ଅଲୋଡା ଓ ପ୍ରତ୍ୟାକ୍ଷାତ ନେତାଙ୍କ ମହାମେଣ୍ଟ

ଭୁବନେଶ୍ବର () ବିଜେଡି ବିରୋଧରେ ମେଳି ବାନ୍ଧୁଛନ୍ତି ବିଭିନ୍ନ ଦଳର ଏବଂ ଭୋଟରଙ୍କ ଦ୍ବାରା ଅଲୋଡା ନେତାମାନେ । 2019ରେ ସେମାନେ ବିଜେଡିକୁ କ୍ଷମତାରୁ ହଟେଇବାକୁ ବିଜେଡି ଓ କଂଗ୍ରେସ ବିରୋଧୀ ମହାମେଣ୍ଟ ଗଠନ କରିବାକୁ ଯୋଜନା କରିଛନ୍ତି । ଉତ୍କଳ ଭାରତ, ବିଜୁ ସମତାକ୍ରାନ୍ତି, ବିଜୟ ମହାପାତ୍ର ଓ ବୈଜୟନ୍ତ ପଣ୍ଡା ଏନେଇ ପ୍ରାରମ୍ଭିକ ଆଲୋଚନା ଆରମ୍ଭ କରିଛନ୍ତି ।

ଆସନ୍ତା 15 ଦିନ ମଧ୍ୟରେ ମହାମେଣ୍ଟ ଗଠନର ରୂପରେଖ ଚୁଡାନ୍ତ ହେବ ବୋଲି ସୂଚନା ଦେଇଛନ୍ତି ଉତ୍କଳ ଭାରତ ସଭାପତି ଖାରବେଳ ସ୍ବାଇଁ । ତେବେ ସେମାନେ କଂଗ୍ରେସ ସହ ମେଣ୍ଟ କରିବେ ନାହିଁ । ସେହିଭଳି ବାମ ଦଳକୁ ମଧ୍ୟ ଏମାନେ ଧର୍ମନିରପେକ୍ଷ ବୋଲି ଭାବୁନାହାଁନ୍ତି । ତେବେ ଏହି ମେଣ୍ଟର ସଫଳତା ଏବଂ ଏକତ୍ରିକରଣକୁ ନେଇ ଏବେଠାରୁ ପ୍ରଶ୍ନ ଉଠିଲାଣି । ମହାମେଣ୍ଟ ଗଠନର ସୂତ୍ରଧର ସାଜିଥିବା ନେତାମାନେ ବିଗତ ଦିନରେ ନିଜ ନିଜ ରାଜନୈତିକ ଜୀବନରେ ଫେଲ ମାରିଛନ୍ତି ।

ଖାରବେଳ ସ୍ବାଇଁ ବିଜେପି ଛାଡିବା ପରେ ଆଉ ଥରେ ହେଲେ ସାଂସଦ କି ବିଧାନସଭାକୁ ନିର୍ବାଚିତ ହୋଇପାରିନାହାଁନ୍ତି । ବିଜୟ ମହାପାତ୍ର ବିଜେଡିରୁ ବହିଷ୍କୃତ ହେବା ପରେ 2000 ମସିହାରୁ ନା ନିର୍ବାଚନ ଜିତି ପାରୁଛନ୍ତି ନା ବିଧାନସଭା ମାଟି ମାଡିପାରୁ ନାହାଁନ୍ତି । ସେହିଭଳି ବୈଜୟନ୍ତ ପଣ୍ଡା ବିଜେଡିର ସବୁ ଦଳୀୟ ପଦପଦବୀରୁ ନିଲମ୍ବିତ ହେବାପରେ ବାଧ୍ୟ ହୋଇ ବିଜେଡିରୁ ଇସ୍ତଫା ଦେଲେ । କିଛି ମାସ ଧରି ଜାତୀୟ ଓ ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଥିଲା ଯେ, ସେ ବିଜେପିରେ ଯୋଗ ଦେବେ । କିନ୍ତୁ ପରିବର୍ତ୍ତି ରାଜନୈତିକ ପାଣିପାଗରେ ବିଜେପି ଦ୍ବାର ବି ତାଙ୍କ ପାଇଁ ବନ୍ଦ ହୋଇଗଲାଣି । ନିଜର ରାଜନୈତିକ ଭବିଷ୍ୟତ ପାଇଁ ସେ ଏକ ପ୍ଲାଟଫର୍ମ ଖୋଜୁଛନ୍ତି । ବିଜୟ ମହାପାତ୍ର ସେହିଭଳି ବିଜେପି ଭଳି ଜାତୀୟ ଦଳରେ ନିଜକ ଖାପଖୁଆଇ ପାରିଲେନି । ଫଳରେ ଦଳରେ ଅଲୋଡା ହୋଇଗଲେ । ସେ ମଧ୍ୟ ନିକଟରେ ବିଜେପି ଛାଡିଛନ୍ତି । ବିଜେପି ଛାଡିବା ସମୟରେ ଚର୍ଚ୍ଚା ହେଉଥିଲା ଯେ, ସେ ବିଜେଡିରେ ଯୋଗ ଦେବେ । କିନ୍ତୁ ଥରେ ମୁହଁ ଫେରାଇ ନେଇଥିବା ନବୀନ ଆଉ ବିଜୟଙ୍କ ଆଡେ ଶୁଭଦୃଷ୍ଟି ଦେଉନାହାଁନ୍ତି । ତେଣୁ ବିଜୟଙ୍କ ରାଜନୀତି ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଉଥିବାରୁ ସେ ମଧ୍ୟ ଏକ ବିକଳ୍ପ ଖୋଜୁଛନ୍ତି । ତାଙୁ କଂଗ୍ରେସ ମଧ୍ୟ ନିଜ ସହ ସାମିଲ କରିବାକୁ ପ୍ରସ୍ତୁତ ନୁହେଁ ।

