ତିନି ଦିନରେ ୩% ଭୋଟ କଟିଲା

ଭୁବନେଶ୍ବର (): ଦେଶର ସବୁଠାରୁ ବଡ଼ ତଦନ୍ତକାରୀ ଅନୁଷ୍ଠାନ ସିବିଆଇ ଅଧିକାରୀଙ୍କ ଲାଞ୍ଚ ଗ୍ରହଣ ମାମଲା ଯୋଗୁଁ କେନ୍ଦ୍ର ସରକାର ନିର୍ଦ୍ଦେଶକ ଓ ସ୍ବତନ୍ତ୍ର ନିର୍ଦ୍ଦେଶକଙ୍କୁ ଛୁଟିରେ ପଠାଇଦେଇଛନ୍ତି। ଏହି ମାମଲା ଏବେ ରାଜନୈତିକ ରୂପ ନେଇସାରିଛି। ଏହି ମାମଲାକୁ ନେଇ କଂଗ୍ରେସ ଆଜି ସାରା ଦେଶରେ ହଡ଼ତାଳ କରିଥିବାବେଳେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିସାରିଛି।

କିନ୍ତୁ ସବୁଠାରୁ ବଡ଼ କଥା ହେଉଛି, ଏହି ମାମଲା ରାଜନୈତିକ ରୂପ ନେଇସାରିଥିବାରୁ ଏହାର କୁପ୍ରଭାବ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପଡ଼ିପାରେ। ଏ ସମ୍ପର୍କରେ ଏବିପି ନ୍ୟୁଜ୍‌ ଓ ସି ଭୋଟର ପକ୍ଷରୁ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ସର୍ଭେ କରାଯାଇଥିଲା। ସର୍ଭେ ରିପୋର୍ଟ ଅନୁସାରେ ସିବିଆଇ ବିବାଦ ବିଜେପି ଭୋଟ ବ୍ୟାଙ୍କ ଉପରେ ପଡ଼ିବାର ଆଶଙ୍କା ଦେଖାଦେଇଛି। ସର୍ଭେ ରିପୋର୍ଟ ଅନୁସାରେ ମଧ୍ୟପ୍ରଦେଶର ୪୩ ପ୍ରତିଶତ ଲୋକଙ୍କ ମତରେ ସିବିଆଇ ବିବାଦ ବିଜେପି ଭୋଟବ୍ୟାଙ୍କକୁ ପ୍ରଭାବିତ କରିବ। ଅପରପକ୍ଷରେ ୩୯ ପ୍ରତିଶତ ଲୋକଙ୍କ ମତରେ ଏହି ବିବାଦ ବିଜେପି ଉପରେ କୌଣସି ଖରାପ ପ୍ରଭାବ ପକାଇବ ନାହିଁ।

ସିବିଆଇ ବିବାଦ ପରେ ମଧ୍ୟପ୍ରଦେଶରେ କଂଗ୍ରେସକୁ ୪୨ ପ୍ରତିଶତ ଭୋଟ ଓ ବିଜେପିକୁ ୩୮ ପ୍ରତିଶତ ଭୋଟ ମିଳିବ ବୋଲି ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ସର୍ଭେ ରିପୋର୍ଟ ଅନୁସାରେ ୨୩ ଅକ୍ଟୋବରରେ ବିଜେପିକୁ ୪୧ପ୍ରତିଶତ ଭୋଟ ମିଳିବାକୁ ଥିବାବେଳେ ୨୪ଅକ୍ଟୋବରରେ ୩୯ ପ୍ରତିଶତ ଓ ୨୫ ଅକ୍ଟୋବରରେ ୩୮ ପ୍ରତିଶତ ଭୋଟ ମିଳିବ ବୋଲି ଦର୍ଶାଯାଇଛି।

କେବଳ ମଧ୍ୟପ୍ରଦେଶ ନୁହେଁ, ନିର୍ବାଚନ ହେବାକୁ ଥିବା ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ବିଜେପିର ଲୋକପ୍ରିୟତା ଓ ଭୋଟ ହାର ଏହି ତିନି ଦିନ ମଧ୍ୟରେ ବ୍ୟାପକ ହ୍ରାସ ପାଇଛି। ଯାହାକି ବିଜେପି ନେତାମାନଙ୍କ ଆଖିରୁ ନିଦ ହଜାଇ ଦେଇଛି। ସିବିଆଇ ବିବାଦ ପରେ ବିଜେପି ରକ୍ଷଣାତ୍ମକ ମୁଦ୍ରାରେ ଥିବାବେଳେ କଂଗ୍ରେସ ଆକ୍ରମଣତ୍ମକ ମୁଦ୍ରାକୁ ଆସିଯାଇଛି।

ଅପର ପକ୍ଷରେ ସିବିଆଇ ନିର୍ଦ୍ଦେଶକମାନଙ୍କୁ ପଦଚ୍ୟୁଚ କରାଯାଇନାହିଁ ବୋଲି ଗତକାଲି ସିବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସିବିଆଇ ନିର୍ଦ୍ଦେଶକଙ୍କୁ ପ୍ରଥମ ଥର ପାଇଁ ହଟାଯାଇନାହିଁ। ପୂର୍ବରୁ ଅଟଳ ବିହାରୀ ବାଜପାୟୀଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ସିବିଆଇ ନିର୍ଦ୍ଦେଶ ତ୍ରିନାଥ ମିଶ୍ରଙ୍କୁ ପଦରୁ ହଟାଇଦିଆଯାଇଥିଲା।

Share

Leave a Reply

Your email address will not be published. Required fields are marked *

fourteen + seven =