ୍ତି ।

ଶାହା ନିଜର ଚାଣକ୍ୟ ପରିଚୟ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ନିଜକୁ ଜଣେ ବୁଦ୍ଧିଜିବୀ, ଜନନେତା ଯିଏକି ଭବିଷ୍ୟତରେ ଦେଶ ଶାସନ କରିବାକୁ ଇଚ୍ଛୁକ ବୋଲି ପରିଚିତ ହେବାକୁ ଚାହୁଁଛନ୍ତି । ବୋଧହୁଏ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କଠାରୁ ସେଇ କଥା ଚାହୁଁଛନ୍ତି ।

ଅମିତ୍‍ ଶାହା ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ସରକାରୀ କଳ ଉପରେ ତାଙ୍କର ପ୍ରଭାବ ବଢିଛି । ଯେତେବେଳେ ଦଳୀୟ ସାଂସଦମାନେ ରାଜ୍ୟସଭାରେ ଅନୁପସ୍ଥିତ ରହୁଥିଲେ ଅମିତ୍‍ ଶାହା ସେମାନଙ୍କୁ ଗୃହରେ ରହିବାକୁ ବାଧ୍ୟ କରିଛନ୍ତି । ଗତ ବର୍ଷ ମନ୍ତ୍ରିମଣ୍ଡଳର ସଂପ୍ରସାରଣବେଳେ ପ୍ରଦାନମନ୍ତ୍ରୀଙ୍କ ପରିବର୍ତେ ଦଳ ସଭାପତି ୪ଜଣ ମନ୍ତ୍ରୀଙ୍କୁ ଡାକି ଇସ୍ତଫା ଦେବାକୁ କହିଥିଲେ । ତେଣୁ ଏଥିରୁ ଜଣାପଡୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଅମିତ୍‍ ଶାହାଙ୍କ ଉପରେ ବହୁତ ନିର୍ଭର କରୁଛନ୍ତି । ତେଣୁ ବର୍ତ୍ତମାନର ସରକଙ୍କୁ ମୋଦି-ଶାହା ସରକାର ବୋଲି କୁହାଗଲାଣି ।

ଅମିତ୍‍ ଶାହା ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ଭଳି ତାଙ୍କୁ ଦଳୀୟ ମହଲରେ ଗୁରୁତ୍ୱ ଦେବା ଆରମ୍ଭ ହୋଇଛି । କାରଣ ଶ୍ରୀ ଶାହା କେବଳ ନିର୍ବାଚନ ଜିତିବା ମେସିନ । ଏହି ପରିଚୟରୁ ଉଦ୍ଦ୍ୱର୍କୁ ଉଠିବା ପାଇଁ ଶ୍ରୀ ଶାହା ଚାହୁଁଛନ୍ତି । ତେଣୁ ଶ୍ରୀ ଶାହା ଦଳ ଓ ସରକାରର ସଫଳତାର ଶ୍ରେୟ ନିଜ ଉପରକୁ ନେବା ଚାହୁଁଛନ୍ତି ।

ଗୁଜରାଟର ଗତ ନିର୍ବାଚନ ପୁର୍ବରୁ ଅମିତ୍‍ ଶାହାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କିଛି ନେତା ଚାହୁଁଥିଲେ ହେଁ ପ୍ରଧାନମନ୍ତ୍ରୀ ମୋଦି ଏଥିରେ ରାଜି ହୋଇନଥିଲେ । ତେଣୁ ଆନନ୍ଦିବେନ ପଟେଲଙ୍କୁ ହଟାଇ ତାଙ୍କ ଅନୁଗତ ବିଜୟ ରୂପାନୀଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା ।

୫୩ ବର୍ଷ ବୟସ୍କ ଆଧୁନିକ ଚାଣକ୍ୟ ଅମିତ୍‍ ଶାହା ଏ ପର୍ଯ୍ୟନ୍ତ ନିଜ ରାଜ ଖୋଲୁନାହାନ୍ତି । ଦେଶ ଆଗାମୀ ଦିନରେ ତାଙ୍କର ଅନେକ ସଫଳ କାହାଣୀ ଦେଖିବାକୁ ପାଇବ । ମୋଦିଙ୍କଠାରୁ ୧୪ବର୍ଷ ସାନ ଅମିତ୍‍ ଶାହା ପ୍ରଧାନମନ୍ତ୍ରୀ ଅଫିସରେ ମୋଦିଙ୍କ ଉତ୍ତରାଧିକାରୀ ବୋଲି ଆଲୋଚନା ହେଲାଣି । ତେଣୁ ସେ ଏବେଠାରୁ ସରକାରଙ୍କ ସ୍ୱର ଭାବେ ନିଜକୁ ପ୍ରତିପାଦିତ କରିବାରେ ଲାଗିଲେଣି ।

କିନ୍ତୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କ ଠାରୁ ଦଳ ଯାହା ଆଶ କରୁଥିଲା, ସେ ତାହା ପ୍ରମାଣିତ କରିବାରେ ବିଫଳ ହୋଇଛନ୍ତି । ତେଣୁ ଅମିତ୍‍ ଶାହାଙ୍କ ବ୍ୟତୀତ ଦଳ ପାଖରେ ବିକଳ୍ପ ନାହିଁ ।

Share

Leave a Reply

Your email address will not be published. Required fields are marked *

12 + five =