ନିଜକୁ ଜଣେ ଅତି ପ୍ରଭାବଶାଳୀ ଏବଂ ଲୋକପ୍ରିୟ ନେତା ଭାବେ ପ୍ରୋଜେକ୍ଟ କରୁଥିବା ଡାକ୍ତର ଦାମୋଦର ରାଉତଙ୍କ ରାଜନୈତିକ ଭବିଷ୍ୟତ ବି ଅନ୍ଧକାର ଭଳି ଲାଗୁଛି । ବିଜେଡିରୁ ବହିଷ୍କୃତ ହେବା ପରେ ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀଙ୍କ ସମତାକ୍ରାନ୍ତି ସହ ମିଶି ବିଜୁ ସମତାକ୍ରାନ୍ତି ଗଠନ କଲେ । କିନ୍ତୁ ନିଜସ୍ବ ହମବଡା ନୀତି ଯୋଗୁଁ ସେଠିବି ସେ ଅଲୋଡା ହୋଇଗଲେଣି । ତେଣୁ ସେ ବି ଏବେ ବୈଜୟନ୍ତ ଓ ବିଜୟଙ୍କ ଡଙ୍ଗାରେ ସବାର ହେବାକୁ ଯୋଜନା କରୁଛନ୍ତି । ଯେଉଁ ପାରାଦ୍ବୀପକୁ ସେ ନିଜର ଗଡ ବୋଲି କହୁଥିଲେ, ସେହି ଗଡ ଏବେ ବିଜେଡି କବଜକା ଚାଲିଗଲାଣି । ବ୍ରଜ ତ୍ରିପାଠୀ ସେହିଭଳି ବିଜେଡିରୁ ବାହାରି ନିଜସ୍ବ ଦଳ ଗଠନ କରିଥିଲେ ବି ଆଉ ରାଜନୀତିରେ ସଫଳ ହୋଇପାରୁ ନାହାଁନ୍ତି କି ସଂସଦକୁ ଯାଇପାରୁନାହାଁନ୍ତି ।

ଏମିତି କିଛି ନେତାଙ୍କୁ ନେଇ ଯେଉଁ ମହାମେଣ୍ଟର ପରିକଳ୍ପନା କରାଯାଇଛି ତାହା ଚୂଡାନ୍ତ ରୂପ ନା କେବଳ ଏକ ଗୋଳିଆ ଘାଣ୍ଟ ହୋଇ ରହିଯିବ ତାହା ଦେଖିବାର କଥା ବୋଲି କହିଛନ୍ତି ବିଜେଡି ନେତାମାନେ । ତେବେ 2019ରେ ବିଜେଡି କାହା ସହ ମେଣ୍ଟ କରିବ ନାହିଁ କି ଆସନ ବୁଝାମଣା କରିବନି । ଏକଥା ବାରମ୍ବାର ଦଳର ସୁପ୍ରିମୋ କହୁଛନ୍ତି ।

Share

Leave a Reply

Your email address will not be published. Required fields are marked *

eighteen − eight =